କରୁଣ ମୋଡ଼ରେ କଂଗ୍ରେସ କାହାଣୀ

  • ସମସ୍ତଙ୍କ ରାଗ ଏବେ ନିରଞ୍ଜନଙ୍କ ଉପରେ
  • ଶେଷ ପର୍ଯ୍ୟନ୍ତ ଲାଗିଥିଲା ପ୍ରାର୍ଥୀ ମନୋନୟନ
  • ୭ଜଣ ଟିକଟ ଫେରାଇଛନ୍ତି
  • ଜୟଦେବରେ କଂଗ୍ରେସର ସୁକାନ୍ତ ତିଆଡ଼ି ଭୋଇଙ୍କ ପ୍ରାର୍ଥିପତ୍ର ନାକଚ

ଚଳିତ ନିର୍ବାଚନ କଂଗ୍ରେସ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଇଁ ଏକ ବିରାଟ ପରୀକ୍ଷାର ଘଡ଼ି। କିନ୍ତୁ ଯେଉଁସବୁ ଅଶୁଭ ସଗ୍ଧେତ ମିଳିସାରିଲାଣି, ମନେହୁଏ ଉଭୟ ଦଳ ଓ ଏହାର ସଭାପତି ଘୋର ସଙ୍କଟରେ ପଡ଼ିସାରିଛନ୍ତି।

ସମସ୍ତଙ୍କ କ୍ରୋଧର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି ନିରଞ୍ଜନ। ସେ ଏହାକୁ ସ୍ୱୀକାର ମଧ୍ୟ କରିଛନ୍ତି। ୨୦୦୯ରେ କେପି ସିଂହଦେଓଙ୍କ ଅମଳରେ ପ୍ରଥମେ ଟିକଟ ବଣ୍ଟନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଅବସ୍ଥା ଏମିତି ହେଲା ଯେ, ଦୁଇ ବିରୋଧୀ ଗୋଷ୍ଠୀର ନେତୃତ୍ୱ ନେଉଥିବା ଜେବି ପଟ୍ଟନାୟକ ଏବଂ କେପି ସିଂହଦେଓଙ୍କୁ ଲଢ଼ିବା ପାଇଁ ଅନୁମତି ଦେଲେ ନାହିଁ ଏଆଇସିସି।

୨୦୧୪ ନିର୍ବାଚନରେ ଜୟଦେବ ଆହୁରି ବଡ଼ ବିବାଦରେ ଛନ୍ଦି ହୋଇଗଲେ। ପିସିସି ସଭାପତ ଜୟଦେବ ଯେନାଙ୍କ ବିରୋଧରେ ଟିକଟ ବିକ୍ରିର ଅଭିଯୋଗ ଆସିଲା। ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ଘଟିଲା। ମୁଖ୍ୟ ବିରୋଧୀ ଦଳ ପଦବୀ ଅଳ୍ପକେ ରକ୍ଷା କରିପାରିଲା କଂଗ୍ରେସ।

ମାତ୍ର ୨୦୧୯ ନିର୍ବାଚନ ଆସୁଆସୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସବୁଠୁ ବଡ଼ ବିବାଦରେ ଛନ୍ଦି ହୋଇଗଲେ। କଂଗ୍ରେସ ଏକପ୍ରକାର ମଇଦାନରୁ ଆତ୍ମସମର୍ପଣମୂଳକ ବାହାର ହୋଇଗଲା। ଯେଉଁମାନଙ୍କର ବିଜୟ ସମ୍ଭାବନା ଥିଲା, ସେମାନଙ୍କ ମଧ୍ୟରୁ ଅନେକେ ଏବେ ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି।

ଏବେ ରାଜ୍ୟ କଂଗ୍ରେସରେ ବିବାଦ ଉପୁଜିଛି ପ୍ରାର୍ଥୀ ଚୟନ ଓ ଟିକଟ ବଣ୍ଟନକୁ ନେଇ। ଟିକଟ ବଣ୍ଟନକୁ ନେଇ ଅସନ୍ତୋଷ ଅତି ପ୍ରଖର। ଯେଉଁ ଦଳ ୬ମାସ ଆଗରୁ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଦୃଢ଼ୋକ୍ତି କରିଥିଲା, ସେହି ଦଳ ଶେଷ ପର୍ଯ୍ୟନ୍ତ ଲାଗିଥିଲା ପ୍ରାର୍ଥୀ ମନୋନୟନରେ।

କଂଗ୍ରେସ ଇତିହାସରେ ପ୍ରଥମ ଥର ପାଇଁ ୭ଜଣ ଟିକଟ ପାଇ ପୁଣି ଫେରାଇଛନ୍ତି। ଜଣକଙ୍କର ମନୋନୟନ ପତ୍ର ନାକଚ ହୋଇଛି। ସବୁଠାରୁ ବେଶୀ ବାପ-ପୁଅ ଯୋଡ଼ି କଂଗ୍ରେସ ଟିକଟରେ ଲଢ଼ୁଛନ୍ତି।

