ବିଜୟଙ୍କୁ ରୋକିବା ପାଇଁ ବିଜେଡିର ବ୍ଲୁ-ପ୍ରିଣ୍ଟ

୫୧ ପଞ୍ଚାୟତ ପାଇଁ ୧୦୨ ଜଣିଆ ଟିମ

ଓଡ଼ିଶାରେ ୨୯ତାରିଖରେ ଶେଷ ହେବ ୪ଟି ପର୍ଯ୍ୟାୟର ନିର୍ବାଚନ। କିନ୍ତୁ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ନେତାମାନେ ସେମାନଙ୍କ ସରକାର ଆସୁଥିବା ଦାବି କରିସାରିଲେଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ନବୀନ ବାବୁଙ୍କ ସରକାର ଯିବା ଥୟ’ ବୋଲି କହିଦେଇ ଯିବା ପରେ ଏହାକୁ ନେଇ ବିଜେଡି ଏବଂ ବିଜେପି ମଧ୍ୟରେ ତୁ ତୁ ମେ ମେ ଲାଗି ରହିଛି। କିନ୍ତୁ ଯେଉଁ ଶେଷ ପର୍ଯ୍ୟାୟ ନିର୍ବାଚନ ଆସୁଛି, ତାହାହିଁ ନିର୍ଦ୍ଧାରଣ କରିବ ଏହି ଦୁଇ ଦଳ ମଧ୍ୟରୁ କିଏ ଗଢ଼ିବାକୁ ଯାଉଛି ପରବର୍ତ୍ତୀ ସରକାର।

୨୯ ତାରିଖ ଦିନ ଶେଷ ପର୍ଯ୍ୟାୟରେ ୬ଟି ଲୋକସଭା ଏବଂ ୪୧ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଅବଶିଷ୍ଟ ଗୋଟିଏ ଆସନ ପାଇଁ ମଇ ୧୯ ତାରିଖରେ ହେବ ନିର୍ବାଚନ। ଏହି ଆସନଟି ହେଉଛି ପାଟକୁରା। ଏମିତିରେ କେନ୍ଦ୍ରାପଡ଼ା ଲୋକସଭା ଓ ପାଟକୁରା ବିଧାନସଭା ଫଳାଫଳ ଉପରେ ସାରା ରାଜ୍ୟର ନଜର ରହିବ।

କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବୈଜୟନ୍ତ ପଣ୍ଡା। ମାତ୍ର ବର୍ଷକ ତଳେ ସେ ଥିଲେ ବିଜୁ ଜନତା ଦଳରେ। ୧୮ବର୍ଷ କାଳ ବିଜେଡିର ସାଂସଦ ଦାୟିତ୍ୱ ତୁଲାଇ ଥିଲେ। ବୈଜୟନ୍ତ କେନ୍ଦ୍ରାପଡ଼ା ରାଜନୀତିକୁ ଖୁବ ସମ୍ୱେଦନଶୀଳ କରିସାରିଛନ୍ତି। ତାଙ୍କୁ ବରଦାସ୍ତ କରିବା ଅବସ୍ଥାରେ ଖୋଦ ନବୀନ ବାବୁ ନାହାନ୍ତି। ତେଣୁ ବ୍ୟକ୍ତିଗତ ଭାବେ ନବୀନ ଲଗାତାର ବୈଜୟନ୍ତଙ୍କୁ ଆକ୍ଷେପ କରିଚାଲିଛନ୍ତି।

ବିଜୁ ଜନତା ଦଳରେ ଥିବାବେଳେ ବୈଜୟନ୍ତ ଭଲ ଥିଲେ। ବିଜେଡିରୁ ଚାଲିଯିବା ପରେ ଏବେ ସବୁ ଦୁର୍ଗୁଣର ଅଧିକାରୀ ହୋଇଯାଇଛନ୍ତି ବୈଜୟନ୍ତ। କ୍ରମାଗତ ଭାବେ ତାଙ୍କୁ ନବୀନ ଓ ବିଜେଡି ସମାଲୋଚନା କରୁଛନ୍ତି।

ତେବେ ପାଟକୁରା ନବୀନଙ୍କ ପାଇଁ ଆଉ ଏକ ସ୍ପର୍ଶକାତର ଆସନ ହୋଇସାରିଛି। ଏଠାରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ବିଜୟ ମହାପାତ୍ର। ବିଜୟଙ୍କୁ ଯେନତେନ ପ୍ରକାରେଣ ରୋକିବା ପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛି ବିଜୁ ଜନତା ଦଳ। ଏବେ ସାମ୍ନାକୁ ଆସୁଛି ଅସଲ ରହସ୍ୟ, କାହିଁକି ନବୀନ ପାଟକୁରା ଲାଗି ପ୍ରାର୍ଥୀ କରିଥିଲେ ଗୁରୁତର ଅସୁସ୍ଥ ବେଦପ୍ରକାଶ ଅଗ୍ରୱାଲଙ୍କୁ।

