ପୁରୀରେ ୧୭୫ କିଲୋମିଟର ପବନ, ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ: ଏସ୍‌ଆର୍‌ସି

ପୁରୀରେ ୧୭୫ କିଲୋମିଟର ବେଗରେ ପବନ ପ୍ରବାହିତ ହେଉଛି। ପୁରୀ ସହର ଏବଂ ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେକୌଣସି ସମୟରେ ବାତ୍ୟା ଫନିର କେନ୍ଦ୍ରସ୍ଥଳ ସ୍ଥଳଭାଗ ଛୁଇପାରେ ବୋଲି କହିଛନ୍ତି ସ୍ଵତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ।

ପରିସ୍ଥିତିର ପୂର୍ବାନୁମାନ କରି ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହିକ୍ରମରେ ରେକର୍ଡ଼ ସଂଖ୍ୟାରେ ଲୋକଙ୍କୁ ସ୍ଥାନାନନ୍ତର କରାଯାଇଥିବା ଶ୍ରୀ ସେଠୀ କହିଛନ୍ତି। ପାଖାପାଖି ୧୦ଲକ୍ଷ ୮୫ ହଜାର ଲୋକ ସ୍ଥାନାନ୍ତର ହୋଇଛନ୍ତି। ଭିନ୍ନକ୍ଷମ, ମହିଳା, ବୃଦ୍ଧ ବୃଦ୍ଧର, ଶିଶୁଙ୍କୁ ଅଗ୍ରାଧିକାର ଦିଆଯାଇଛି। ଏବେ ଆଶ୍ରୟ ନେଇଥିବା ଲୋକଙ୍କୁ ସୁରକ୍ଷା ଯୋଗାଇବା ତଥା ସେମାନଙ୍କୁ ଖାଇବା ପିଇବା ଯୋଗାଇବା ପ୍ରଶାସନର ଦାୟିତ୍ଵ ବୋଲି ଶ୍ରୀ ସେଠୀ ସୂଚନା ଦେଇଛନ୍ତି।

ଲୋକଙ୍କ ପାଖଷର ସତର୍କ ରହିବାର ବାର୍ତା ପଠାଇବା ଲାଗି ଏକ କୋଟି ୧୮ ଲକ୍ଷ ଏସ୍‌ଏମ୍‌ସ୍‌ ବିଭିନ୍ନ ସାଇକ୍ଲୋନ୍‌ ଅଞ୍ଚରେ ପ୍ରେରଣ କରାଯାଇଛି। ଲୋକଙ୍କୁ ସଚେତନ କରାଯାଇଛି। ଏହାକୁ ଦେଖି ଲୋକେ ସ୍ଵତଃ ଆସିଥିବା ସୂଚନା ମିଳିଛି।

ଲ୍ୟାଣ୍ଡଫଲ ପରେ ଫନିର ପ୍ରଭାବ ଜଣାପଡ଼ିବ। ଏହାକୁ ଆକଳନ କରି ଆବଶ୍ୟକ ପଦକ୍ଷେପ ନିଆଯିବ। ଉଦ୍ଧାର କାର୍ଯ୍ୟ ପାଇଁ ସେନାଠୁ ଆରମ୍ଭ କରି ଓଡ୍ରାଫ୍‌ ଓ ଏନ୍‌ଡିଆରଏଫ୍‌ ଟିମ୍‌ ମୁତ୍ତୟନ ରହିଛନ୍ତି। ୨୦ ଓଡ୍ରାଫ୍‌, ୧୦ ଏନ୍‌ଡିଆରଏଫ୍‌ ଟିମ୍‌ ମୁତ୍ତୟନ ରହିଥିବା ସେ ସୂଚନା ଦେଇଛନ୍ତି।

ଶ୍ରୀ ସେଠୀ କହିଛନ୍ତି ‘ପରିସ୍ଥିତି ଉପରେ ନଜର ରଖିଛୁ। ଲ୍ୟାଣ୍ଡଫଳ ପରେ ପ୍ରଭାବ କ’ଣ ହେଲା ଦେଖି ଆବଶ୍ୟକ ଅନୁସାରେ ହେଲିକପ୍ଟର ଓ ସେନା ବାହିନୀକୁ କାର୍ଯ୍ୟ ପାଇଁ ଅନୁରୋଧ କରାଯିବ। ଦରକାର ପଡ଼ିଲେ ଖାଦ୍ୟପୁଡ଼ିଆ ପକାଯିବ।’

ଭାରତ ପାଣିପାଗ ବିଭାଗ ଯେଉଁ ପ୍ରକାର ସୂଚନା ଆଗରୁ ଦେଇଥିଲେ ତାହା ହୋଇଛି। ପୂର୍ବରୁ ଏହି ବିଭାଗ ୧୭୦-୧୮୦ କିଲୋମିଟର କହିଥିଲେ ଯାହା ସମ୍ପୂଣ୍ଣ ଠିକ୍‌ ରହିଛି ବୋଲି ଶ୍ରୀ ସେଠୀ କହିଛନ୍ତି।

Leave a Reply

Your email address will not be published. Required fields are marked *