ଗୀତା ମ।।ହାତ୍ମ୍ୟ-୩୪: କର୍ମଫଳରୁ ଆଶା ତ୍ୟାଗ-ଇଶ୍ୱରପ୍ରାପ୍ତିର ସୁଗମ ମାର୍ଗ

ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କର ସାକାର ତଥା ଶାନ୍ତ ଚତୁର୍ଭୁଜରୂପ ଦର୍ଶନ କରିବା ପରେ ଅଧିକ ଜିଜ୍ଞାସୁ ହୋଇ ଭଗବାନଙ୍କୁ ପଚାରିଥିଲେ ଯେଉଁ ଭକ୍ତମାନେ ଆପଣଙ୍କ ସଗୁଣରୂପ(ସାକାରରୂପ)କୁ ନିରନ୍ତର ଭଜନ କରନ୍ତି ଓ ଯେଉଁମାନେ କେବଳ ଆପଣଙ୍କ ନିରାକାର ବ୍ରହ୍ମଙ୍କୁ ଶ୍ରେଷ୍ଠ ବିବେଚନା କରି ଭଜନ କରନ୍ତି, ସେମାନଙ୍କ ମଧ୍ୟରେ ଉତ୍ତମ କେଉଁମାନେ? ଅର୍ଜୁନଙ୍କ ଏହି ପ୍ରଶ୍ନ ଶୁଣିବା ପରେ ଭଗବାନ କହିଥିଲେ ଯେଉଁ ଭକ୍ତମାନେ ଶ୍ରଦ୍ଧାର ସହିତ ନିରନ୍ତର ମୋର ବା ଇଶ୍ୱରଙ୍କର ଭଜନ ଧ୍ୟାନରେ ଲାଗି ରହି ମୋ ସଗୁଣରୂପ(ସାକାରରୂପ)କୁ ଉପାସନା କରନ୍ତି ସେମାନେ ଅଧିକ ଉତ୍ତମ ।

କିନ୍ତୁ ଯେଉଁ ଭକ୍ତମାନେ ନିଜ ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରି ଧ୍ୟାନରତ ହୋଇ ଭଗବାନଙ୍କ ନିରାକାରରୂପକୁ ନିରନ୍ତର ଭଜନ କରିବା ସହିତ ସମସ୍ତ ପ୍ରାଣୀଙ୍କର ମଙ୍ଗଳ କାମନା କରନ୍ତି ସେହି ଯୋଗୀମାନେ ମୋତେ ବା ଇଶ୍ୱରଙ୍କୁ ପ୍ରାପ୍ତ ହୁଅନ୍ତି । ନିରାକାର ପରମବ୍ରହ୍ମଙ୍କୁ ଉପାସନା କରିବା ଆସକ୍ତିଚିତ ପୁରୁଷଙ୍କ ପକ୍ଷରେ କଷ୍ଟସାଧ୍ୟ ହୋଇଥାଏ । ହେଲେ ଇଶ୍ୱର ପରାୟଣ ହୋଇଥିବା ଭକ୍ତମାନେ ତାଙ୍କର ସମସ୍ତ କର୍ମ ଇଶ୍ୱରଙ୍କ ଠାରେ ଅର୍ପଣ କରି ଇଶ୍ୱରଙ୍କ ସଗୁଣ ବା ସକାର ରୂପକୁ ଉପାସନା କରିବା ସହିତ ଭଜନ କରନ୍ତି । ତେଣୁ ପ୍ରେମର ସହିତ ମୋ ଠାରେ ସମର୍ପିତ ହୋଇଥିବା ଭକ୍ତମାନଙ୍କୁ ମୁଁ ଶୀଘ୍ର ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତି ପ୍ରଦାନ କରିଥାଏ ।