ବିଜେଡି ଇତିହାସରେ କୌଣସି ବ୍ୟକ୍ତି ନବୀନ ନିବାସ ନଆସି ମଧ୍ୟ ଟିକଟ ପାଇଛନ୍ତି ପ୍ରଥମ ଥର ପାଇଁ। ମେଡିକାଲରେ ଥିବାବେଳେ ବେଦୁଙ୍କୁ ଟିକଟ ଦେଇଥିଲେ ନବୀନ ତାଙ୍କ ପତ୍ନୀଙ୍କ ହାତରେ। ଏହା ସାଧାରଣତଃ କେବେ ବି ଦେଖାଯାଇ ନାହିଁ।

ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଆଗରୁ ସାଙ୍ଘାତିକ ଅସୁସ୍ଥ ହୋଇ ବେଦୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତଥାପି ଅନ୍ୟ କାହାକୁ ନବାଛି, ତାଙ୍କୁ ହିଁ ପାଟକୁରାରୁ ପ୍ରାର୍ଥୀ କରିଥିଲେ ନବୀନ।

ବେଦପ୍ରକାଶ ଅଳ୍ପ ଦିନର ଅତିଥି ଜାଣି ମଧ୍ୟ ନବୀନ ତାଙ୍କୁ ଟିକଟ ଦେବାର ବଡ଼ କାରଣଟି ଥିଲା, ପାଟକୁରା ନିର୍ବାଚନ ସ୍ଥଗିତ ହୋଇଯାଉ। କେନ୍ଦ୍ରାପଡ଼ା ଲୋକସଭା ଆସନ ଭିତରେ ଥିବା ଅନ୍ୟ ବିଧାନସଭା ଆସନଗୁଡ଼ିକ ସହ ପାଟକୁରାର ନିର୍ବାଚନ ନହେଉ। ଯଦି ବେଦୁଙ୍କ ଦେହାନ୍ତ ହୋଇ ନଥାନ୍ତା, ତେବେ ଆସନ୍ତା ୨୯ ତାରିଖ ଦିନ ପାଟକୁରା ନିର୍ବାଚନ ହୋଇଥାନ୍ତା। ଫଳରେ ବିଜୟଙ୍କ ବିଜୟକୁ ରୋକିବା ଅସମ୍ଭବ ହୋଇଥାନ୍ତା ବିଜୁ ଜନତା ଦଳ ପାଇଁ।

ଯଦି ପରେ ନିର୍ବାଚନ ହେବ, ତେବେ ବିଜେପୁର ଉପନିର୍ବାଚନ ପରି ବାତାବରଣ ତିଆରି କରିପାରିବ ଶାସକ ଦଳ। ନବୀନଙ୍କ ଏହି ଇଚ୍ଛା ଅଧା ପୂରଣ ହୋଇଗଲା ବେଦୁଙ୍କ ଦେହାନ୍ତ କାରଣରୁ। ୨୯ ତାରିଖରେ ନହୋଇ ମେ’ ୧୯ ତାରିଖରେ ହେଉଛି ପାଟକୁରା ନିର୍ବାଚନ। ସେତେବେଳକୁ ଚାରିଆଡେ଼ ନିର୍ବାଚନ ସରିଯାଇଥିବ। ବିଜୟଙ୍କୁ ଘେରିବା ସକାଶେ ବଡ଼ ସୁଯୋଗ ପାଇବ ବିଜୁ ଜନତା ଦଳ।

ପାଟକୁୁରା ନିର୍ବାଚନମଣ୍ଡଳୀରେ ଦୁଇଟି ବ୍ଲକ – ଗରଦପୁର ଓ ଡେରାବିଶ। ଦୁଇ ବ୍ଲକରେ ମୋଟ ପଞ୍ଚାୟତ ସଂଖ୍ୟା ୫୧। ଯେହେତୁ ଅନ୍ୟ ଦିନେ ନିର୍ବାଚନ ହେବ, ସେହେତୁ ଚାରିଆଡ଼ୁ ନେତା ପହଞ୍ଚିବେ ପାଟକୁରାରେ। ଏଥିପାଇଁ ବଡ଼ ଯୋଜନା ପ୍ରସ୍ତୁତ କରିସାରିଲାଣି ବିଜୁ ଜନତା ଦଳ। ବିଧାୟକ, ସାଂସଦ ପ୍ରାର୍ଥୀ ଏବଂ ଅନ୍ୟ ବରିଷ୍ଠ ନେତାଙ୍କର ଏକ ତାଲିକା ପ୍ରସ୍ତୁତ ହୋଇଛି। ପ୍ରତି ପଞ୍ଚାୟତରେ ଦୁଇ ଜଣ ନେତାଙ୍କୁ ଦାୟିତ୍ୱ ଦିଆଯିବ।

