‘ସ୍ୱାଭିମାନ’ ଅଞ୍ଚଳରେ କେହି ଭୋଟ ଦେଲେନି
ମାଲକାନଗିରିର ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ଚିତ୍ରକୋଣ୍ଡା ପାଇଁ ଗୁରୁପ୍ରିୟା ସେତୁର ଲୋକାର୍ପଣ ସମୟରେ ବିଚ୍ଛିନ୍ନାଞ୍ଚଳର ନାଁ ହେଲା ସ୍ୱାଭିମାନ ଅଞ୍ଚଳ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ନକ୍ସଲଙ୍କ ପ୍ରାଦୁର୍ଭାବ ହ୍ରାସ କରିବାରେ ଏହି ସେତୁ ପ୍ରମୁଖ ଭୂମିକା ନେବ। ଏହାଛଡ଼ା ଏହି ଅଞ୍ଚଳର ଲୋକ ବିକାଶ ସ୍ରୋତରେ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଏହା କେବଳ କଥାରେ ସୀମିତ ରହିଲା ପରି ମନେ ହେଉଛି। କାରଣ ଯେଉଁ ଅଞ୍ଚଳରେ ବସବାସ କରୁଥିବା ଲୋକ ମତଦାନ କରିବାକୁ ସାହସ କରିପାରୁନାହାନ୍ତି, ସେଠି ବିକାଶ କେମିତି ହେଉଥିବ, ତାହା ସାଧାରଣରେ ଅନୁମେୟ।
ଆଜି ହୋଇଥିବା ନିର୍ବାଚନରେ ସ୍ୱାଭିମାନ ଅଞ୍ଚଳରେ ପୋଲିଂ ଶୂନ୍ୟ ରହିଛି। ନକ୍ସଲଙ୍କ ଭୟରେ ଲୋକମାନେ ଭୋଟ ଦେବାକୁ ଯାଇନଥିବା ଆଲୋଚନା ହେଉଛି। ମତଦାନ ପାଇଁ ଏହି ଅଞ୍ଚଳରେ ୧୫ଟି ବୁଥ୍ହୋଇଥିଲା। ସେଥିରୁ ସ୍ୱାଭିମାନ ଅଞ୍ଚଳରେ ୯ଟି ଓ ଚିତ୍ରକୋଣ୍ଡାରେ ୬ଟି ବୁଥ୍ହୋଇଥିଲା। ନକ୍ସଲଙ୍କ ଭୟ ଯୋଗୁ ପୋଲିଂ ଅଧିକାରୀଙ୍କୁ ଗତକାଲିଠାରୁ ହେଲିକପ୍ଟରରେ ବୁଥ୍କୁ ପଠାଇ ଦିଆଯାଇଥିଲା। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିଲା। ଆଜି ସକାଳ ୭ଟାରେ ବୁଥ୍ଗୁଡ଼ିକ ଖୋଲା ଯାଇଥିଲା। ମାତ୍ର ଅପରାହ୍ନ ୪ଟା ପର୍ଯ୍ୟନ୍ତ କେହି ମତଦାନ କରିବାକୁ ଆସିନଥିଲେ। ଯାହାଫଳରେ ୧୫ଟି ବୁଥ୍ରେ ଭୋଟିଂ ଶୂନ୍ରହିଛି। ଆଉ ୪ଟା ପରେ ପୋଲିଂ ଅଧିକାରୀମାନେ ହେଲିକପ୍ଟରରେ ଜିଲ୍ଲା ସଦରମହକୁମାକୁ ଫେରି ଆସିଛନ୍ତି।