ଅତଏବ, ହେ ଅର୍ଜୁନ! ତୁମେ ମୋଠାରେ ତୁମ ମନ, ବୁଦ୍ଧି ଲଗାଇଲେ ମୋ ଠାରେ ନିବାସ କରିବ । ମୋ ଠାରେ ଦୃଢଭାବେ ଚିତ୍ତ ନିବେଶ କରି ନପାରିଲେ ଯୋଗାଭ୍ୟାସ ଦ୍ୱାରା ମୋତେ ପାଇ ପାରିବ । ଯେଉଁ ପୁରୁଷମାନେ ଯୋଗାଭ୍ୟାସ କରିବାରେ ଅସମର୍ଥ ସେମାନେ ଇଶ୍ୱରଙ୍କ ପାଇଁ କର୍ମ କରି ପାରାୟଣ ହୋଇପାରିବେ । ଏପରି ଭାବେ କର୍ମ କରୁ କରୁ ସିଦ୍ଧି ଲାଭ ହୋଇଥାଏ । ଇଶ୍ୱରଙ୍କ ଉଦ୍ଦେଶ୍ୟରେ କର୍ମ କରି ନପାରିଲେ ଆତ୍ମସଂଯମ ରକ୍ଷା କରି କର୍ମଫଳ ଆଶା ତ୍ୟାଗ କରି କର୍ମ କରିପାରିଲେ ମଧ୍ୟ ଇଶ୍ୱରପ୍ରାପ୍ତି ହୋଇପାରିଥାଏ ବୋଲି ଭଗବାନ ଅର୍ଜୁନଙ୍କୁ ବୁଝାଇଛନ୍ତି ।
ଏଥିସହ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଇଶ୍ୱର ପ୍ରାପ୍ତିର ଅନ୍ୟ ମାର୍ଗ ବତାଇବାକୁ ଯାଇ କହିଛନ୍ତି,

ଶ୍ରେୟୋ ହି ଜ୍ଞାନମଭ୍ୟାସାତ୍ ଜ୍ଞାନାଦ୍ଧ୍ୟାନଂ ବିଶିଷ୍ୟତେ ।
ଧ୍ୟାନାତ୍ କର୍ମଫଳ ତ୍ୟାଗସ୍ତ୍ୟାଗାଚ୍ଛାନ୍ତିରନନ୍ତରମ୍ । ।

ଅର୍ଥାତ୍ ମର୍ମ ଜାଣି କରାଯାଉଥିବା ଯୋଗାଭ୍ୟାସ ଅପେକ୍ଷା ଇଶ୍ୱରଙ୍କ ସମ୍ପର୍କରେ ଜ୍ଞାନ(ପରୋକ୍ଷ ଜ୍ଞାନ) ଆହରଣ ଶ୍ରେଷ୍ଠ । ଜ୍ଞାନଠାରୁ ଇଶ୍ୱରଙ୍କ ସ୍ୱରୂପର ଧ୍ୟାନ କରିବା ଶ୍ରେୟସ୍କର ଓ ଧ୍ୟାନ ଅପେକ୍ଷା ସବୁ କର୍ମରୁ ଫଳ ଆଶା ତ୍ୟାଗ କରିବା ସର୍ବଶ୍ରେଷ୍ଠ ଅଟେ । କାରଣ ତ୍ୟାଗ ଦ୍ୱାରା ତକ୍ରାଳ ପରମ ଶାନ୍ତି ଲାଭ ହୋଇଥାଏ ।

ତେଣୁ କର୍ମଫଳରୁ ଆଶା ତ୍ୟାଗ କରିପାରିଲେ ଇଶ୍ୱରପ୍ରାପ୍ତିର ମାର୍ଗ ସୁଗମ ହୋଇଥାଏ ବୋଲି ମଧ୍ୟ ଭଗବାନ ଭକ୍ତି ଯୋଗ ମାଧ୍ୟମରେ ଅର୍ଜୁନଙ୍କୁ ବୁଝାଇଛନ୍ତି ।

Leave a Reply

Your email address will not be published. Required fields are marked *