ସିପ୍ରାଙ୍କ ୟୁ ଟର୍ଣ୍ଣ : କରିବେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର
ଗତକାଲି ବିଜେଡି ନେତୃତ୍ୱ ବିରୋଧରେ ଗର୍ଜନତର୍ଜନ କରିଥିବା ଓ କୌଣସି ଚାପରେ ପ୍ରାର୍ଥୀ ପତ୍ର ପ୍ରତ୍ୟାର କରିବେନି ବୋଲି କହିଥିବା କେନ୍ଦ୍ରାଫଡ଼ାର ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ ଆଜି ୟୁ ଟର୍ଣ୍ଣ ନେଇଛନ୍ତି। କେନ୍ଦ୍ରାପଡ଼ା ରାଜନୀତିରେ ସୃଷ୍ଟି ହୋଇଥିବା କନ୍ଦଳରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଯେଉଁ ସିପ୍ରା ମଲ୍ଲିକ ଦଳରେ ଉପରେ ରୋଷ ରଖି ସ୍ୱାଧୀନଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ ସିଏ ଆଜି ପୁଣି ଦଳ ସହିତ ସାମିଲ ହୋଇଯାଇଛନ୍ତି । ସିପ୍ରା ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ନେଇ ଘୋଷଣା କରିବା ସହ କେନ୍ଦ୍ରାପଡ଼ାରେ ବିଜେଡ଼ିର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ।
ଟିକେଟ୍ ନ ମିଳିବାରୁ ଅସନ୍ତୁଷ୍ଟ ଥିବା ସିପ୍ରା ମଲ୍ଲିକଙ୍କର ମାନଭଞ୍ଜନ କରିବାରେ ବିଜେଡ଼ି ସଫଳ ହୋଇଛି । ଯିଏ ଗତକାଲି ଦଳ ଉପରେ ଖୁବ ବର୍ଷିଥିଲେ ସିଏ ବିଜେଡ଼ିର ବିଜୟ ସୁନିଶ୍ଚିତ ବୋଲି ଦୃଢ଼ କଣ୍ଠରେ କହିଛନ୍ତି । ଆଜି ନବୀନ ନିବାସରେ ଶଶିଭୂଷଣ ବେହେରା, କିଶୋର ତରାଇ, ଅତନୁ ସବ୍ୟସାଚୀ ନାୟକ ଓ ସିପ୍ରା ମଲ୍ଲିକ ପହଁଚିଥିଲେ । କିଛି ସମୟ ଧରି ଆଲୋଚନା ହୋଇଥିଲା । ନବୀନ ନିବାସରୁ ବାହାରି ସିପ୍ରା କହିଛନ୍ତି ଯେ ଜନ ସମର୍ଥନ ଥିବାରୁ ଲଢ଼ିବାକୁ ଇଚ୍ଛା ଥିଲା । କିନ୍ତୁ ସୁପ୍ରିମୋଙ୍କ ନିର୍ଦ୍ଦେଶକୁ ମାନି ନିଃସର୍ତ୍ତରେ ନିର୍ବାଚନରୁ ଓହରୁଛି ବୋଲି ଘୋଷଣା କରିଛନ୍ତି । ଆଗକୁ ସେ ଶଶି ଭୂଷଣଙ୍କ ସହିତ ରହିବେ । ବିଧାୟକ ନ ହେଲେ ବି ବିଧାୟକ ଭଳି ଦାୟିତ୍ୱ ତୁଲାଇବେ । ସେହିପରି ଶଶିଭୂଷଣ କହିଛନ୍ତି ଯେ କିଶୋର ଏବଂ ସିପ୍ରା ଆମ ସହିତ ଅଛନ୍ତି । ଟିକେଟ୍ ନ ମିଳିଲେ ଆଶାୟୀମାନେ ଅସନ୍ତୁଷ୍ଟ ହୁଅନ୍ତି । କିନ୍ତୁ ନବୀନ ବାବୁଙ୍କ କାର୍ଯ୍ୟଧାରା ଓ ତାଙ୍କ ଆଦର୍ଶ ପ୍ରତି ସମ୍ମାନ ଥିବାରୁ ସମସ୍ତେ ଦଳକୁ ଫେରନ୍ତି ।
ସିପ୍ରାଙ୍କ ଏଭଳି ଆଭିମୁଖ୍ୟ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କାହିଁକି ସିପ୍ରା ନିଜର ନିଷ୍ପତ୍ତି ବଦଳାଇଛନ୍ତି ତାହାର କେହି ଟେର୍ ପାଉ ନାହାଁନ୍ତି ।