ସବୁଠାରୁ ବେଶୀ ନେତା ଟିକଟ ଚୟନରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ିଛନ୍ତି। କେବଳ ଛାତ୍ର କଂଗ୍ରେସ ନେତାଙ୍କୁ ଛାଡ଼ିଦେଲେ ଅନ୍ୟ ଛାମୁଆଁ ସଂଗଠନର କୌଣସି ନେତାଙ୍କୁ ଟିକଟ ଦେଇନାହିଁ କଂଗ୍ରେସ। ତେଣୁ ସମସ୍ତ ରାଗ ଏବେ ନିରଞ୍ଜନଙ୍କ ଉପରେ।

ଏକଥା ମଧ୍ୟ ନିରଞ୍ଜନ ଭଲ ଭାବେ ଅନୁଭବ କରିସାରିଲେଣି। ବୁଧବାର ଦିନ ସେଥିପାଇଁ ସେ ହାତ ଟେକିଦେଇଛନ୍ତି। କହିଛନ୍ତି, ସେ ଜଣେ ହେଲେ ପ୍ରାର୍ଥୀ ବାଛି ନାହାନ୍ତି। ଜଣେ ବି ପ୍ରାର୍ଥୀ ମୋ’ ଇଛାରେ ଦିଆଯାଇ ନାହିଁ। ପ୍ରାର୍ଥୀ ଚୟନ ସାମୁହିକ ନିଷ୍ପତ୍ତି। ଏଥିରେ ତାଙ୍କର କୌଣସି ଭୂମିକା ନାହିଁ। ଅଥଚ ସମସ୍ତଙ୍କ ରାଗ ତାଙ୍କ ଉପରେ। ଦଳ ଏବେ ୮୩ ଜଣ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିଛି। ଆଶାୟୀଙ୍କ ସଂଖ୍ୟା ବହୁତ ଅଧିକ ଥିଲା। ତେଣୁ ସ୍ୱାଭାବିକ ଭାବେ ଅସନ୍ତୋଷ ଦେଖାଦେଇଥିଲା।

ଯେଉଁସବୁ ଘଟଣା ଘଟିଯାଇଛି, ତାହା ତାଙ୍କୁ ଧର୍ମସଙ୍କଟରେ ପକାଇ ଦେଇଛି। ଧର୍ମଶାଳାରେ ସ୍ମୃତିରେଖା ପହି କଂଗ୍ରେସ ପ୍ରାର୍ଥୀ ଅଛନ୍ତି ବୋଲି ସ୍ପଷ୍ଟ କରିଥିଲେ ନିରଞ୍ଜନ। ଏହି ଆସନରେ ପ୍ରଥମେ ପହିଙ୍କ ନାମ ଘୋଷଣା ହୋଇଥିଲା। ପରେ କିଷାନ ପଣ୍ଡା ଲଢ଼ିବେ ବୋଲି ନିରଞ୍ଜନ ଘୋଷଣା କରିଥିଲେ। କିନ୍ତୁ ତାଙ୍କୁ ଟିକଟ ମିଳି ନଥିଲା। ଟିକଟ ନପାଇ କିଷାନ ସ୍ୱାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ନିରଞ୍ଜନ ତାଙ୍କୁ ବୁଝାଇ ଦିଆଯାଇଛି ବୋଲି କହିଥିଲେ। ସେହିପରି ଜୟଦେବରେ କଂଗ୍ରେସର ସୁକାନ୍ତ ତିଆଡ଼ି ଭୋଇଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଥିଲା। ସେଠାରେ ପୁରୁଣା ନେତା ତଥା ବିଧାୟକ ରାଘବ ସେଠୀଙ୍କୁ ଉପେକ୍ଷା କରିଥିଲା ଦଳ। କିନ୍ତୁ ଏବେ ତାଙ୍କୁ କଂଗ୍ରେସ ସମର୍ଥନ କରୁଛି ବୋଲି କହିଥିଲେ ନିରଞ୍ଜନ।

ପିସିସି ସଭାପତି ହାତ ଟେକି ଦିଅନ୍ତୁ କି ଧର୍ମ ସଙ୍କଟରେ ପଡ଼ନ୍ତୁ, କଂଗ୍ରେସ କାହାଣୀ ଏକ କରୁଣ ମୋଡ଼ ନେଇସାରିଛି। ମେ’ ୨୩ ତାରିଖ ଫଳ ପ୍ରକାଶ ପାଇବା ପରେ ନିରଞ୍ଜନଙ୍କ ନେତୃତ୍ୱ ଏକ ବଡ଼ ବିପଦରେ ପଡ଼ିବାକୁ ଯାଉଛି।

Leave a Reply

Your email address will not be published. Required fields are marked *