ସବୁ ବିମାନ ବାତିଲ, ମଧ୍ୟରାତ୍ରୀରୁ ବିଜୁଳି କାଟ୍‌, ସକାଳ ୮ରେ ଲ୍ୟାଣ୍ଡଫଲ୍‌

ଭୁବନେଶ୍ଵର, (ଓଟି): ସାମୁଦ୍ରିକ ଝଡ଼ବାତ୍ୟା ‘ଫୋନି’ ଶୁକ୍ରବାର ସକାଳ ୮ଟାରୁ ୧୦ଟା ଭିତରେ ସ୍ଥଳଭାଗ ଛୁଇଁବ। ମଧ୍‌ୟାହ୍ନ ଯାଏ ଏହି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିବ। ଏହି ସମୟରେ ପବନ ତୀବ୍ର ହେବା ସହ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। ଏହି ସମୟରେ କ୍ଷୟକ୍ଷତି ହେବା ଆଶଙ୍କା ଜୋର ରହିଛି।

ଏବେ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଏହି ଝଡ଼ବାତ୍ୟା ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ସୂଚନା ମିଳିଛି। ପୁରୀ ପାଖ ପାଖ ଅଞ୍ଚଳରେ ଏହା ସ୍ଥଳଭାଗରେ ମାଡ଼ ହେବାକୁ ଥିବାରୁ ସେତେବେଳେ ପବନର ବେଗ ବୃଦ୍ଧି ପାଇଁ ତାହା ଉତ୍କଟ ଘୂଣ୍ଣିଝଡ଼ ବା ସିଭିୟର ସାଇକ୍ଲୋନ୍‌ର ରୂପ ନେବ। କିଛି ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୨୦୦ କିଲୋମିଟର ବେଗରେ ହେବା ଆଶଙ୍କା ରହିଛି।

ଫୋନିର କେନ୍ଦ୍ରବିନ୍ଦୁ ଯେତିକି ସ୍ଥଳଭାଗ ନିକଟତର ହେଉଛି ସେତିକି ଏହାର ପ୍ରଭାବ ଅନୁଭବ କରାଯାଉଛି। ଏହି ପ୍ରଭାବରେ ପୁରୀ, ଭୁବନେଶ୍ଵର, ଗୋପାଳପୁର, ଜଗତସିଂହପୁର ଅଞ୍ଚଳରେ ବର୍ଷା ଦେଖିବାକୁ ମିଳିଛି। ଏହାଛଡ଼ା ପବନର ବେଗ ମଧ୍ୟ ବଢ଼ୁଛି। ଆଜି ମଧ୍ୟରାତ୍ରୀରେ ପବନର ବେଗ ଆହୁରି ତୀବ୍ର ହେବା ଆଶଙ୍କା ରହିଛି। ଏଣୁ କ୍ଷୟକ୍ଷତିକୁ ଏଡ଼ାଇବା ଲଶଗି ସରକାରଙ୍କ ପକ୍ଷରୁ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି।

ବିମାନ ବାତିଲ

ଭୁବନେଶ୍ଵର ବିମାନବନ୍ଦରରୁ ସମସ୍ତ ବିମାନ ଚଳାଚଳକୁ ଗୁରୁବାର ମଧ୍ୟ ରାତ୍ରୀରୁ ବାତିଲ୍‌ କରାଯାଇଛି। ସ୍ଵତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ମଧ୍ୟରାତ୍ରୀରୁ ଶୁକ୍ରବାର ମଧ୍ୟରାତ୍ରୀଯାଏ ଏହି ସେବା ବନ୍ଦ ରହିବ। ପରିସ୍ଥିତି ସ୍ଵଭାବିକ ହେଲେ ବିମାନ ଚଳାଚଳ ନେଇ ସୂଚନା ଦିଆଯିବା ସମ୍ଭାବନା ରହିଛି।

ବିଜୁଳି କାଟ୍‌

ଏହାଛଡ଼ା ବିଜୁଳି ସରବରାହ କ୍ଷତି ତଥା ଧନ ଜୀବନ ରକ୍ଷା ଉଦ୍ଦେଶ୍ୟରେ ବିଜୁଳି କାଟ୍‌ ପାଇଁ ସରକାର ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। ପବନର ବେଗ ଘଣ୍ଟାପ୍ରତି ୫୦ କିଲୋମିଟର ହେଲେ ବିଜୁଳି କାଟ ପାଇଁ ଶକ୍ତି ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଯେତେବେଳେ ପବନର ବେଗ କମିବ ତା ପରେ ପରିସ୍ଥିତିକୁ ଯାଞ୍ଚ କରି ବିଜୁଳି ପୁନଃ ସଂଯୋଗ କରାଯିବ ବୋଲି ଶକ୍ତିବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published.