‘ରୋମିଓ ଆକବର୍ ୱାଲଟର୍’(ର)ର ବକ୍ସଅଫିସ୍ ହାଲଚାଲ୍
ଖିଲାଡ଼ି କୁମାର ଅକିଙ୍କ ଅଭିନୀତ ‘କେଶରୀ’ ଆଗରେ ଗତ ଫ୍ରାଇଡେ’ରେ ଏକାସାଙ୍ଗେ ମୁକ୍ତିଲାଭ କରିଥିବା ୩ଟି ଫିଲ୍ମ ‘ଜଙ୍ଗଲି’, ‘ନୋଟବୁକ୍’ ଓ ‘ଗନ କେଶ୍’ ସମ୍ପୂର୍ଣ୍ଣ ଭାବେ ଫ୍ଲପ୍ ହୋଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ମୁକ୍ତିଲାଭ କରିବାର ୧୫ ଦିନ ମଧ୍ୟରେ ‘କେଶରୀ’ ୧୫୦ କୋଟି ଫିଲ୍ମ କ୍ଲବ୍ରେ ସାମିଲ୍ ହୋଇଥିଲା । ତେବେ ‘କେଶରୀ’କୁ ଟକ୍କର ଦେବାକୁ ଏଥର ଫ୍ରାଇଡେ’ ରିଲିଜରେ ଆସିଛି ଜନ୍ ଆବ୍ରାହମଙ୍କ ଅଭିନୀତ ‘ରୋମିଓ ଆକବର ୱାଲଟର୍’ ବା ସର୍ଟରେ କହିବାକୁ ଗଲେ ‘ର’ । ରବି ଗ୍ରେୱାଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଓପନିଙ୍ଗ୍ ଡେ’ରେ ୬କୋଟି ଟଙ୍କାର ବ୍ୟବସାୟ କରିଥିଲା । ୨ୟ ଦିନରେ ଏହାର ବ୍ୟବସାୟ ଥିଲା ୭କୋଟି ୭୦ ଲକ୍ଷ ଟଙ୍କା । ମୋଟ ଉପରେ ‘ର’ ଦୁଇଦିନ ମଧ୍ୟରେ ୧୩ କୋଟି ୭୦ ଲକ୍ଷ ଟଙ୍କାର ବ୍ୟବସାୟ କରିଥିବା ବେଳେ ୱିକଏଣ୍ଡରେ ଏହାର ବ୍ୟବସାୟରେ ନିଶ୍ଚିତଭାବେ ବୃଦ୍ଧି ଘଟିବ ବୋଲି ଟ୍ରେଡ୍ ଆନାଲିଷ୍ଟ୍ ମାନେ ମତ ଦେଇଛନ୍ତି ।
ଦେଶଭକ୍ତିର କାହାଣୀ ଓ ଭାରତୀୟ ସେନାର ବିରତ୍ୱ ବର୍ଣ୍ଣନା କରୁଥିବା ‘କେଶରୀ’ ପରେ ‘ର’ ସିନେପ୍ରେମୀଙ୍କୁ ଆକୃଷ୍ଟ କରିଛି । ‘ର’ରେ ଜନ୍ ଜଣେ ଗୁପ୍ତଚର ଭୂମିକାରେ ଅଛନ୍ତି ଏବଂ କାହାଣୀ ଅନୁଯାୟୀ ତାଙ୍କୁ ବିଭିନ୍ନ ଲୁକରେ ଦେଖିବାକୁ ମିଳିଛି । ଜନ୍ ପୁଣିଥରେ ନିଜ ଅଭିନୟ ଦକ୍ଷତାର ପ୍ରମାଣ ଦେବା ସହ ଜନଙ୍କ ଏଭଳି ଭିନ୍ନ ଅବତାରକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ‘ର’ର ପୋଷ୍ଟର୍ ରିଲିଜ୍ ହେବା ପରଠାରୁ ହିଁ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା ।