ଏକକ ସିଲାବସ୍‌ ଲାଗୁ ନେଇ ଅନିଶ୍ଚିତତା, ୨୬ରେ କୁଳପତି ସମ୍ମିଳନୀ

ଭୁବନେଶ୍ଵର, (ଓଟି): ରାଜ୍ୟର ବିଭିନ୍ନ ବିଶ୍ଵବିଦ୍ୟାଳୟ ପ୍ରବର୍ତ୍ତନ କରୁଥିବା ସ୍ନାତ୍ତୋକତ୍ତର ( ପିଜି) ପାଠ୍ୟକ୍ରମର ପାଠ୍ୟ ଖସଡ଼ା ଭିନ୍ନ ଭିନ୍ନ ରହିଛି। ଏଥିରେ ସମାନତା ଆଣିବା ତଥା ଏକ ଆଦର୍ଶ ପାଠ୍ୟ ଖସଡ଼ା ପ୍ରସ୍ତୁତି ଓ ଲାଗୁ ପାଇଁ ହେଉଥିବା ଉଦ୍ୟମକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆସନ୍ତା ଶିକ୍ଷାବର୍ଷଠାରୁ ଏହି ଆଦର୍ଶ ପାଠ୍ୟ ଖସଡ଼ାକୁ ଲାଗୁ କରିବା ଲାଗି ସମସ୍ତ ପ୍ରସ୍ତୁତି ଶେଷ କରିଥିଲେ ମଧ୍ୟ କିଛି ବିଶ୍ଵବିଦ୍ୟାଳୟ ଏହାକୁ ବିରୋଧ କରିଛନ୍ତି। ଫଳରେ ଏହା ଲାଗୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଏବେ ଏ ବିଷୟରେ ଚୁଡ଼ାନ୍ତ ଆଲୋଚନା କରିବା ଲାଗି ଉଚ୍ଚଶିକ୍ଷା ବିଭାଗ ଏକ କୁଳପତି ସମ୍ମିଳନୀ ଆହ୍ବାନ କରିଛନ୍ତି।

ଏପ୍ରିଲ ୨୬ରେ ଏହି କୁଳପତି ସମ୍ମିଳନୀ ହେବ। ଭୁବନେଶ୍ବର ପୁସ୍ତକ ଭବନଠାରେ ଥିବା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆୟୋଜନ ହେବାକୁ ଥିବା ଏହି ସମ୍ମିଳନୀରେ ୧୧ଟି ବିଶ୍ବବିଦ୍ୟାଳୟର କୁଳସଚିବ ଓ ପିଜି କାଉନସିଲ୍‌ ଅଧ୍ୟକ୍ଷମାନେ ଯୋଗ ଦେବେ।

୨୦୧୯-୨୦ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟଗୁଡ଼ିକରେ ଏକକ ସିଲାବସ୍‌ ଲାଗୁ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନେକଥର ଆଲୋଚନା ହୋଇଛି। ଆବଶ୍ୟକ ମଡେଲ ସିଲାବସ୍‌ ବି ପ୍ରସ୍ତୁତ ହୋଇଛି। ଶିକ୍ଷାବିତ୍‌ ଓ ବିଶେଷଜ୍ଞଙ୍କ ପରାମର୍ଶ ବି ନିଆଯାଇଛି। ତେବେ କେତେକ ପ୍ରଫେସର୍‌ ଏକକ ସିଲାବସ୍‌ ଲାଗୁ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। କେତେକ ବିଶ୍ବବିଦ୍ୟାଳୟ ପ୍ରଫେସର୍‌ମାନେ ଏନେଇ କର୍ତ୍ତୃପକ୍ଷଙ୍କୁ ରୋକଠୋକ୍‌ ଶୁଣାଇ ଦେବା‌ ପରେ ପରିସ୍ଥିତି ଜଟିଳ ହୋଇଛି।

Leave a Reply

Your email address will not be published.