ଫୋନି: ୨୨ ନବଜାତକଙ୍କୁ ବାତ୍ୟା ମୁହଁରୁ ବଞ୍ଚାଇଲେ କ୍ୟାପିଟାଲ୍ ହସ୍ପିଟାଲ୍ର କର୍ମଚାରୀ
ଭୁବନେଶ୍ୱର, (ଓଟି): କ୍ୟାପିଟାଲ ହସ୍ପିଟାଲରେ ବାତ୍ୟା ଫୋନି ମୁହଁରୁ ୨୨ଜଣ ନବଜାତକ ବଞ୍ଚି ଯାଇଛନ୍ତି । ଯେତେବେଳେ ବାତ୍ୟା ଫୋନି ସମଗ୍ର ରାଜଧାନୀରେ ଧ୍ୱଂସର ତାଣ୍ଡବ ଚଳାଇଥିଲା, ଏହି ଡାକ୍ତରଖାନାର ଡାକ୍ତର, ସେବିକା ଓ ସହାୟକମାନେ ନବଜାତକଙ୍କୁ ଛାତିରେ ଜାକି ଉଦ୍ଧାର କରିଛନ୍ତି । ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି ସେମାନେ ଏହି ସଫଳତା ପାଇପାରିଛନ୍ତି । ଏ ଖବର ପ୍ରସାର ହେବା ପରେ ଏବେ ସେମାନଙ୍କ ପ୍ରଶଂସାରେ ସତମୁଖ ହୋଇଛନ୍ତି ସାଧାରଣ ଜନତା ।
ଫୋନି ପ୍ରଭାବରୁ ଶିଶୁ ବିଭାଗର ଏସ୍ଏନସିୟୁଟି ରକ୍ଷା ପାଇନଥିଲା । ପ୍ରଖର ପବନରେ ଏହାର ସିଲିଂ ଗୁଡିକ ଭାଙ୍ଗିରୁଜି ଯାଇଥିଲା । ବିଦ୍ୟୁତ୍ ସାଜ ସରଞ୍ଜାମ ସହିତ ସିଲିଂ ଗୁଡିକ ତଳେ ଥିବା ନବଜାତକମାନଙ୍କ ଉପରକୁ ପଡିବା ଆରମ୍ଭ କରିବା ମାତ୍ରେ ସେଠାରେ ଉପସ୍ଥିତ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଶିଶୁମାନଙ୍କୁ ଉଠାଇ ଜାବୁଡି ଧରିଥିଲେ । ଏଥି ସହିତ ଉପସ୍ଥିତ ବୁଦ୍ଧି ଖଟାଇ ଇନକ୍ୟୁବେଟରୁ ତୁରନ୍ତ ବିଦ୍ୟୁତ ସଂଯୋଗ କାଟି ଦେବାରୁ ସେଥିରେ ଥିବା ନବଜାତକମାନେ ମଧ୍ୟ ରକ୍ଷାପାଇ ଯାଇଥିଲେ ।
ଏସ୍ଏନସିୟୁଟି ବାତ୍ୟା ମାଡ଼ରେ ଚୁରମାର ହୋଇଯାଇଥିବାବେଳେ ଶିଶୁମାନଙ୍କ ଜୀବନ କିନ୍ତୁ ବଞ୍ଚି ଯାଇଥିଲା । ଯେତେବେଳେ ବାତ୍ୟାର ପ୍ରକୋପକୁ ଦେଖି ଶିଶୁଙ୍କ ପିତାମାତା ଓ ଅନ୍ୟ ଲୋକେ ଆତଙ୍କିତ ହେବା ସହିତ ନିଜ ଜୀବନ ବଂଚାଇବାପାଇଁ ଉଦ୍ୟମ ଚଳାଇଥିଲେ ସେତେବେଳେ ଏସ୍ଏନସିୟୁରେ କର୍ତବ୍ୟରତ ଡାକ୍ତର, ସେବିକା ଓ ସହାୟିକାମାନେ କିନ୍ତୁ ଶିଶୁଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ । ବାତ୍ୟା ମାଡରେ ମୁଣ୍ଡ ଉପରୁ ବଡ ବଡ ସିଲିଂ ଖଣ୍ଡ ସହିତ ବିଦ୍ୟୁତ ସାଜ ସରଞ୍ଜାମ ପଡିବାକୁ ଖାତିର ନକରି ସେବାକୁ ପ୍ରାଥମିକତା ଦେଇ ସେମାନେ ଶିଶୁଙ୍କ ଅମୂଲ୍ୟ ଜୀବନ ବଂଚାଇ ପାରିଛନ୍ତି ।