ବଲିଉଡ୍ ଡେବ୍ୟୁ କରିବେ ଖୁସି, ହିରୋ ବାଛିବେ ବୋନି କପୁର୍
ଶ୍ରୀଦେବୀଙ୍କ ଦ୍ୱିତୀୟ ଝିଅ ଖୁସି କପୁର୍ ଖୁବ୍ ଶୀଘ୍ର ବଲିଉଡ୍ ଡେବ୍ୟୁ କରିବାକୁ ଯାଉଛନ୍ତି । କରଣ ଜୋହର୍ ତାଙ୍କର ଆଗାମୀ ପ୍ରୋଜେକ୍ଟରେ ଖୁସିଙ୍କୁ ସାଇନ୍ କରିବେ ବୋଲି ଶୁଣାଯାଉଛି । ଖୁସିଙ୍କ ଡେବ୍ୟୁ ଫିଲ୍ମରେ କିଏ ହିରୋ ହେବେ, ତାହା କେବଳ ବୋନି କପୁର୍ ହିଁ ନିଷ୍ପତ୍ତି ନେବେ । ଏ କଥା ଖୁସି ନିଜେ କହିଛନ୍ତି । ଅଭିନେତ୍ରୀ ନେହା ଧୁପିଆଙ୍କ ସେଲିବ୍ରିଟି ଟକ୍ ଶୋ’ରେ ଖୁସି ତାଙ୍କ ପର୍ସନାଲ୍ ଲାଇଫର ଅନେକ କଥା ସେୟାର୍ କରିଥିଲେ । ଖୁସି କହିଥିଲେ ଯେ – ସେ ଘରେ ସବୁଠାରୁ ଛୋଟ ଥିବାରୁ ତାଙ୍କୁ ନେଇ ବାପା ସବୁବେଳେ ଚିନ୍ତିତ ଥାନ୍ତି । ଏମିତିକି ଖୁସିଙ୍କ ପାଇଁ ସବୁବେଳେ ର୍କଫ୍ୟୁର ମାହୋଲ୍ ଥାଏ । ସେ କୁଆଡ଼େ ଯାଉଛନ୍ତି, କାହା ସହିତ ଯାଉଛନ୍ତି, କେତେ ସମୟ ବାହାରେ ରହିବେ, କ’ଣ ପାଇଁ ବାହାରକୁ ଯିବେ, ସେସବୁ ଖବର ବୋନି କପୁର୍ ରଖିଥାନ୍ତି । ଥରେ ଖୁସି ତାଙ୍କର ଜଣେ ସାଙ୍ଗ ସହିତ ଅଛନ୍ତି ବୋଲି ଶୁଣିବାରୁ ବୋନି କପୁର୍ ସେହି ସାଙ୍ଗକୁ ମେସେଜ୍ କରି ଏକ ସେଲଫି ପଠାଇବା ପାଇଁ କହିଥିଲେ । ତେଣୁ ଖୁସିକୁ ନେଇ ଅଧିକ ପ୍ରୋଟେକ୍ଟିଭ୍ ଥିବାରୁ ଖୁସିଙ୍କର ଡେବ୍ୟୁ ଫିଲ୍ମର ହିରୋ କିଏ ହେବ, ସେ ନିଷ୍ପତ୍ତି ମଧ୍ୟ ବୋନି କପୁର୍ ହିଁ ନେବେ । ଜାହ୍ନବୀଙ୍କ ଭଳି ଖୁସିଙ୍କ ଅଭିନୟ କ୍ୟାରିୟର୍ ମଧ୍ୟ ସଫଳ ହେବ ବୋଲି ପରିବାରର ସମସ୍ତ ସଦସ୍ୟ ଆଶା ବାନ୍ଧିଛନ୍ତି ।