ଦୟା ବେନ୍ ଭୂମିକା ପାଇଁ ୩ଜଣ ଅଭିନେତ୍ରୀ
ଲୋକପ୍ରିୟ ଶୋ’ ‘ତାରକା ମେହେତା କା ଉଲଟା ଚଷମା’ରୁ ଦୟା ବେନ୍ ଚରିତ୍ରରେ ଥିବା ଅଭିନେତ୍ର ଦିଶା ଭକାନୀ ବିଦାୟ ନେବା ପରେ ତାଙ୍କ ସ୍ଥାନରେ କେଉଁ ଅଭିନେତ୍ରୀଙ୍କୁ ସାଇନ୍ କରାଯିବ, ତାହାକୁ ନେଇ ଏବେ ଶୋ’ ନିର୍ମାତାଙ୍କ ଚିନ୍ତା ବଢିଚାଲିଛି । ଦର୍ଶକ ମଧ୍ୟ ଏହି ଦ୍ୱନ୍ଦ୍ୱ ମଧ୍ୟରେ ଅଛନ୍ତି ।
ମିଡିଆ ରିପୋର୍ଟ ଅନୁଯାୟୀ ଦୟା ବେନଙ୍କ ଭୂମିକା ପାଇଁ ଦୃଷ୍ଟି ଧାମି, ସ୍ମିତା ବନସଲ୍ ଓ ରାଗିଣୀ ଖାନ୍ନାଙ୍କ ଭଳି ଅନେକ ଟେଲି ନାୟିକା ଆଖି ସାମନାକୁ ଆସୁଥିବାବେଳେ ମୁଖ୍ୟତଃ ୩ଜଣ ଅଭିନେତ୍ରୀ ପରଫେକ୍ଟ ହେବେ ବୋଲି ପ୍ରଶଂସକ ମହଲରେ ଚର୍ଚ୍ଚା ହେଉଛି । ସେମାନେ ହେଉଛନ୍ତି –
୧- ଶିଳ୍ପା ସିନ୍ଦେ
ଦୟା ବେନ୍ ଚରିତ୍ର ପାଇଁ ଦର୍ଶକଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ଶିଳ୍ପା । ନିଜର ଦକ୍ଷ ଅଭିନୟ ପାଇଁ ଘରେ ଘରେ ପରିଚିତ ଶିଳ୍ପା ‘ଭାବିଜୀ ଘର୍ ପର୍ ହେ’ରେ ଅଙ୍ଗୁରୀ ଭାବି ଚରିତ୍ରରେ ଅଭିନୟ କରିଥିଲେ । ଶିଳ୍ପାଙ୍କ ଅଭିନୟ ଦର୍ଶକଙ୍କୁ ଖୁବ୍ ଆକୃଷ୍ଟ କରିଥିଲା ।
୨- ସୁମୋନା ଚକ୍ରବର୍ତ୍ତି
‘ଦ କପିଲ୍ ଶର୍ମା ଶୋ’ରେ ଭୂରି ଚରିତ୍ରରେ ଅଭିନୟ କରିଥିବା ସୁମୋନା ଆଗାମୀ ଦିନରେ ଦୟା ବେନ୍ ଚରିତ୍ରରେ ଦେଖିବାକୁ ମିଳିବେ ବୋଲି ଦର୍ଶକ ଅନୁମାନ କରୁଛନ୍ତି ।
୩- ସୁଗନ୍ଧା ମିଶ୍ରା
କପିଲ୍ ଶର୍ମା ଶୋ’ର ଆଉ ଜଣେ ହାସ୍ୟ କଳାକାର ସୁଗନ୍ଧାଙ୍କୁ ନେଇ ଦର୍ଶକ ମହଲରେ ଅନେକ ଚର୍ଚ୍ଚା ହେଉଛି । ଦିଶା ଭକାନୀଙ୍କ ପରେ ସୁଗନ୍ଧା ଦୟା ବେନ୍ ଭୂମିକା ପାଇଁ ଏକଦମ୍ ଫିଟ୍ ବୋଲି ଦର୍ଶକଙ୍କ ଠାରୁ ପ୍ରତିକ୍ରିୟା ମିଳୁଛି ।
ଆଜିକାଲି ଦର୍ଶକ ମହଲରେ ଏଭଳି ଅନେକ କିଛି କଳ୍ପନାଜଳ୍ପନା ଚାଲିଛି । କିନ୍ତୁ ଦେଖିବା ବାକି ରହିଲା ଯେ ଦୟା ବେନ୍ ଚରିତ୍ର ପାଇଁ ଶୋ’ର ନିର୍ମାତା କାହାକୁ ପସନ୍ଦ କରୁଛନ୍ତି । ଏଥିପାଇଁ ଅଡିସନ୍ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି କିଛିଦିନ ତଳେ ସୂଚନା ମିଳିଥିଲା ।