ଉପହାର ପଠାଇପାରିବି, ହେଲେ ଗୋଟିଏ ଭୋଟ ଦେବିନାହିଁ : ମମତା
ନିର୍ବାଚନ ପରିବେଶ ଭିତରେ ବୁଧବାର ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନଖୋଲା ଆଳପ ବେଶ ଚର୍ଚ୍ଚାରେ ରହିଛି। ଏହି ସାକ୍ଷାତକାର ସମୟରେ ମୋଦୀ ନିଜ ଜୀବନର ଅନେକ ଲୁକାୟିତ ବିଷୟକୁ ଉଜାଗର କରିଥିଲେ।

ଏହା ଭିତରେ ଗୋଟିଏ ଥିଲା ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋତେ ପ୍ରତିବର୍ଷ କୁର୍ତ୍ତା ଏବଂ ମିଠାଇ ପଠାଇଥାଆନ୍ତି। ଏବେ ଏହା ଜବାବ ରଖିଛନ୍ତି ମମତା। ହୁଗୁଳି ଜିଲାର ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ନନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ମୁଁ ଲୋକଙ୍କୁ ରସଗୋଲା ପଠାଇଥାଏ। ଦୁର୍ଗାପୂଜା ସମୟରେ ଉପହାର ମଧ୍ୟ ପଠାଇଥାଏ। ଲୋକଙ୍କୁ ଚା’ ମଧ୍ୟ ଅଫର କରେ। ହେଲେ ଗୋଟିଏ ଭୋଟ (ସେମାନଙ୍କୁ) ଦେବି ନାହିଁ। ସେ ସ୍ପଷ୍ଟ କରିଥିଲେ ଯେ, ଉପହାର ପଠାଇଲେ ମଧ୍ୟ ଗୋଟିଏ ଭୋଟ ଯେପରି ତାକୁ ନମିଳିବ ସେଥିପ୍ରତି ଦୃଷ୍ଟି ଦେଉଛି।
ଏହି ସଭାରେ ମମତା ମୋଦୀଙ୍କୁ ହରାଇବା ପାଇଁ ଲୋକଙ୍କୁ ଅନୁରୋଧ କରି କହିଥିଲେ ଯେ, ଯଦି ଆପଣ ଦେଶ ଏବଂ ସମ୍ୱିଧାନକୁ ବଞ୍ଚାଇବା ପାଇଁ ଚାହୁଁଛନ୍ତି ତେବେ ସେମାନଙ୍କୁ ଉପାଡି ଫିଙ୍ଗନ୍ତୁ।