‘ଦ ତାଶକେଣ୍ଟ୍ ଫାଇଲସ୍’ର ବକ୍ସ ଅଫିସ୍ ହାଲଚାଲ୍, ଜାଣନ୍ତୁ ୨ଦିନର ବ୍ୟବସାୟ
ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟକୁ ନେଇ ଏଥର ଫ୍ରାଇଡେ’ ରିଲିଜରେ ସିନେମାଘରକୁ ଆସିଥିଲା ‘ଦ ତାଶକେଣ୍ଟ୍ ଫାଇଲସ୍’ । ବିବେକ୍ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଓପନିଙ୍ଗ୍ ଡେ’ରେ ୩୬ ଲକ୍ଷ ଟଙ୍କାର ବ୍ୟବସାୟ କରିଥିବାବେଳେ ଦ୍ୱିତୀୟ ଦିନ ଏହାର ବ୍ୟବସାୟରେ ବୃଦ୍ଧି ହୋଇଥିଲା । ଦ୍ୱିତୀୟ ଦିନ ଏହାର ବକ୍ସଅଫିସ୍ ବ୍ୟବସାୟ ଥିଲା ୭୦ ଲକ୍ଷ ଟଙ୍କା । ତେବେ ମୋଟ ଭାବେ ଦୁଇଦିନ ମଧ୍ୟରେ ଫିଲ୍ମଟି ୧କୋଟି ୬ ଲକ୍ଷ ଟଙ୍କାର ବ୍ୟବସାୟ କରିଛି । ୱିକଏଣ୍ଡରେ ଏହାର ବ୍ୟବସାୟରେ ଆହୁରି ବୃଦ୍ଧି ହେବ ବୋଲି ଫିଲ୍ମ ଟ୍ରେଡ୍ ଆନାଲିଷ୍ଟମାନେ ଆଶା କରୁଛନ୍ତି । ୧୦କୋଟିରୁ କମ୍ ବଜେଟରେ ନିର୍ମିତ ଏହି ଫିଲ୍ମକୁ ୨୫ଟି ସ୍କ୍ରୀନରେ ପ୍ରଦର୍ଶିତ କରାଯାଇଥିଲା । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ନାସିରୁଦ୍ଦିନ୍ ଶାହ, ମିଥୁନ୍ ଚକ୍ରବର୍ତ୍ତି, ଶ୍ୱେତା ବସୁ ପ୍ରସାଦ,ପଲ୍ଲବୀ ଯୋଶୀ, ମନ୍ଦିରା ବେଦୀ ଓ ପଙ୍କଜ ତ୍ରିପାଠୀ ।
ଫିଲ୍ମର କାହାଣୀ ରାଗିନୀ ନାମକ ଜନୈକା ରିପୋଟର୍ସଙ୍କୁ ନେଇ ଆଗକୁ ବଢିଛି । ରାଗିନୀଙ୍କୁ ମାତ୍ର ୧୫ ଦିନ ମଧ୍ୟରେ ଏକ ରହସ୍ୟମୟୀ କାହାଣୀ ପ୍ରସ୍ତୁ୍ତ କରିବା ପାଇଁ ଉପରିସ୍ଥ ଅଧିକାରୀ କହିଛନ୍ତି । ଏଭଳି ପରିସ୍ଥିତିରେ ରାଗିନୀଙ୍କୁ ହିଣ୍ଟ୍ ଦେବା ଭଳି ଏକ ଫୋନ୍ କଲ୍ ଆସେ ଯେ – ଶାସ୍ତ୍ରୀଜୀଙ୍କ ମୃତ୍ୟୁ ସାଧାରଣ ନଥିଲା । ଏହା ପରେ ରାଗିନୀ ଏହି ପ୍ରୋଜେକ୍ଟରେ ଲାଗି ପଡ଼ିଛନ୍ତି । ଏହି କାମରେ ରାଗିଣୀଙ୍କ ସାମନାରେ କ’ଣ ସବୁ ବାଧାବିଘ୍ନ ଆସୁଛି ଏବଂ ଶେଷରେ ମୃତ୍ୟୁ ଘଟଣାର କ’ଣ ସତ୍ୟାସତ୍ୟ ଜଣାପଡ଼ୁଛି, ତାହାକୁ ନେଇ କାହାଣୀ ଗତିଶୀଳ । ଏଭଳି ଏକ ଭିନ୍ନସ୍ୱାଦର କାହାଣୀକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି ଏବଂ ଆଗାମୀ ଦିନରେ ଏହାର ବକ୍ସ ଅଫିସ୍ କଲେକସନ୍ ଭଲ ହେବ ବୋଲି ଆଶା କରାଯାଉଛି ।