ସେଥିପାଇଁ ୧୦୨ ଜଣ ନେତାଙ୍କ ତାଲିକା ଚୂଡ଼ାନ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଗୋଟିଏ ଦିନ ପ୍ରଚାରକୁ ଯିବେ। ଅନେକ ବିଧାୟକ ପ୍ରାର୍ଥୀଙ୍କୁ ମନ୍ତ୍ରୀ ପଦ ଲୋଭ ମଧ୍ୟ ଦିଆଯାଇ ପାରେ। ବିଜେପୁରରେ ଯେଭଳି ଆୟୋଜନ କରିଥିଲା ଶାସକ ଦଳ, ଠିକ ସେହିପରି ଫର୍ମୁଲା ପ୍ରୟୋଗ ସକାଶେ ଚିନ୍ତା କରୁଛି ବିଜେଡି।

ମୋଟାମୋଟି ଭାବେ ଚାରିଆଡ଼ୁ ବିଜୟଙ୍କୁ ଘେରିବା ସକାଶେ ଯୋଜନା ହେଉଛି। କୌଣସିମତେ ସେ ଯେପରି ବିଧାନସଭାକୁ ଆସି ନପାରନ୍ତି, ସେଥିପାଇଁ ନବୀନ ଖୁବ ବ୍ୟସ୍ତ ହୋଇପଡ଼ିଲେଣି। ବେଦୁଙ୍କୁ ଟିକଟ ଦିଆଯିବାର ରହସ୍ୟଟି ଏବେ ସାମ୍ନାକୁ ଆସିଛି।

ପୂର୍ବରୁ ୨୦୦୯ରେ ସେତେବେଳକାର ମାର୍ଗଦର୍ଶକ ପ୍ୟାରୀମୋହନ ମହାପାତ୍ର ବିଜୟଙ୍କୁ କେବେ ବି ବିଧାନସଭା ମାଟି ମାଡ଼ିବାକୁ ଦିଆଯିବ ନାହିଁ ବୋଲି ଘୋଷଣା କରିଥିଲେ। ଏବେ ନବୀନ ସେଭଳି ଘୋଷଣା ନକଲେ ମଧ୍ୟ ଠିକ ସମାନ ଢଙ୍ଗରେ ଆୟୋଜନ କରୁଛନ୍ତି।

ବିଜେପି ଚୁପ ରହିବ କି?

କିଛି ମହଲ ପ୍ରଶ୍ନ ମଧ୍ୟ ଉଠାଇଲେଣି ଯେ, ପୂର୍ବାପେକ୍ଷା ବିଜେପି ଅତ୍ୟନ୍ତ ଶକ୍ତିଶାଳୀ। ଯଦି ବିଜେଡି ପ୍ରତି ପଞ୍ଚାୟତ ପାଇଁ ନିର୍ବାଚନ ପରିଚାଳନା ସକାଶେ ଦୁଇଜଣ ନେତାଙ୍କ ଟିମ ଗଢ଼ିପାରେ, ତେବେ ବିଜେପି କାହିଁକି ପାରିବ ନାହିଁ?

ବିଜେପିର ମଧ୍ୟ ବେଶ ତୁଙ୍ଗ ତୁଙ୍ଗ ନେତା ଅଛନ୍ତି। ଚାହିଁଲେ, କେହି କେନ୍ଦ୍ରୀୟ ନେତା ମଧ୍ୟ ଆସିପାରନ୍ତି ପାଟକୁରା। ବିଜେପୁର ଅଭିଜ୍ଞତାରୁ ବିଜେପି ଯଦି କିଛି ଶିକ୍ଷାଲାଭ କରିଥାଏ, ତେବେ ପାଟକୁରାକୁ କେହି ହାଲୁକା ଭାବେ ନେବେ ନାହିଁ।

ତେବେ ସମସ୍ତଙ୍କ ଅପେକ୍ଷା, ଏଥର ନିର୍ବାଚନରେ ଦଳର ମଙ୍ଗ ଧରିଥିବା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଟକୁରାକୁ ପ୍ରଚାର ପାଇଁ ଯିବେ କି ନାହିଁ?

ବିଜେଡିର ଗୋଟିଏ ମହଲ ପ୍ରଚାର ଆରମ୍ଭ କଲେଣି ଯେ, ବିଜୟ ଓ ଧର୍ମେନ୍ଦ୍ରଙ୍କ ଭିତରେ ରହିଥିବା ବିବାଦ ଆସନ୍ତା ପାଟକୁରା ନିର୍ବାଚନକୁ ମଧ୍ୟ ପ୍ରଭାବିତ କରିବ। ଏଭଳି ପ୍ରଚାର ବିଜେପି କର୍ମୀମାନଙ୍କୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ଉଦ୍ଦିଷ୍ଟ ବୋଲି ଦଳର ନେତାମାନେ କହିଛନ୍ତି। ତେବେ ୨୯ ତାରିଖ ପରେ ପାଟକୁରାକୁ ବିଜେପି ରାଜ୍ୟ ନେତୃତ୍ୱ କିଭଳି ଗୁରୁତ୍ୱ ଦେଉଛି, ତାହା ପ୍ରମାଣିତ କରିବ, କିଏ ଭୁଲ ବା କିଏ ଠିକ।

Leave a Reply

Your email address will not be published. Required fields are marked *