ଇଭିଏମରେ ବନ୍ଦ ହେଲା ଓଡ଼ିଶାର ହେଭିୱେଟ୍ ନେତାଙ୍କ ଭାଗ୍ୟ
ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ । ଓଡ଼ିଶାର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ମତଦାତାମାନେ ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି । ଆଜି ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ତିନିଜଣ କ୍ୟାବିନେଟ ମନ୍ତ୍ରୀଙ୍କର ଏବଂ ବିଭିନ୍ନ ରାଜନୈତିକ ଦଳର ହେଭିୱେଟଙ୍କର ଭାଗ୍ୟ ନିର୍ଦ୍ଧାରଣ ହୋଇଯାଇଛି। ସେମାନଙ୍କର ଭାଗ୍ୟ ଏବେ ଇଭିଏମରେ ବନ୍ଦ ହୋଇ ରହିଛି, ଯାହା ଆସନ୍ତା ମାସ ୨୩ ତାରିଖରେ ଖୋଲିବ।

ଆଜି ୪ଟି ଲୋକସଭା ନିର୍ବାଚନମଣ୍ଡଳୀ (କୋରାପୁଟ,ନବରଙ୍ଗପୁର,କଳାହାଣ୍ଡି ଏବଂ ବ୍ରହ୍ମପୁର) ଏବଂ ସେଥି ଅନ୍ତର୍ଗତ ୨୮ଟି ବିଧାନସଭାରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଯାଇଛି। ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ନବରଙ୍ଗପୁର ଲୋକସଭା ଆସନରୁ, ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଦିଗପହଣ୍ଡି ବିଧାନସଭା ଆସନରୁ ଏବଂ ଯୋଜନା ଓ ସମନ୍ଵୟ ମନ୍ତ୍ରୀ ଉଷା ଦେବୀ ଚିକିଟି ବିଧାନସଭା ଆସନରୁ ଆଜି ନିର୍ବାଚନ ଲଢିଛନ୍ତି।
ଏହାଛଡ଼ା ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା ଓ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ କଳାହାଣ୍ଡି ଲୋକସଭା ଆସନରୁ ପରସ୍ପର ବିରୋଧରେ ଲଢ଼ିଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ ଏହି ଦୁଇ ନେତାଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି।
ବ୍ରହ୍ମପୁର ଲୋକସଭା ଆସନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଏବଂ ଶିଳ୍ପପତି ଭି.ଚନ୍ଦ୍ରଶେଖର ନାଇଡୁଙ୍କୁ ସାମନା କରିଛନ୍ତି।
ଅନ୍ୟ ହେଭିୱେଟ୍ ପ୍ରାର୍ଥୀ ଯେଉଁମାନଙ୍କର ଆଜି ଭାଗ୍ୟ ଇଲେକ୍ଟ୍ରୋନିକ ଭୋଟିଂ ମେସିନ୍ରେ ବନ୍ଦ ହୋଇଛି, ସେମାନେ ହେଲେ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ, କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, ଲାଲ ବିହାରୀ ହିମିରିକା ଓ ଜୟରାମ ପାଙ୍ଗୀ ଏବଂ ପୂର୍ବତନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ।