ସରୋଜିନୀ ବିଜେଡିର ବାରିପଦା ପ୍ରାର୍ଥୀ
ଉପ-ବାଚସ୍ପତିଙ୍କ ଟିକେଟ୍ କଟିଲା
୬ ଜଣ ରାଜ୍ୟସଭା ସାଂସଦଙ୍କୁ ନିର୍ବାଚନୀ ମଇଦାନରେ ଓହ୍ଲାଇଛି ବିଜେଡି
ବିଜେଡି ବାରିପଦା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ଏଠାରୁ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍ଙ୍କୁ ପ୍ରାର୍ଥୀ କରିଛି। ଏହା ସହିତ ଉପ-ବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ଟିକେଟ୍ କଟିଯାଇଛି। ସେ ଗତଥର ଏଠାରୁ ଦଳୀୟ ଟିକେଟ୍ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଆଜିର ଏହି ଘୋଷଣା ସହିତ ବିଜେଡି ମୋଟ ୧୪୭ଟି ବିଧାନସଭା ଆସନରୁ ୧୪୬ଟିରେ ପ୍ରାର୍ଥୀ ଦେଇସାରିଛି। ଦଳ ଏଯାଏ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଇ ନାହିଁ।
ସେହିପରି ଏଥର ନିର୍ବାଚନରେ ଦଳ ସରୋଜିନୀ ହେମ୍ବ୍ରମଙ୍କୁ ମିଶାଇ ମୋଟ ୬ ଜଣ ରାଜ୍ୟସଭା ସାଂସଦଙ୍କୁ ନିର୍ବାଚନୀ ମଇଦାନରେ ଓହ୍ଲାଇଛି। ସେଥିରୁ ସରୋଜିନୀଙ୍କୁ ମିଶାଇ ତିନି ଜଣ ବିଧାନସଭା ନିର୍ବାଚନ ଲଢ଼ୁଥିବା ବେଳେ ଆଉ ତିନି ଜଣ ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରତାପ ଦେବଙ୍କୁ ଯଥାକ୍ରମେ ଖଣ୍ଡପଡ଼ା ଓ ଆଳି ବିଧାନସଭା ଆସନରୁ ଦଳ ପ୍ରାର୍ଥୀ କରିଛି। ସେହିପରି ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବରଗଡ଼ ଓ ଅଚ୍ୟୁତ ସାମନ୍ତଙ୍କୁ କନ୍ଧମାଳ ଲୋକସଭା ଆସନରୁ ଛିଡ଼ା କରାଯାଇଛି।