ଇଭିଏମ୍ ତ୍ରୁଟି : ଏମପି ପ୍ରାର୍ଥୀଙ୍କୁ ଭୋଟ ଦେଲେ ଏମଏଲଏ ପ୍ରାର୍ଥୀଙ୍କ ନିକଟକୁ ଯାଉଥିଲା
ଇଭିଏମ୍ରେ ତ୍ରୁଟି ଯୋଗୁ ସୁନ୍ଦରଗଡ଼ର ଏକ ବୁଥ୍ରେ ଭୋଟ ଗ୍ରହଣ ବନ୍ଦ ରହିଛି। ଇଭିଏମ୍ ମରାମତି ପରେ ପୁନର୍ବାର ମତଦାନ କରାଯାଇଥିଲା। ଏହା ପରେ ଜଣେ ପ୍ରାର୍ଥୀଙ୍କୁ ଭୋଟ ଦେଲେ ତାହା ଅନ୍ୟ ପ୍ରାର୍ଥୀଙ୍କ ପାଖକୁ ଯାଉଥିବା ଦେଖି ଭୋଟରଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବାରୁ ରିଟର୍ଣ୍ଣିଂ ଅଫିସର ବୁଥ୍ରେ ପହଞ୍ଚି ମତଦାନ ବନ୍ଦ କରିଥିଲେ। ଏଠାରେ ପୁନଃ ମତଦାନ ପାଇଁ କରିବାକୁ ECIଙ୍କୁ ଚିଠି ଲେଖିଛନ୍ତି ରିଟର୍ଣ୍ଣିଂ ଅଫିସର।
ଆଜି ସକାଳେ ରାଉରକେଲାର ରଙ୍ଗାଢିପା ୨୧୩ ନଂ ବୁଥ୍ରେ ଇଭିଏମ୍ରେ ତ୍ରୁଟି ଦେଖାଦେଇଥିଲା। ପରେ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଭୋଟଗ୍ରହଣ ଆରମ୍ଭ ହୋଇଥିଲା। ଭୋଟ ଗ୍ରହଣର କିଛି ସମୟ ପରେ ପୁଣି ତ୍ରୁଟି ଦେଖା ଦେଇଥିଲା। ଗୋଟିଏ ଚିହ୍ନରେ ଭୋଟ ଦେଲେ ଅନ୍ୟ ଚିହ୍ନକୁ ଯାଉଥିବା ଅଭିଯୋଗ କରିଥିଲେ ଭୋଟର। ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଯିବାରୁ ସେଠାରେ ଭୋଟଗ୍ରହଣକୁ ବାତିଲ କରାଯିବା ସହ ପୁନଃ ଭୋଟଗ୍ରହଣ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ଆୟୋଗଙ୍କୁ ସୁପାରିଶ କରିଛନ୍ତି । ଏହା ସହିତ ଏହି ତ୍ରୁଟି କରିଥିବା ସଂପୃକ୍ତ ଅଧିକାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସୁପାରିଶ କରିଛନ୍ତି ।
୪ଟି ବୁଥରେ ସାନି ନିର୍ବାଚନ
୪ଟି ବୁଥରେ ହେବ ସାନି ନିର୍ବାଚନ । ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପରିପ୍ରେକ୍ଷୀରେ ଦୁଇଟି ନିର୍ବାଚନ ମଣ୍ଡଳୀର ୪ଟି ବୁଥରେ ଇଭିଏମରେ ତ୍ରୁଟି ଦେଖାଦେଇଥିଲା । ତ୍ରୁଟି ପରେ ଏହି ବୁଥରେ ସାନି ନିର୍ବାଚନ ପାଇଁ ସୁପାରିଶ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ।
ଶ୍ରୀ କୁମାର କହିଛନ୍ତି ଯେ, ୪ଟି ବୁଥରେ ସାନି ନିର୍ବାଚନ ପାଇଁ ସୁପାରିଶ କରାଯିବ । ସୁନ୍ଦରଗଡ଼ ବିଧାନସଭାର ୨୧୩ ନମ୍ବର ବୁଥ, ବଣାଇ ବିଧାନସଭାର ୧୨୯ ନମ୍ବର ବୁଥ, ଦଶପଲ୍ଲା ବିଧାନସଭାର ୨୧୦ ଓ ୨୨ ନମ୍ବର ବୁଥରେ ସାନି ନିର୍ବାଚନ ପାଇଁ ସୁପାରିଶ କରାଯିବ ।