ଫାଷ୍ଟଟ୍ୟାଗ୍‍ ଲଗାଇଥିବା ହିତାଧିକାରୀ ହଟହଟା

କେନ୍ଦ୍ର ସରକାର ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ୱ ଦେବା ସହିତ ଫାଷ୍ଟଟ୍ୟାଗ ବ୍ୟବସ୍ଥା ପ୍ରଚଳନ କରିଛନ୍ତି । ଚାରି ଚକିଆ ଯାନରେ ଫାଷ୍ଟଟ୍ୟାଗ୍‍ ଲଗାଇଥିବା ଅନେକ ହିତାଧିକାରୀ ଏବେ ହଟହଟା ହେଉଛନ୍ତି। ବିଶେଷକରି ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ଟୋଲ୍‍ଗେଟରେ ଫାଷ୍ଟଟ୍ୟାଗ ବ୍ୟବସ୍ଥା କାର୍ଯ୍ୟକାରୀ ନହେବାରୁ ଅସନ୍ତୋଷ ବଢିବାରେ ଲାଗିଛି। ବିଭନ୍ନ ଟୋଲ ଗେଟ୍‍ରେ ସ୍ୱୟଂକ୍ରିୟ ଭାବେ ଅର୍ଥ ପଇଠ ସହିତ ବିନା ବାଧାରେ କିଭଳି ଗାଡି ଗୁଡିକ ଯା ଆସ କରିପାରିବ ସେଥିପାଇଁ କେନ୍ଦ୍ର ସରକାର ଏହା କାର୍ଯ୍ୟକାରୀ କରୁଛନ୍ତି ।

କେନ୍ଦ୍ରୀୟ ନିୟମ ଅନୁଯାୟୀ ଯେଉଁମାନେ ନୂଆ ଗାଡି ଖରିଦ କରୁଛନ୍ତି ସେମାନଙ୍କ ଲାଗି ଫାଷ୍ଟଟ୍ୟାଗ ବାଧ୍ୟମତାମୂଳକ ହୋଇଛି । ଲୋକେ ଗାଡିର ସମସ୍ତ ଟିକସ ସହିତ ଅଧିକ ୬୦୦ ଟଙ୍କା ଦେଇ ଟ୍ୟାଗ ଖରିଦ କରୁଛନ୍ତି ।

ଏହି ଫାଷ୍ଟଟ୍ୟାଗରେ ଟଙ୍କା ଥିଲେ ମଧ୍ୟ ପିପିଲି ଟୋଲ ଗେଟ୍‍ରେ ସେଗୁଡିକ କାର୍ଯ୍ୟ କରୁନାହିଁ । ଟୋଲଗେଟ କର୍ତ୍ତୃପକ୍ଷଙ୍କର ଏହି ଲାଇସେନ୍ସ ସମାପ୍ତ ହୋଇଥିବାରୁ ସେ ଆଉ ଏହାର ପ୍ରଚଳନ କରୁନଥିବାବେଳେ ଜାତୀୟ ରାଜପଥ ମନ୍ତ୍ରାଳୟ ବି ଏ ନେଇ ଏକ ପ୍ରକାର ନିରବ ଅଛନ୍ତି । ଫଳରେ ଯେଉଁମାନଙ୍କ ଫାଷ୍ଟଟ୍ୟାଗରେ ଅର୍ଥ ରହିଛି ସେମାନେ ଟୋଲ ଗେଟ୍‍ରେ ଧାଡିରେ ରହି ନଗଦ ଅର୍ଥ ଦେଇ ଯାଉଛନ୍ତି ।

ସୂଚନା ଅନୁଯାୟୀ ରାଜ୍ୟ ମଧ୍ୟରେ ଥିବା ଜାତୀୟ ରାଜପଥ ଗୁଡିକରେ ୧୧ଟି ଟୋଲଗେଟ୍‍ ଥିବାବେଳେ ଏଥି ମଧ୍ୟରୁ କେବଳ ପିପିଲି ଟୋଲ୍‍ ଗେଟ୍‍ରେ ଏହା କାର୍ଯ୍ୟ କରୁନାହିଁ । ଯେହେତୁ କଟକ, ଭୁବନେଶ୍ୱର, ପୁରୀର ବହୁ ଲୋକେ ଓ ପର୍ଯ୍ୟଟକ ଏହି ଟୋଲଗେଟ୍‍ ଦେଇ ଯା ଆସ କରୁଛନ୍ତି ତେଣୁ ସେଠାରେ ଫାଷ୍ଟଟ୍ୟାଗ କାମ ନକରିବା ଏବେ ଅସନ୍ତୋଷ ବଢାଇବାରେ ଲାଗିଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଫାଷ୍ଟଟ୍ୟାଗ ମାଧ୍ୟମରେ ପଇଠ ହେଉଥିବା ଅର୍ଥ ସିଧାସଳଖ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟକୁ ଯାଉଥିବାରୁ ଟୋଲଗେଟ୍‍ ଗୁଡିକ ଏଥିପ୍ରତି ଆଗ୍ରହ ପ୍ରକଟ କରୁନାହାନ୍ତି ।

ସେହିଭଳି ରାଜ୍ୟ ସରକାରଙ୍କ ଅଧିନରେ ଥିବା କୌଣସି ଟୋଲଗେଟ୍‍ରେ ମଧ୍ୟ ଫାଷ୍ଟଟ୍ୟାଗ କାର୍ଯ୍ୟକାରୀ ହୋଇନାହିଁ । ଗାଡିଚାଳକମାନେ ଏବେ ବି ନଗଦ ଅର୍ଥ ପଇଠ କରି ଯାଉଛନ୍ତି ।

ଦେଶର ବହୁ ରାଜ୍ୟରେ ଟୋଲଗେଟ୍‍ ଗୁଡିକରେ ଫାଷ୍ଟଟ୍ୟାଗ କାର୍ଯ୍ୟ କରୁଥିବାବେଳେ ବାଧ୍ୟତାମୂଳକ ଭାବେ ଏହାକୁ ଗାଡିରେ ଲଗାଇଥିବା ଲୋକେ କିନ୍ତୁ ରାଜ୍ୟର ଟୋଲଗେଟ ଗୁଡିକରେ ତାହାର ଫାଇଦା ପାଇପାରୁ ନାହାନ୍ତି ।

କେବଳ ଟୋଲଗେଟ୍‍ ନୁହେଁ ଅନ୍ୟ ରାଜ୍ୟରେ ତେଲଟାଙ୍କି ଗୁଡିକରେ ଫାଷ୍ଟଟ୍ୟାଗ କାର୍ଯ୍ୟକାରୀ ହୋଇଛି । ସେଠାରେ ଲୋକେ ନଗଦ କିମ୍ବା ଅନ୍ୟାନ୍ୟ ବ୍ୟବସ୍ଥାରେ ଅର୍ଥ ପଇଠ ପାଇଁ ଗାଡିରୁ ଓହ୍ଲାଇବାକୁ ପଡୁନାହିଁ । ହେଲେ ରାଜ୍ୟର କୌଣସି ତେଲଟାଙ୍କିରେ ଏହା କାର୍ଯ୍ୟକାରୀ ହୋଇନାହିଁ ।

ତେଣୁ ଚାରିଚକିଆ ଯାନ କିଣୁଥିବା ଗ୍ରାହକମାନଙ୍କୁ ଯେଭଳି ବାଧ୍ୟତାମୂଳକ ଭାବେ ଫାଷ୍ଟଟ୍ୟାଗ ଧରାଉଛନ୍ତି ଅନୁରୂପ ଭାବେ ତାହା କିଭଳି ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେବ ସେଥିଲାଗି ବ୍ୟବସ୍ଥା କରିବାକୁ ଦାବି ହେଉଛି ।  

Leave a Reply

Your email address will not be published. Required fields are marked *