ଆନ୍ଧ୍ରପ୍ରଦେଶ ପୁଲିସ୍ଙ୍କ ହାତରେ ପିପିଲିର ସୁରକ୍ଷା
ପିପିଲିର ସୁରକ୍ଷା ଏବେ ଆନ୍ଧ୍ରପ୍ରଦେଶ ପୁଲିସ୍ଙ୍କ ହାତରେ । ନିର୍ବାଚନ ପ୍ରଚାର ଶେଷ ରାତିରେ ଫ୍ଲାଇଂ ସ୍କ୍ୱାଡ୍ ଓ ଏସ୍ଏସ୍ଟି ଟିମ୍ର ସଦସ୍ୟଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ପିପିଲିର ବିଧାୟକ ପ୍ରଦୀପ ମହାରଥୀଙ୍କୁ ପୁଲିସ୍ ଗିରଫ କରିବା ପୂର୍ବରୁ ଗଣ୍ଡଗୋଳିଆ ପରିସ୍ଥିତିର ଆଶଙ୍କା କରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ।
ପିପିଲି ଥାନା ତଥା ସମଗ୍ର ଅଞ୍ଚଳର ସୁରକ୍ଷାପାଇଁ ବ୍ୟାପକ ପୁଲିସ୍ ବନ୍ଦୋବସ୍ତ ହୋଇଥିଲେ ମଧ୍ୟ ଆଜି ଆନ୍ଧ୍ରପ୍ରଦେଶ ପୁଲିସ୍ ବାହିନୀର ବହୁ ତାଗଡା ଜବାନଙ୍କୁ ଏଠାରେ ମୁତୟନ କରାଯାଇଛି । ମହାରଥୀ ଏବେ ବିଧାନସଭା ନିର୍ବାଚନ ଲଢୁଛନ୍ତି । ତାଙ୍କୁ ଗିରଫ କରାଯିବାପରେ ତାଙ୍କ ସମର୍ଥକମାନେ କାଳେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟିକରିବେ ତାହାକୁ ଆଖିଆଗରେ ରଖି ପୁଲିସ୍ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିଛି ।
ପୁରୀ ଏସ୍ପି ଉମାଶଙ୍କର ମିଶ୍ର କହିଛନ୍ତି ଯେ ଆପାତତଃ ପ୍ରମାଣଯୋଗ୍ୟ ତଥ୍ୟ ମିଳିବାପରେ ମହାରଥୀଙ୍କୁ ଗିରଫ କରାଯିବା ସହିତ ତାଙ୍କ ଗାଡିକୁ ବି ଜବତ କରାଯାଇଛି । ପୂର୍ବରୁ ତାଙ୍କର ଅନ୍ୟଜଣେ ସମର୍ଥକଙ୍କୁ ପୁଲିସ୍ ଉଠାଇ ଆଣିଥିଲା । ପୁରୀ ଏସ୍ପି ପୁଣି କହିଛନ୍ତି ଯେ ଏହି ଆକ୍ରମଣ ଘଟଣାରେ ଅନ୍ୟ ଯେଉଁମାନେ ସଂଶ୍ଳିଷ୍ଟ ସେମାନଙ୍କୁ ମଧ୍ୟ ଖୁବ୍ଶୀଘ୍ର ଗିରଫ କରାଯିବ । ତେବେ ଏହି ଘଟଣାରେ କେଉଁମାନେ ସଂଶ୍ଳିଷ୍ଟ ଓ କାହାକୁ ଗିରଫ କରାଯିବ ସେମାନଙ୍କ ନାମ ପ୍ରକାଶ କରିବାକୁ ଏସ୍ପି ମନାକରି ଦେଇଛନ୍ତି ।
ପୁରୀ ଏସ୍ପିଙ୍କ ଏହି ସୂଚନା ପରେ ପିପିଲି ଡେଲାଙ୍ଗ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ସମ୍ଭାବ୍ୟ ଗିରଫଦାରୀ ଭୟରେ ମହାରଥୀଙ୍କ କେତେକ ସମର୍ଥକ ଆତ୍ମଗୋପନ କରିଛନ୍ତି । ନିର୍ବାଚନବେଳେ ମହାରଥୀଙ୍କ ଗିରଫଦାରୀ ପ୍ରସଙ୍ଗ ନେଇ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ତାହାକୁ ଆଖିଆଗରେ ରଖି ପିପିଲି ନିର୍ବାଚନ ମଣ୍ଡଳୀର ସବୁ ବୁଥ୍ରେ କଡା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ତନଖି ବ୍ୟବସ୍ଥାକୁ ମଧ୍ୟ ଜୋରଦାର କରାଯାଇଛି ।
ଦ୍ୱୈତନଗରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଆସନ୍ତା କାଲି ମତଦାନ ହେବାକୁ ଥିବା ଦ୍ୱୈତନଗରୀ ଭୁବନେଶ୍ୱର-କଟକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଯେକୌଣସି ପ୍ରକାର ଅଘଟଣକୁ ଏଡାଇବାପାଇଁ ଦୁଇ ସହରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପୁଲିସ୍ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି ।
ଦ୍ୱୈତନଗରୀରେ ମୋଟ୍ ୧୧୫୬ଟି ମତଦାନ କେନ୍ଦ୍ର ଥିବାବେଳେ ଏଥି ମଧ୍ୟରେ ୩୮୩ଟି ସମ୍ବେଦନଶୀଳ ବୋଲି ଚିହ୍ନଟ ହୋଇଛି । ତେଣୁ ଏହିସବୁ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଭୁବନେଶ୍ୱରରେ ମୋଟ୍ ୩୦ ପ୍ଲାଟୁନ ସୁରକ୍ଷାକର୍ମୀ ସହିତ ୬ କମ୍ପାନୀ ଅର୍ଧସାମରିକ ବାହିନୀଙ୍କୁ ମୁତୟନ କରାଯାଇଛି । ଏଥି ସହିତ ୨୦୦ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ ଦ୍ୱୈତନଗରୀରେ ମୁତୟନ କରାଯାଇଛି ।
ମତଦାନ କେନ୍ଦ୍ର ଗୁଡିକରେ ଆଇନ୍ଶୃଙ୍ଖଳା ରକ୍ଷା ଓ ତକ୍ରାଳ ସହାୟତା ପାଇଁ ୫୦ଟି ପାଟ୍ରୋଲିଂ ଗାଡି ବୁଲିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ପୁଲସ୍ର ଫ୍ଲଗମାର୍ଚ୍ଚ କରିବା ଦେଖିବାକୁ ମିଳିଛି । ସେହିଭଭଳି କଟକରେ ୧୫ ପ୍ଲାଟୁନ ସୁରକ୍ଷାବଳ ଓ ୫ କମ୍ପାନୀ ଅର୍ଧସାମରିକବଳଙ୍କୁ ମତୟନ କରାଯାଇଛି ।
ଗତକାଲି ରାଜଧାନୀରେ କେନ୍ଦ୍ରୀୟ ଭୁବନେଶ୍ୱର ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଉପରେ ବୋମାମାଡ ପରେ ପୁଲିସ୍ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିଛି । ଏହି ଦୁଇ ପ୍ରାର୍ଥୀଙ୍କୁ ଇତି ମଧ୍ୟରେ ଏସ୍କର୍ଟ ଯୋଗାଇ ଦିଆଯାଇଥିବା କମିଶନରେଟ ପୁଲିସ୍ କହିଛି । ତେବେ ଆକ୍ରମଣରେ ସମ୍ପୃକ୍ତ କୌଣସି ବ୍ୟକ୍ତିଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ।