ସଚିନଙ୍କ ଜନ୍ମଦିନରେ ରିଲିଜ୍ ହେଲା ‘ଗଡ୍ ଅଫ୍ କ୍ରିକେଟ୍’ର ପୋଷ୍ଟର୍
ଇଣ୍ଡିଆନ୍ କ୍ରିକେଟ୍ ଟିମର ଭଗବାନ ବୋଲାଉଥିବା ସଚିନ୍ ତେନ୍ଦୁଲକରଙ୍କ ଜନ୍ମଦିନ ଏପ୍ରିଲ୍ ୨୪ ତାରିଖରେ ତାଙ୍କର ବାୟୋପିକ୍ ‘ଗଡ୍ ଅଫ୍ କ୍ରିକେଟ୍’ର ଫାଷ୍ଟ୍ ପୋଷ୍ଟର୍ ରିଲିଜ୍ କରାଯାଇଛି । ଏହି ବାୟୋପିକର ନିର୍ଦ୍ଦେଶନା ଦେଇଛନ୍ତି ସୁଦେଶ୍ କନୌଜିୟା । ଫିଲ୍ମ ସମ୍ପର୍କିତ କିଛି ସୂଚନା ପ୍ରଦାନ ପୂର୍ବକ ଟ୍ରେଡ୍ ଆନାଲିଷ୍ଟ୍ କୋମଲ ନାହଟା ଟ୍ୱିଟ୍ କରିଛନ୍ତି ଯେ – ୟେଲୋଷ୍ଟୋନ୍ ଷ୍ଟୁଡିଓ ଓ ପିଜେ ମୋସନ୍ ଫିଲ୍ମ ଏହାକୁ ପ୍ରସ୍ତୁତ କରିଛନ୍ତି । ଏହି ଫିଲ୍ମରେ ସଚିନ୍ ଅତିଥି ଭୂମିକାରେ ନଜର ଆସିବେ । ସଚିନ୍ଙ୍କ ଏହି ବାୟୋପିକର ପୋଷ୍ଟର୍ ତାଙ୍କର ଅଗଣିତ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଛି ଏବଂ ସେମାନେ ଏହାର ମୁକ୍ତିଲାଭ ତାରିଖକୁ ଉତ୍କଣ୍ଠାର ସହ ଅପେକ୍ଷା କରୁଛନ୍ତି ।
ଏହି ପୋଷ୍ଟର୍ ଅମୀର୍ ଖାନଙ୍କୁ ମଧ୍ୟ ଖୁବ୍ ପସନ୍ଦ ହୋଇଛି । ପୋଷ୍ଟର୍ ଦେଖିବା ପରେ ଅଭିନେତା ଅମୀର୍ ଖାନ୍ ସଚିନଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବା ସହ ଏକ ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଫଟୋ ସେୟାର୍ କରିଛନ୍ତି,ଯେଉଁଥିରେ ଅମୀର୍ ଓ ସଚିନ୍ ଏକ ଷ୍ଟେଜ୍ ଉପରେ ଅଛନ୍ତି । କହିରଖୁଛୁ ୨ ବର୍ଷ ତଳେ ସଚିନଙ୍କ ଜୀବନୀକୁ ନେଇ ଏକ ଡକ୍ୟୁମେଣ୍ଟାରୀ ଡ୍ରାମା ରିଲିଜ୍ ହୋଇଥିଲା । ଏହାର ନାଁ ଥିଲା – ‘ଏ ବିଲିୟନ୍ ଡ୍ରିମସ୍’ । ଏହାର ନିର୍ଦ୍ଦେଶନା ଦେଇଥିଲେ ଜେମସ ଏସ୍କ୍ରିନ୍ । ଏହା ଏକାସାଙ୍ଗରେ ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ମୁକ୍ତିଲାଭ କରିଥିଲା । ଏଥିରେ ସଚିନଙ୍କ କ୍ରିକେଟ୍ ସଂଘର୍ଷ ସହିତ ବ୍ୟକ୍ତିଗତ ଜୀବନର କିଛି ଦିଗ ଉପରେ ଆଲୋକପାତ କରାଯାଇଥିଲା ।