ଫନି ମୁକାବିଲା :ବାତ୍ୟା ମୁକାବିଲା ଲାଗି ୯ ଆଇଏଏସଙ୍କୁ ଦାୟିତ୍ୱ
ସାମୁଦ୍ରିକ ବାତ୍ୟା ଫନିକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ତତ୍ପରତା ଦେଖିବାକୁ ମିଳିଛି। ବାତ୍ୟା ପ୍ରଭାବିତ ୫ ଜିଲ୍ଲା ପାଇଁ ଦକ୍ଷ ଆଇଏଏସଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏଥିସହ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟକରୁଥିବା ଡାକ୍ତରମାନଙ୍କର ସମସ୍ତ ପ୍ରକାର ଛୁଟି ଆସନ୍ତା ୧୫ ତାରିଖ ଯାଏଁ ବାତିଲ୍ କରାଯାଇଛି।
ତେବେ ଫନି ଦ୍ୱାରା ବେଶି ପ୍ରଭାବିତ ୫ ଜିଲ୍ଲା ପାଇଁ ୫ ଜଣ ଆଇଏଏସଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ପୁରୀ ଜିଲ୍ଲା ପାଇଁ ସୁରେଶ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଜଗତସିଂହପୁର ପାଇଁ ଶାଶ୍ୱତ ମିଶ୍ର, କେନ୍ଦ୍ରାପଡା ପାଇଁ ହେମନ୍ତ କୁମାର ପାଢ଼ୀ, ଯାଜପୁର ପାଇଁ ଅନୀଲ ସାମଲ , ବାଲେଶ୍ୱର ପାଇଁ ପ୍ରେମଚନ୍ଦ ଚୌଧୁରୀ ଓ ମହମ୍ମଦ ଅବଦଲ ଅଖତାର, ଭଦ୍ରକ ପାଇଁ ସୁରେନ୍ଦ୍ର ପାଲ ଠାକୁର, କଟକ ପାଇଁ ସଞ୍ଜୀବ ଚୋପ୍ରା, ଏସଆରସି ଦପ୍ତର ପାଇଁ ମନିଷା ବାନାର୍ଜୀଙ୍କୁ ଦାୟିତ୍ୱ ଦିଆଯାଇଛି। ତେବେ ଆଜି ସଂଧ୍ୟା ସୁଦ୍ଧା ଏହି ୫ ଆଇଏଏସ ଅଧିକାରୀଙ୍କୁ ସଂପୃକ୍ତ ଜିଲ୍ଲାରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସେହିଭଳି ସାମୁଦ୍ରିକ ବାତ୍ୟା ଫନିକୁ ନଜରରେ ରଖି ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମାଚାରୀଙ୍କ ଛୁଟି ୧୫ ମେ ଯାଏଁ ବାତିଲ କରାଯାଇଛି। ଛୁଟିରେ ଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ଯେଉଁଠାରେ ଥିବେ ସେଠାକାର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଆଜି ସଂଧ୍ୟା ସୁଦ୍ଧା ରିପୋର୍ଟ କରିବେ। ଯେଉଁମାନେ ରିପୋର୍ଟ କରିଥିବେ ସେମାନଙ୍କ ବାବଦରେ ରାଜ୍ୟ ସରକାରଙ୍କୁ ଅବଗତ କରାଇବା ପାଇଁ ସେଠାକାର ସିଡିଏମଓଙ୍କୁ ନିର୍ଦେଶ ଦିଆଯାଇଛି।
କେନ୍ଦ୍ରାପଡ଼ାରେ ଡେରା ପକାଇବେ ୪ ପୂର୍ବତନ ଜିଲ୍ଲାପାଳ
ଆସନ୍ନ ସାମୁଦ୍ରିକ ବାତ୍ୟା ‘ଫନି’ ପ୍ରତି ସତର୍କ ରହିବାକୁ କେନ୍ଦ୍ରାପଡ଼ା ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ ରହିବାକୁ ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳ ଜରୁରୀ ବୈଠକ ଡକାଇଥିଲେ। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସୁଗମ ହେବା ନିମନ୍ତେ କେନ୍ଦ୍ରାପଡ଼ାର ୪ ଜଣ ପୂର୍ବତନ ଜିଲ୍ଲାପାଳ ଆସି ଜିଲ୍ଲା ମୁଖ୍ୟାଳୟରେ ଡେରା ପକାଇବେ ବୋଲି ଜଣାପଡ଼ିଛି।