ସୁଟିଂ ସେଟରେ ଦୀପିକା ବେହୋସ୍

ଶୀର୍ଷକଟି ପଢିବା ମାତ୍ରେ ଆପଣଙ୍କ ମନକୁ ଦୀପିକା ପାଦୁକୋନଙ୍କ କଥା ଆସୁଥିବ ନିଶ୍ଚୟ । କିନ୍ତୁ ଦୀପିକାଙ୍କ ପ୍ରଶଂସକମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ଏଠାରେ ଦୀପିକା କକ୍କଡ଼ଙ୍କ ସମ୍ପର୍କରେ ଖବର ଆସିଛି । ଟେଲି ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କଡ଼ ତାଙ୍କର ନୂଆ ଶୋ’ ‘ପାନି ପୁରି’ର ସୁଟିଂ କରୁଥିବା ସମୟରେ ଅଚାନକ ବେହୋସ୍ ହୋଇଯାଇଥିଲେ । ଶୋ’ ନିର୍ମାତା ସନ୍ଦିପ୍ ସାକିନ୍ଦ୍ ସୁଟିଂ ସେଟର ଏକ ଫଟୋ ସେୟାର୍ କରି ଏହି ଖବର ଦେଇଥିଲେ । କିନ୍ତୁ ଦୀପିକାଙ୍କୁ ଆଶୁ ଚିକିତ୍ସା ହେବା ପରେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଦୀପିକା ସୁସ୍ଥ ଥିବା ଖବରକୁ ତାଙ୍କ ସ୍ୱାମୀ ସୋଏବ୍ ଇବ୍ରାହିମ୍ ସୋସିଆଲ୍ ମିଡିଆ ମାଧ୍ୟମରେ ଜଣାଇବା ସହ ତାଙ୍କର ଆରୋଗ୍ୟ କାମନା କରିଥିବା ଅଗଣିତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କହିରଖୁଛୁ ‘ବିଗବସ୍’ ଜିତିବା ପରେ ପ୍ରଥମ ଥର ପାଇଁ ଦୀପିକା ଏହି ଶୋ’ ମାଧ୍ୟମରେ ଟେଲି ଦୁନିଆକୁ ଏଣ୍ଟ୍ରି କରୁଛନ୍ତି । ଏହି ଶୋ’ରେ ଦୀପିକାଙ୍କ ସହିତ କରଣ ଗ୍ରୋଭରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ‘ବିଗବସ୍’ର ଆଉ ଜଣେ ପ୍ରତିଯୋଗୀ ରୋମିଲ୍ ଚୌଧୁରୀ ମଧ୍ୟ ଏହି ଶୋ’ରେ ସ୍କ୍ରୀନ୍ ସେୟାର୍ କରିଛନ୍ତି । ଦୀପିକା ଓ ରୋମିଲଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ଏବେ ପର୍ଯ୍ୟନ୍ତ ଲାଗିରହିଛି । ତେବେ ଗୋଟିଏ ଶୋ’ରେ ଏହି ଦୁଇଜଣଙ୍କ କେମେଷ୍ଟ୍ରୀକୁ ଉପଭୋଗ କରିବା ଦର୍ଶକଙ୍କ ପାଇଁ କୌଣସି ସରପ୍ରାଇଜରୁ କମ୍ ହେବନି ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *