ମୋଦୀ ହାୱା ଭରସାରେ ଜୁଏଲ

ରାଜ୍ୟର ୨୧ଟି ଲୋକସଭା ଆସନରୁ ଯେଉଁ କିଛି ଆସନ କଡା ଟକ୍କର ପାଇଁ ଚର୍ଚ୍ଚାରେ ରହିଛି ସେଥିରୁ ଗୋଟିଏ ହେଲା ସୁନ୍ଦରଗଡ। ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଏହି ଆସନ ବର୍ତ୍ତମାନ ବିଜେପି ଅକ୍ତିଆରରେ ରହିଛି। ୨୦୧୪ର ସାଧାରଣ ନିର୍ବାଚନରେ ବିଜେପିର ବରିଷ୍ଠ ଆଦିବାସୀ ନେତା ଜୁଏଲ ଓରାମ ବିଜେଡିର ଦିଲ୍ଲୀପ ତିର୍କୀଙ୍କୁ ହରାଇ ରାଜ୍ୟର ଏହି ସ୍ଥାନରେ ପଦ୍ମ ଫୁଟାଇବାରେ ସଫଳ ହୋଇଥିଲେ।

ନବେ ଦଶକରେ କଂଗ୍ରେସ ଗଡ଼ ଭାବେ ପରଚିତ ଥିବା ସୁନ୍ଦରଗଡରେ ୧୯୯୮ରେ ବିଜେପି ଓ ବିଜେଡିର ସଂଯୁକ୍ତ ପ୍ରାର୍ଥୀ ଭାବେ ଜୁଏଲ ଓରାମ ଏଠାରୁ ବିଜୟୀ ହୋଇ ୨୦୦୯ ପର୍ଯ୍ୟନ୍ତ ରହିଥିଲେ। ୨୦୦୯ରେ ବିଜେଡି ସହିତ ବିଜେପିର ମେଣ୍ଟ ଭାଙ୍ଗିବା ପରେ ଜୁଏଲଙ୍କୁ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଠାରୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା।

୨୦୧୪ ସାଧାରଣ ନିର୍ବାଚନରେ ଜୁଏଲ ପୁଣି ବିଜୟ ଲାଭ କରି କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ଚଳିତ ବର୍ଷ ମଧ୍ୟ ସେ ପୁନଃ ଜନସମର୍ଥନ ହାସଲ କରିବା ଲାଗି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଜୁଏଲଙ୍କୁ ଏଥର କଡା ଟକ୍କର ଦେବେ କଂଗ୍ରେସରୁ ଆଦିବାସୀ ନେତା ତଥା ବିରମିତ୍ରପୁର ବିଧାୟକ ଜର୍ଜ ତିର୍କୀ।

ସେହିଭଳି ବିଜେଡିରୁ ମଧ୍ୟ ଏଠାରୁ ସୁନୀତା ବିଶ୍ୱାଳଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ସୁନୀତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ। ସୁନୀତା ବିଶ୍ୱାଳ ୨୦୧୮ରେ ନୂଆ କରି ରାଜନୀତିରେ ପାଦ ଦେଇଛନ୍ତି। ରାଜନୀତିରେ ପ୍ରବେଶ କରିବା ବେଳେ କଂଗ୍ରେସ ତାଙ୍କୁ ସୁନ୍ଦରଗଡ ଜିଲ୍ଲାରୁ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ନିଯୁକ୍ତି କରିଥିଲା। ସୁନ୍ଦରଗଡର କଂଗ୍ରେସ ବିଧାୟକ ଯୋଗେଶ ସିଂହ ବିଜେଡିରେ ମିଶିବା ପରେ ସୁନୀତାଙ୍କୁ ସୁନ୍ଦରଗଡରୁ ବିଧାନସଭା ପ୍ରାର୍ଥୀ ଭାବେ ସୁନିଶ୍ଚିତ କରାଯାଇଥିଲା।

କିନ୍ତୁ ବିଜେଡିକୁ ଏହି ଅଞ୍ଚଳରୁ ଜୁଏଲ ଓ ଜର୍ଜଙ୍କୁ ଟକ୍କର ଦେବା ପାଇଁ କେହି ଉପଯୁକ୍ତ ପ୍ରାର୍ଥୀ ନ ମିଳିବାରୁ ସେ ସୁନୀତାଙ୍କୁ ଲୋକସଭା ପ୍ରାର୍ଥୀ କରିବାର ପ୍ରସ୍ତାବ ଦେଇ ନିଜ ଦଳକୁ ନେଇ ଆସିଥିଲେ। କଂଗ୍ରେସ ସାମିଲ ହେଉ ହେଉ ଜର୍ଜଙ୍କୁ କଂଗ୍ରେସରୁ ଟିକଟ ମିଳିବାରୁ ପୁରୁଣା କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। କିନ୍ତୁ ଜର୍ଜ ତିର୍କୀଙ୍କ ଉପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରତ୍ୟକ୍ଷ ସମର୍ଥନ ଥିବା ହେତୁ କର୍ମୀମାନେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିପାରିନଥିଲେ।

