ମହାରଥୀଙ୍କ ଫାର୍ମ ହାଉସରେ ଫ୍ଲାଇଂ ସ୍କ୍ୱାଡ୍ ମାଜିଷ୍ଟ୍ରେଟ ଓ ଏସ୍ଏସ୍ଟିକୁ ଆକ୍ରମଣ
ମାଜିଷ୍ଟ୍ରେଟ୍ଙ୍କ ସହ ୩ ଆହତ
ରାତି ପାହିଲେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ପୁଣି ଥରେ ଶାସନ ଗାଦିରେ ବସିବାକୁ ଶାସକ ଦଳ ବିଜେଡ଼ି ଅର୍ଥ ଓ ବାହୁବଳକୁ ପ୍ରୟୋଗ କରିବାକୁ ଉଦ୍ୟମ କରୁଛି । ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଉଛନ୍ତି । ଏହା ସହିତ ମତଦାତାଙ୍କୁ ଆକୃଷ୍ଟ କରିବାକୁ ମଦ, ମାଂସ ଓ ଟଙ୍କା ବାଣ୍ଟୁଛନ୍ତି ବିଜେଡ଼ି ନେତା । ତେବେ ଚଢ଼ଉ କରିବାକୁ ଯାଇଥିବାବେଳେ ଫ୍ଲାଇଂ ସ୍କ୍ୱାର୍ଡ ଟିମ୍ ଓ ଏସ୍ଏସ୍ଟି ଟିମ୍ ଉକରକୁ ଆକ୍ରମଣ କରୁଛନ୍ତି ପ୍ରାର୍ଥୀ । ଏଭଳି ଅଭିଯୋଗ ଆସିଛି ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ନାଁରେ । ଆକ୍ରମଣରେ ମାଜିଷ୍ଟ୍ରେଟ୍, ପୋଲିସ ଏଏସ୍ଆଇଙ୍କ ସମେତ ଗାଡ଼ି ଡ୍ରାଇଭର ଆହତ ହୋଇଥିବା ସୂଚନା ମିଳିଛି ।
ଗତକାଲି ରାତିରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁରସ୍ଥିତ ଫାର୍ମ ହାଉସ୍ରେ ମଦ ଓ ଟଙ୍କା ବଣ୍ଟାଯାଉଥିବା ଖବର ପାଇ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସେଠାକୁ ଚଢାଉ କରିବାକୁ ଯାଇଥିଲା । ସେହି ସମୟରେ ନିଜେ ପ୍ରଦୀପ ମହାରଥୀ, ଫାର୍ମ ହାଉସ୍ ଭିତରେ ପଶି ଟିମ୍ ସଦସ୍ୟମାନଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ରବି ନାରାୟଣ ଅଭିଯୋଗ କରିଛନ୍ତି ।
ଏଥିରେ ସେ ନିଜେ ଆହତ ହେବା ସହ ASI ବିନୟ କୁମାର ଦାସ ଓ ତାଙ୍କ ଡ୍ରାଇଭର ଦୀପକ ଆହତ ହୋଇଥିବା କହିଛନ୍ତି । ସେହିପରି ଫ୍ଲାଇଂ ସ୍କ୍ୱାର୍ଡ଼ କ୍ୟାମେରାମ୍ୟାନଙ୍କୁ ମଧ୍ୟ ଆକ୍ରମଣ ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ କ୍ୟାମେରା ଭାଙ୍ଗିଦେଇଥିବା ସୂଚନା ମିଳିଛି।ଆହତ ମାଜିଷ୍ଟ୍ରେଟ୍ଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ମାଜିଷ୍ଟ୍ରେଟଙ୍କ ଆକ୍ରମଣ ଘଟଣାରେ ପୁରୀ ଏସ୍ପି ଉମାଶଙ୍କର ଦାସ କହିଛନ୍ତି, ନିର୍ବାଚନ ପରିଚାଳନାରେ ବାଧା ସୃଷ୍ଟି କରିବାକୁ ଉଦ୍ୟମ ହୋଇଛି। କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି, ଘଟଣାର ତଦନ୍ତ କରାଯାଉଛି।
ଆହତ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ର କହିଛନ୍ତି, ଆଇଆଇସିଙ୍କ ନିର୍ଦ୍ଦେଶରେ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସ୍ ପାଖକୁ ଯାଇଥିଲୁ। ସେଠାରେ ମଦ ଓ ଟଙ୍କା ବଣ୍ଟା ହେଉଥିବା ସୂଚନା ଥିଲା। ପହଞ୍ଚୁ ପହଞ୍ଚୁ ମୁଁ ଓ ମୋର SST(ସ୍ପେଶାଲ ସିକ୍ୟୁରିଟି ଟିମ୍) ଟିମକୁ ଫାର୍ମ ହାଉସ ଭିତରେ ପ୍ରଦୀପ ମହାରଥୀ ଗୋଡ଼ାଇ ପିଟିଥିଲେ। ଏଥିରେ ASI ବିନୟ କୁମାର ଦାସ ଆହତ ହୋଇଛନ୍ତି। ମୋର ଡ୍ରାଇଭର ଦୀପକ ମଧ୍ୟ ଆହତ ହୋଇଛନ୍ତି। ମଦ ଓ ଟଙ୍କା ବଣ୍ଟା ରୋକିବାକୁ ଯାଇ ଏହି ଅବସ୍ଥା ହୋଇଛି।
ସେ ଆହୁରି କହିଛନ୍ତି, ମୋର ଅଣ୍ଟାରେ ଆଘାତ ଲାଗିଛି, ଗୋଡ଼ ଲଗାଇ ପାରୁନି। ଭୟରେ ଗୋଟିଏ ଗାଡ଼ିରେ ୧୫ ଜଣ ପଳାଇ ଆସିଲୁ। ଆଉ ଗୋଟିଏ ଗାଡ଼ି ଫାର୍ମ ହାଉସ୍ ଭିତରେ ରହିଛି।