କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର
କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କରି ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। କେନ୍ଦୁଝର ଜିଲ୍ଲାରେ ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ର କ’ଣ କରିଛି? ଜିଲ୍ଲାର ଜାତୀୟ ରାଜପଥ ବାବଦରେ ଆପଣ ପଚାରନ୍ତୁ। ରେଳବାଇରେ ଜିଲ୍ଲା କେତେ ରାଜସ୍ୱ ଦେଉଛି ଏବଂ ପ୍ରତିବଦଳରେ କେତେ ପାଉଛି? କେନ୍ଦ୍ର ଓଡ଼ିଶା ପ୍ରତି ଅବହେଳା କରୁଛି। ଦୁଇ ଜଣ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ହାଇକମାଣ୍ଡଙ୍କ ପାଖରେ ମୁହଁ ଖୋଲୁ ନାହାନ୍ତି। କିନ୍ତୁ, ଭୋଟ୍ ମାଗିବାକୁ କେନ୍ଦ୍ରର ବଡ଼ ବଡ଼ ନେତାମାନେ ଓଡ଼ିଶା ଆସୁଛନ୍ତି। ଆମର ହାଇକମାଣ୍ଡ୍ ରାଜ୍ୟବାସୀ ବୋଲି ବୁଧବାର ଦିନ କେନ୍ଦୁଝରର ପାଟଣା ଠାରେ ଆୟୋଜିତ ନିର୍ବାଚନ ପ୍ରଚାର ସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ପ୍ରଥମେ ଉପସ୍ଥିତ ଜନସାଧରଣଙ୍କୁ ନମସ୍କାର କରି ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟମନ୍ତ୍ରୀ ତାଙ୍କର ବକ୍ତବ୍ୟ ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ କହିଲେ କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି, କିନ୍ତୁ ଏହାକୁ ବନ୍ଦ କରିବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି। ମୁଁ ଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରି ପାରିବେ ନାହିଁ। ଆମ ସରକାର ଆସିବାର ପ୍ରଥମ ଦିନ କାଳିଆ ଯୋଜନାର ଅର୍ଥ ପୁଣି ଦିଆଯିବ। ଏଥର ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଁଏ ଦିଆଯିବ।
ବର୍ଷେ ମଧ୍ୟରେ କେନ୍ଦୁଝର ମେଡିକାଲ କଲେଜ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦୁଝର ଲୋକସଭା ଆସନ ଲାଗି ବିଜେଡି ପ୍ରାର୍ଥିନୀ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁଙ୍କୁ ଓ ବିଧାୟକ ପ୍ରାର୍ଥୀଙ୍କୁ ଆର୍ଶୀବାଦ କରି ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ସେ କହିଛନ୍ତି।
ବିଜେପି ସରକାର ଗରିବ ବିରୋଧୀ
ବିଜେପି ସରକାର ଗରିବ ବିରୋଧୀ। କେନ୍ଦ୍ରର ବିଜେପି ସରକାରଙ୍କ ବିମୁଦ୍ରାୟନ ଯୋଗୁଁ ଗରିବ ଆହୁରି ଗରିବ ହେଲେ। ଗ୍ୟାସ୍, ପେଟ୍ରୋଲ୍ ଦର ବୃଦ୍ଧି ଯୋଗୁଁ ଲୋକେ ହନ୍ତସନ୍ତ ହେଲେ। ଜିଏସସ୍ଟି ଯୋଗୁଁ ସାଧାରଣ ବ୍ୟବସାୟୀ ହନ୍ତସନ୍ତ ହେଲେ। କେନ୍ଦ୍ରର ଜୁଲମବାଜି ଆଉ ଚଳିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି ବୁଧବାର ଦିନ କେନ୍ଦୁଝରର ପଦ୍ମପୁର ଠାରେ ଆୟୋଜିତ ନିର୍ବାଚନ ପ୍ରଚାର ସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
କେନ୍ଦ୍ର ନ ଦେବାରୁ ରାଜ୍ୟ ସରକାର ଟଙ୍କିକିଆ ଚାଉଳ ଯୋଗାଉଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଚାଉଳ, ଡାଲି ଓ ଲୁଣ ଦେବେ ବୋଲି କହୁଛନ୍ତି। ପାଞ୍ଚ ବର୍ଷ ପରେ ଲୋକଙ୍କ କଥା ମନେପଡ଼ିଲା! ଏତେ ଦିନ ହେଲାଣି ସେମାନେ କରୁଥିଲେ କ’ଣ?