ବିଶେଷ ସୂତ୍ରରୁ ପ୍ରକାଶ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ କଂଗ୍ରେସ ମୁଖ୍ୟଙ୍କୁ ଏକ ଭୁୟାଁ ପ୍ରାର୍ଥୀ ଦେବା ପାଇଁ ପତ୍ର ଲେଖିଥିଲେ। କିନ୍ତୁ ତାଙ୍କ ପ୍ରସ୍ତାବକୁ ଅଣଦେଖା କରି କଂଗ୍ରେସ ଜର୍ଜ ତିର୍କୀଙ୍କୁ ନିଜ ପ୍ରାର୍ଥୀ ଭାବେ ଘୋାଷଣା କରିଥିଲା। ଏହା ପରେ ସୁନୀତା ବିଶ୍ୱାଳ ବିଜେଡିରେ ଯୋଗ ଦେଇକଂଗ୍ରେସ ପାଇଁ କ୍ଷତିର ଆଶଙ୍କାକୁ ବଢାଇ ଦେଇଛନ୍ତି।

ଭୋଟରଙ୍କ ଦୃଷ୍ଟିରେ ସୁନ୍ଦରଗଡର ସ୍ଥିତି ବଡ ରୋଚକପୂର୍ଣ୍ଣ ରହିଛି। ଏହି ଆଦିବାସୀ ବହୁଳ ଜିଲ୍ଲାରେ ଏଥର ୧୫ ଲକ୍ଷରୁ ଅଧିକ ଭୋଟର ଅଛନ୍ତି। ଏଥିରୁ ୪ ଲକ୍ଷ କେବଳ ଖ୍ରୀଷ୍ଟିଆନ ଓ ମୁସଲିମ ଭୋଟର। ଏହା ସବୁବେଳେ ବିଜେପି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ। ଅଳ୍ପ ସଂଖ୍ୟକରୁ ଅଧିକାଂଶ ବିଜେପି ବିରୋଧରେ ଭୋଟ ଦେଇଥାନ୍ତି। ଅଳ୍ପ ସଂଖ୍ୟକଙ୍କ ସହିତ ଭୁୟାଁ ଆଦିବାସୀଙ୍କ ସହିତ ମିଶିବାରୁ ଏହା କଂଗ୍ରେସ ପାଇଁ ଲାଭପ୍ରଦ ହୋଇଥାଏ। ସେଥିରୁ କୌଣସି ପ୍ରକାର ଏହା ଭାଙ୍ଗିଗଲେ ଏହା ବିଜେପି ପାଇଁ ଲାଭଦାୟକ ହେବ।

୨୦୧୪ରେ ବିଜଦ ପ୍ରାର୍ଥୀ ଦିଲ୍ଲୀପ ତିର୍କୀ (ଖ୍ରୀଷ୍ଟିଆନ) ଓ କଂଗ୍ରେସ ପ୍ରାର୍ଥୀ ହେମାନନ୍ଦ ବିଶ୍ୱାଳ (ଭୁୟାଁ)ଙ୍କ ସହିତ ତ୍ରିକୋଣୀୟ ମୁକାବିଲାରେ ଜୁଏଲ ଓରାମଙ୍କୁ ଲାଭ ମିଳିଥିଲା। ଏଥର ମଧ୍ୟ ପାଖାପାଖି ସେହିଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଫରକ କେବଳ ଏତିକି ଯେ କଂଗ୍ରେସ ପାଖରେ ଖ୍ରୀଷ୍ଟିଆନ ଓ ବିଜେଡି ପାଖରେ ଭୁୟାଁ ପ୍ରାର୍ଥୀ।

ସାତଟି ବିଧାନସଭା ଅଞ୍ଚଳକୁ ନେଇ ଗଠିତ ସୁନ୍ଦରଗଡ ଲୋକସଭାରେ ରାଉରକେଲାକୁ ଛାଡ ଅନ୍ୟ ଛଅଟି ଅଞ୍ଚଳ ସଂରକ୍ଷିତ ଅଟେ। ରଘୁନାଥପାଲି ଅନୁସୂଚିତ ଜାତି ପାଇଁ ଓ ଅନ୍ୟ ପାଞ୍ଚଟି ଯଥା- ସୁନ୍ଦରଗଡ, ତଲସରା, ରାଜଗାଙ୍ଗପୁର, ବଣାଇ ଓ ବୀରମିତ୍ରପୁର ଆଦିବାସୀଙ୍କ ପାଇଁ ସଂରକ୍ଷିତ।

ସାତଟିରୁ ଦୁଇଟି ବିଜେଡି, ଦୁଇଟି କଂଗ୍ରେସ, ଗୋଟିଏ ବିଜେପି, ଗୋଟିଏ ସିପିଏମ ଓ ଗୋଟିଏ ନିର୍ଦ୍ଦଳୀୟଙ୍କ ହାତରେ ଅଛି। ଗତ ନିର୍ବାଚନରେ ଜୁଏଲ ଓରାମ କଡା ଟକ୍କର ସହିତ ୧୮ ହଜାର ଭୋଟ ଅନ୍ତରରେ ବିଜୟ ହାସଲ କରିଥିଲେ। କିନ୍ତୁ ଏଥର ଜୁଏଲଙ୍କ ପକ୍ଷରେ କିଛି କ୍ଷମତା ରହିଛି। ଗତ ନିର୍ବାଚନରେ ବିଜେପି ପାଖରେ କୌଣସି ସରକାର ନଥିଲା। ଏଥର କିନ୍ତୁ ତାଙ୍କ ପଛରେ କେନ୍ଦ୍ର ସରକାର ଅଛନ୍ତି। ଗତ ନିର୍ବାଚନ ସମୟରେ ସୁନ୍ଦରଗଡ ଜିଲ୍ଲାରେ ବିଜେପିରେ ଗୋଟିଏ ବି ଜିଲ୍ଲା ପରିଷଦ ସଦସ୍ୟ ନଥିବା ବେଳେ ୨୦୧୭ ତ୍ରିସ୍ତରୀୟ ନିର୍ବାଚନରେ ବିଜେପି ଜିଲ୍ଲାର ୩୫ଟି ଆସନରୁ ୧୩ଟିରେ ବିଜୟ ହାସଲ କରିଥିଲା।

ବାଲାକୋଟରେ ଏୟାର ଷ୍ଟ୍ରାଇକ‌୍‍ ପରେ ସାଧାରଣ ଲୋକଙ୍କର ମୋଦୀଙ୍କ ପ୍ରତି ପ୍ରବଳ ଜନସମର୍ଥନ ବଢିବାରେ ଲାଗିଛି। କିଛି ଲୋକ ରାଉରକେଲାର ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ଦଳ ଛାଡିବା ଜୁଏଲଙ୍କ ପାଇଁଁ ଘାତକ ହୋଇପାରେ ବୋଲି ଭାବୁଛନ୍ତି। ଦିଲ୍ଲୀପ ରାୟ ଦଳ ଛାଡିବା ତାଙ୍କ ଉପରେ କିଛି ପ୍ରଭାବ ପଡିପାରେ। ଦିଲ୍ଲୀପ ଗୁରୁବାର ରାଉରକେଲା ଆସିଥିବା ବେଳେ ଯାହା ସଗ୍ଧେତ ଦେଉଛନ୍ତି, ତାହା ଜୁଏଲଙ୍କ ପାଇଁ ସୃଷ୍ଟି କରିପାରିପାରେ ଭୀଷଣ ଅଡୁଆ। କିନ୍ତୁ ସେତେଟା ବି ନୁହେଁ, ଯେତେଟା ଲୋକେ ଭାବୁଛନ୍ତି। କାରଣ ଯଦି ପ୍ରକୃତରେ ଦିଲ୍ଲୀପ ରାୟ ପ୍ରଭାବଶାଳୀ ହୋଇଥାନ୍ତେ ତେବେ ଗତ ନିର୍ବାଚନ ସମୟରେ ରାଉରକେଲା ସହିତ ରଘୁନାଥପାଲିରୁ ନିଜ ପ୍ରାର୍ଥୀ ଜଗବନ୍ଧୁ ବେହେରାଙ୍କୁ ଜିତାଇ ପାରିଥାନ୍ତେ।

ଏଥର ମଧ୍ୟ ନରେନ୍ଦ୍ର ମୋଦୀ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ପାଇଁ ଶନିବାର ସୁନ୍ଦରଗଡ ଆସିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନିଶ୍ଚିତ ଭାବେ ଜୁଏଲ ଓ ଅନ୍ୟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ନିଶ୍ଚିତ କରିପାରେ। ଆଜିର ମୋଦୀଙ୍କ ଗସ୍ତ ଅନ୍ତତଃ ସଗ୍ଧେତ ଦେଇଛି ଯେ ଏଥର ଜୁଏଲଙ୍କ ପାଇଁ ଲଢେଇ ଜିତିବା ସହଜ ହେବ। ଗତଥର ବହୁ ଅସୁବିଧା ଭିତରୁ ବାହାରି ଯାଇଥିବା ଜୁଏଲ ମୋଦୀଙ୍କ ହାୱାରୁ ଫାଇଦା ପାଇଯାଇପାରନ୍ତି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

୫ ଆସନରେ ବଦଳି ପାରନ୍ତି ବିଜେଡି ପ୍ରାର୍ଥୀ

ଭାଇରାଲ ଭିଡିଓ ନେଇ ଅଡ଼ୁଆରେ ପ୍ରଦୀପ ମାଝୀ

କେଉଁ ଅବିବାହିତ ବା ସିଙ୍ଗଲ ନେତାଙ୍କ ହାତରେ ରହିବ କ୍ଷମତା ଚାବିକାଠି?

Leave a Reply

Your email address will not be published. Required fields are marked *