୨୦୧୪ରେ ପ୍ୟାରୀ, ୨୦୧୯ରେ ଜୟ
ଆଜିବି ମଧ୍ୟରାତ୍ରୀର ଅପରେସନ୍ କଥା କହିଲେ ମୋଦିଙ୍କ ସର୍ଜିକାଲ୍ ଷ୍ଟ୍ରାଇକ୍ ଅପେକ୍ଷା ଓଡ଼ିଶାର ଲୋକଙ୍କୁ ୨୦୧୨, ମେ ମାସର ଘଟଣା ମନେ ପକାଇ ଦିଏ। ଏହି ମାସ ୨୯ ତାରିଖରେ ଓଡ଼ିଶା ରାଜନୀତିକ ଆକାଶରେ ଏକ ନୂଆ ସମୀକରଣ ସୃଷ୍ଟି ହେଲା। ଚାଣକ୍ୟ ହୋଇଗଲେ ଷଡ଼ଯନ୍ତ୍ରକାରୀ। ଆଉ ଶାସକ ପାଲଟିଲେ ଅଧିକ ଶକ୍ତ, ଲୋକପ୍ରିୟ। ଏ ଭିତରେ ଗୋଟିଏ ସାଧାରଣ ଓ ବିଧାନସଭା ନିର୍ବାଚନର ଅନ୍ତ ହୋଇଛି। ନବୀନ ଯଥେଷ୍ଟ କ୍ଷମତା ପାଇଛନ୍ତି ଆଉ ଆସନ୍ନ ହୋଇଛି ୨୦୧୯ ନିର୍ବାଚନ। ଏହି ପୃଷ୍ଠଭୂମିରେ ଠିକ୍ ‘୨୦୧୨-ପ୍ୟାରୀ ଷଡ଼ଯନ୍ତ୍ର’ ଭଳି ଉଭା ହୋଇଛି ‘ନବୀନଙ୍କ ଖରାପ ସ୍ଵାସ୍ଥ୍ୟ’ ପ୍ରସଙ୍ଗ। କ୍ଷମତା ପାଇଁ ବୈଜୟନ୍ତଙ୍କ ଏହା ଏକ ଷଡ଼ଯନ୍ତ୍ର ଥିଲା ବୋଲି ନବୀନ ଘରୋଇ ଟିଭି ଚ୍ୟାନେଲ୍କୁ କହିଛନ୍ତି। ଏପରିକି ବୈଜୟନ୍ତ, ନବୀନଙ୍କ କ୍ଷମତାକୁ ଅକ୍ତିଆର କରିବା ପାଇଁ ଏହିପରି ଉଦ୍ୟମ କରିଥିବା ସେ କହିଛନ୍ତି। ନବୀନଙ୍କ ଏହି ବୟାନ ପରେ ଓଡ଼ିଶା ରାଜନୀତିରେ ଏକ ନୂଆ ମୋଡ଼ ସୃଷ୍ଟି ହୋଇଛି। ଯଦିଓ ବୈଜୟନ୍ତ ଏହାକୁ ନବୀନଙ୍କ ‘ଷଡ଼ଯନ୍ତ୍ର ତତ୍ତ୍ଵ’ କହିଛନ୍ତି କିନ୍ତୁ ଏହା କ’ଣ ତାଙ୍କ ବିରୋଧରେ ସୃଷ୍ଟି ହେଉଥିବା ଘୃଣା ଭିତ୍ତିକ ଲୋକମତକୁ ରୋକିପାରିବ?
୨୦୧୪- ‘ପିଠିରେ ଛୁରୀ’
ଆମେ ଏଠାରେ ସେଇ ପ୍ୟାରୀମୋହନ ଉପାଖ୍ୟାନ କଥା କହୁଛୁ। ଯିଏ ଶାସକ ନବୀନ ପଟ୍ଟନାୟକଙ୍କ ପଛପଟୁ ଛୂରାଘାତ କରିଥିବା ନେଇ ଖବରକାଗଜରେ ରିପୋର୍ଟ ପ୍ରକାଶ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଖୋଦ୍ ମିଡିଆ ସାମ୍ନାରେ ଏହା କହିଥିଲେ। ସାଂସଦ ଥିବା ପ୍ୟାରୀ ସେତେବେଳେ ଲୋକଙ୍କ ଆଗରେ ବିଷପ୍ରାୟ ହୋଇଗଲେ। ଦିନେ ରାଜା ଭୋଜ୍ୟ ଦାଣ୍ଡର ଭିକାରୀ ହେବା ପରି ପ୍ୟାରୀ ଘୂରିବୁଲିଲେ ଏଣେ ତେଣେ। ଶେଷରେ ମାନସିକ ବିଷାଦ ଭିତରେ ଅନେକ ଦିନ ଗତି କରିବା ପରେ ରୋଗାଗ୍ରସ୍ତ ହେଲେ ଓ ତାଙ୍କର ମୃତ୍ୟୁ ଘଟିଲା।
ଅଭିଯୋଗ ଥିଲା ପ୍ୟାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି କାମରେ ବିଦେଶ ଯାଇଥିବାବେଳେ ସେ ତାଙ୍କ ପଛପଟେ କ୍ଷମତା ଅକ୍ତିଆର ପାଇଁ ଚାହିଁଥିଲେ। ଏଥିରେ ସମ୍ପୃକ୍ତ ବିଧାୟକମାନଙ୍କୁ ମଧ୍ୟ ଶାସ୍ତି ମିଳିଲା। ଅଞ୍ଜଳି ବେହେରା ଏବଂ ସଞ୍ଜୀବ ସାହୁ ଏଯାଏ ରାଜନୀତିକ ଶିଡ଼ି ଚଢ଼ିବାରେ ସକ୍ଷମ ହୋଇପାରୁ ନାହାନ୍ତି।
୨୦୧୨ ମସିହାରେ ଏହି ଷଡ଼ଯନ୍ତ୍ରର କାହାଣୀ ଲୋକଙ୍କୁ ବିଶେଷ ଆକର୍ଷିତ କରିଥିଲା। ଆଉ ୨୦୧୪ ମସିହାରେ ନବୀନଙ୍କୁ ନିର୍ବାଚିତ କରିଥିଲେ ସାଧାରଣ ଜନତା, ବିପୁଳ ସଂଖ୍ୟାରେ। ଖାଲି ବିଧାନସଭା ନୁହେଁ ଲୋକସଭାରେ ମଧ୍ୟ ନବୀନଙ୍କ ବିଜେଡି ଇତିହାସ ସୃଷ୍ଟି କରିଥିଲା।
୨୦୧୯ରେ ବେଜୟନ୍ତ ଟାର୍ଗେଟ୍
ଏବେ ୨୦୧୯ କଥା। ନବୀନଙ୍କ ଶତ୍ରୁ କିଏ ତାହା ସ୍ପଷ୍ଟ। କଂଗ୍ରେସ ଆଉ ରାସ୍ତାରେ ନାହିଁଁ। ବଳିଷ୍ଠ ବିଜେଡି ନିଜେ ନିଜର ଶତ୍ରୁ ବୋଲି କିଛିଦିନ ଆଗରୁ ଜଣାପଡ଼ୁଥିଲା। ଅପରପକ୍ଷେ ନବୀନଙ୍କ ପ୍ରତିଟି ରଣନୀତି ଏବଂ ଭାଷଣରେ ବାରି ହୋଇପଡ଼ୁଛି ବିଜେପି ପ୍ରତି ଆକ୍ଷେପ ଓ ପ୍ରତ୍ୟୁତ୍ତର। ଅର୍ଥାତ୍ ଏଥର ଲଢ଼େଇ ବିଜେପି ଓ ବିଜେଡି ଭିତରେ। ଏ ଭିତରେ ବିଜେପିରେ ବଢ଼ୁଥିବା ବୈଜୟନ୍ତଙ୍କୁ ସଫା କରିବା ପାଇଁ ନବୀନ ଯୋଜନା କରିଛନ୍ତି। ଜନତାଦଳର ଗଡ଼ କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କୁ ଜଣେ ‘ଷଡ଼ଯନ୍ତ୍ରକାରୀ’ ଭାବେ ବୟାନ କରିବାକୁ ପଛାଇ ନାହାନ୍ତି ନବୀନ। ଯଦିଓ ସେ ସିଧାସଳଖ ଭାବେ ଏହି ଶବ୍ଦକୁ ବ୍ୟବହାର କରିନାହାନ୍ତି କିନ୍ତୁ ବୈଜୟନ୍ତ ତାଙ୍କ ପଦବୀକୁ ହାତେଇବା ପାଇଁ ଅତୀତରେ ଉଦ୍ୟମ କରୁଥିବା କହିଛନ୍ତି।
ଏନ୍ଡିଟିଭି ୨୪/୭ ନ୍ୟୁଜ୍ ଚ୍ୟାନେଲ୍କୁ ସାକ୍ଷାତକାର ଦେଇ ନବୀନ କହିଛନ୍ତି, ତାଙ୍କ ଅସୁସ୍ଥ ଥିବା ଖବରକୁ ବୈଜୟନ୍ତ ହିଁ ପ୍ରଚାର କରିଥିଲେ। କିନ୍ତୁ ସେ ସମ୍ପୂଣ୍ଣ ଫିଟ୍ । ଟେଲିଭିଜନ୍ ସ୍କ୍ରିନ୍ରେ ସେ ନିଜର ଫିଟ୍ନେସ୍କୁ ପ୍ରତିଫଳିତ କରିଛନ୍ତି। ଘରେ ଥିବା ତାଙ୍କ ବ୍ୟକ୍ତିଗତ ଜିମ୍ରେ ସେ କିପରି ଫିଟ୍ ତାହାକୁ ପ୍ରଦର୍ଶିତ କରିଛନ୍ତି।
ନବୀନ ନିଜେ ଫିଟ୍ଥିବା କଥାକୁ ପ୍ରଚାର କରିବା ପାଇଁ ସୋଶାଲ୍ ମିଡିଆର ସହାୟତା ନେଇଛନ୍ତି। ଏକ ସ୍ଵତନ୍ତ୍ର ଭିଡିଓ ଯୋଗେ ନବୀନ ଫିଟ୍ଥିବା କଥା କହୁଛନ୍ତି। ଏପରି ଭିଡିଓ କେବେ ପୂର୍ବରୁ ହୋଇ ନଥିଲା, ଯାହା ଏବେ ହାତକୁ ହାତ ମୋବାଇଲ୍ ଦ୍ଵାରା ଘୂରିବୁଲିଛି।
ବୈଜୟନ୍ତଙ୍କ ବିରୋଧରେ ନବୀନଙ୍କ ଏହି ପ୍ରତିକ୍ରିୟା କେନ୍ଦ୍ରାପଡ଼ା ନିର୍ବାଚନକୁ ପ୍ରଭାବିତ କରିବ ଏଥିରେ ସନ୍ଦେହ ନାହିଁ। ଯଦିଓ ଏହି ପ୍ରତିକ୍ରିୟାକୁ ବୈଜୟନ୍ତ ପରାହତ କରିବାକୁ ଚାହିଁଛନ୍ତି ଏବଂ ‘ଏହା ନବୀନଙ୍କ ଷଡ଼ଯନ୍ତ୍ର’ ତତ୍ତ୍ଵ ବୋଲି କହିଛନ୍ତି, ତଥାପି ନବୀନଙ୍କ ଲୋକପ୍ରିୟତା ଓ ସରଳ ପ୍ରତିଛବି ବୈଜୟନ୍ତଙ୍କୁ ସମସ୍ୟା ଘେରକୁ ଟାଣିଆଣିପାରେ। ଯଦି ତାହା ସତ ହୁଏ ତେବେ ବୈଜୟନ୍ତଙ୍କ ସ୍ଥିତି ବିପଜ୍ଜନକ।