ଜାତୀୟତାବାଦ ଓ ବିକାଶ ହେଉଛି ନିର୍ବାଚନର ପ୍ରମୁଖ ପ୍ରସଂଗ : ରାମଦେବ
ଯୋଗ ଗୁରୁ ବାବା ରାମଦେବ ଏପ୍ରିଲ୍ ୧୧ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହରିଦ୍ୱାରରୁ ତାଙ୍କ ମତାଦାନ କରିଛନ୍ତି। ଭୋଟ୍ ଦେଇସାରିବା ପରେ ରାମଦେବ କହିଛନ୍ତି, ଜାତୀୟତାବାଦ ଓ ବିକାଶ ହେଉଛି ନିର୍ବାଚନର ପ୍ରମୁଖ ବିଷୟବସ୍ତୁ। ଯଦିଓ ବେରୋଜଗାରୀ, ଦାରିଦ୍ର୍ୟ, କଳାଧନ, ଦୁର୍ନୀତି, କୃଷି ଆଦି ପ୍ରସଂଗ ବେଶି ଗୁରୁତ୍ୱପୂର୍ଣ୍ଣ ମାତ୍ର ଜାତୀୟ ସୁରକ୍ଷା ସହ କେବେ ବି ସାଲିସ୍ କରାନଯିବା ଉଚିତ। ସେ ଆହୁରି ବି କହିଛନ୍ତି ଯେ ଯେଉଁମାନେ ଜାତି, ଧର୍ମ ଓ ସ୍ତର ବିବେଚନା କରି ସମାଜରେ ସୀମା ଟାଣିଥାଆନ୍ତି ସେମାନେ ଭୋଟ୍ ନ ଦେବା ଉଚିତ।
ନିକଟରେ ବାବା ରାମଦେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ତାଙ୍କ ଟ୍ଵିଟର୍ରେ ଲେଖିଥିଲେ ଯେ, ଦେଶ ଆଉ ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୋଟ୍ ଦେଇ ଜିତାଇବା ଉଚିତ। ବାବା ରାମଦେବଙ୍କୁ ‘ନୋଟା’ ବିଷୟରେ ପଚରାଯିବାରୁ ସେ କହିଥିଲେ କି ‘ନୋଟା’ରେ ଭୋଟ ଦେବା ଅପେକ୍ଷା କୌଣସି ଜଣେ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବା ଶ୍ରେୟସ୍କର।