ହ୍ରିତିକ୍ ଓ ସଲ୍ଲୁଙ୍କ ଟ୍ରେନରଙ୍କ ଠାରୁ କିକ୍ ବକ୍ସିଙ୍ଗ୍ ଶିଖିଥିଲେ ଜୟା ପ୍ରଦା
ବଲିଉଡରୁ ରାଜନୀତିକୁ ଓହ୍ଲାଇଥିବା ଦକ୍ଷ ଅଭିନେତ୍ରୀ ଜୟା ପ୍ରଦାଙ୍କ ସମ୍ପର୍କରେ ଏବେ ଏକ ରୋଚକ ଖବର ଶୁଣିବାକୁ ମିଳିଛି । ବଲିଉଡ୍ର ଫିଟନେସ୍ ଟ୍ରେନର୍ ଜିୟାଉଦ୍ଦିନ୍ଙ୍କ କହିବା ଅନୁଯାୟୀ ଜୟା ପ୍ରଦା ତାଙ୍କ ଠାରୁ ବକ୍ସିଂ ଟ୍ରେନିଙ୍ଗ୍ ନେଇଥିଲେ । ମହେଶ ମାଞ୍ଜେରକରଙ୍କ ନିର୍ଦ୍ଦେଶିତ ଏବଂ ଡିନୋ ମୋରିଆଙ୍କ ଅଭିନୀତ ଏକ ଫିଲ୍ମର ଦୃଶ୍ୟ ପାଇଁ ଜୟା ଏହି ଟ୍ରେନିଂ ନେଇଥିଲେ ବୋଲି ସୂଚନା ମିଳିଛି । କିନ୍ତୁ କୌଣସି କାରଣ ବଶତଃ ଏହା ମୁକ୍ତିଲାଭ ହୋଇପାରିନଥିଲା । ନିକଟ ଅତୀତରେ ଏକ ମିଡିଆ ସାକ୍ଷାତକାରରେ ଜିୟାଉଦ୍ଦିନ୍ ଜୟାଙ୍କ ସମ୍ପର୍କରେ ଏହି ରହସ୍ୟ ଉପରୁ ପର୍ଦ୍ଦା ଉଠାଇଛନ୍ତି । ଟ୍ରେନିଂ ସମୟର କିଛି ସ୍ମୃତିକୁ ମନେପକାଇବାକୁ ଯାଇ ସେ ଜୟାଙ୍କ ଅନେକ ପ୍ରଶଂସା କରିଥିଲେ । ବକ୍ସିଂ ଟ୍ରେନିଙ୍ଗର କୌଣସି କ୍ଲାସ୍ ଜୟା ମିସ୍ କରିନଥିଲେ ଏବଂ ପ୍ରତ୍ୟେକ ଦିନ ଠିକ୍ ଟାଇମ୍ରେ ଆସୁଥିଲେ । ଟ୍ରେନିଂ ସମୟରେ ଶରୀର ଦରଜ ହେବା କିମ୍ବା ଅନ୍ୟ କୌଣସି ସମସ୍ୟା ସମ୍ପର୍କରେ ଜୟାଙ୍କର କେବେ କୌଣସି ଅଭିଯୋଗ ନଥିଲା । ଖୁବ୍ ସହଜରେ ସେ ବକ୍ସିଂର ବିଭିନ୍ନ ଫର୍ମ କ୍ୟାପଚର୍ କରିପାରୁଥିଲେ । ଟ୍ରେନିଂ ପରେ ଜୟା ପୁଣି ୩ ଘଣ୍ଟା କଥକ ପ୍ରାକ୍ଟିସ୍ କରୁଥିଲେ । ଜୟାଙ୍କ ଏନର୍ଜି ଲେଭଲ୍ ଖୁବ୍ ଭଲ ବୋଲି ଜିୟାଉଦ୍ଦିନ୍ କହିଛନ୍ତି ।
ସୂଚନାଯୋଗ୍ୟ ବଲିଉଡର ଅନେକ ନାମୀଦାମୀ ତାରକା ହ୍ରିତିକ୍, ସଲମାନ୍, ଜନ୍ ଆବ୍ରାହମ୍, ଇମରାନ୍ ହାସମୀ, ରେମୋ ଡିସୁଜା, ସଞ୍ଜୟ ଦତ୍ତ, ଦୀପିକା ପାଦୁକୋନ୍ ଓ ସୋନମ୍ କପୁରଙ୍କ ଫିଟନେସ୍ ଟ୍ରେନର୍ ଓ ବକ୍ସିଂ ଟ୍ରେନର୍ ଭାବେ ଜିୟାଉଦ୍ଦିନ୍ ଖୁବ୍ ନାଁ କମେଇଛନ୍ତି ।