ଦୁଇଟି ଆସନ ଜିତିଲେ ଭଉଣୀଙ୍କ ପାଇଁ ଛାଡିଦେବେ ଆମେଥି
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଥର ଉତ୍ତରପ୍ରଦେଶର ଆମେଥି ଏବଂ କେରଳର ବାୟନାଡ଼ ଆସନରୁ ନିର୍ବାଚନ ଲଢୁଛନ୍ତି। କଂଗ୍ରେସର ବିଶେଷଜ୍ଞମାନେ ଏହି ଦୁଇଟି ଆସନରେ ରାହୁଲ ଜିତିବାର ବଡ଼ ଆଶା ରଖିଛନ୍ତି। ଯଦି ରାହୁଲ ଏହି ଦୁଇଟି ଆସନ ଜିତିବାରେ ସଫଳ ହୁଅନ୍ତି ତେବେ ଗାନ୍ଧୀ ପରିବାରର ପାରମ୍ପାରିକ ଆସନ ଆମେଥିକୁ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ପାଇଁ ଖାଲି କରିପାରନ୍ତି।
ଗାନ୍ଧୀ ପରିବାରର ତୃତୀୟ ସଦସ୍ୟ ହେଉଛନ୍ତି ରାହୁଲ ଯିଏ ଏବେ ଦକ୍ଷିଣ ଭାରତରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଜରୁରୀକାଳୀନ ପରିସ୍ଥିତି ପରେ ୧୯୭୭ ସାଧାରଣ ନିର୍ବାଚନରେ ଇନ୍ଦିରା ଗାନ୍ଧୀ ରାୟବରେଲିରୁ ନିର୍ବାଚନ ହାରିଯାଇଥିଲେ। ୧୯୭୮ରେ କଂଗ୍ରେସର ପୂର୍ବତନ ସାଂସଦ ଡି ବି ଚନ୍ଦ୍ରଗୌଡ଼ା ନିଜ ଚିକମଙ୍ଗଲୁର ଆସନରୁ ଇସ୍ତଫା ଦେଇ ଇନ୍ଦିରା ଗାନ୍ଧୀଙ୍କ ପାଇଁ ଏହି ଆସନଟି ଖାଲି କରିଥିଲେ।
ଉପନିର୍ବାଚନରେ ଇନ୍ଦିରା ଗାନ୍ଧୀ ୮୦ ହଜାରରୁ ଅଧିକ ଭୋଟରେ ଜିତିଥିଲେ। ରାହୁଲ ଗାନ୍ଧୀ ଏବେ ଆମେଥିରୁ ମଧ୍ୟ ନିର୍ବାଚନ ଲଢୁଛନ୍ତି। କଂଗ୍ରେସ ରଣନୀତିକାରଙ୍କ ଦୃଢ ବିଶ୍ୱାସ ରହିଛି ଯେ, ରାହୁଲ ଦୁଇଟି ଆସନରୁ ନିଶ୍ଚିତ ଜିତିବେ।
ଯେହେତୁ ପ୍ରିୟଙ୍କା ଏବେ ସକ୍ରିୟ ରାଜନୀତିକୁ ପ୍ରବେଶ କରିଛନ୍ତି ଏବଂ ପୂର୍ବ ଉତ୍ତରପ୍ରଦେଶର ଦାୟିତ୍ୱ ତୁଲାଉଛନ୍ତି ସେହି କାରଣରୁ ଉତ୍ତରପ୍ରଦେଶରେ କଂଗ୍ରେସକୁ ମଜବୁତ କରିବା ଏବଂ ରାଷ୍ଟ୍ରୀୟ ସ୍ତରରେ ଦଳର ସଂଗଠନକୁ ଆହୁରି ଦୃଢ କରିବା ପାଇଁ ପ୍ରିୟଙ୍କାଙ୍କ ଦାୟିତ୍ୱ ବଢିବ। ଆଉ ଏହାକୁ ଦୃଷ୍ଟିରେ ରଖି କଂଗ୍ରେସର ଗୋଟିଏ ଗୋଷ୍ଠୀ ପ୍ରିୟଙ୍କାଙ୍କୁ ଲୋକସଭାରେ ପ୍ରତିନିଧିତ୍ୱ କରିବା ପାଇଁ ଚାହୁଁଛନ୍ତି।
ତେଣୁ କୁହାଯାଉଛି ପ୍ରିୟଙ୍କା ଆମେଥିରୁ ନିର୍ବାଚନ ଲଢିବେ, ବାୟନାଡ଼ରୁ ରାହୁଲ ପ୍ରତିନିଧିତ୍ୱ କରି ଦକ୍ଷିଣ ଭାରତରେ ଦଳକୁ ଆହୁରି ସଂଗଠିତ କରିବ।