ପ୍ରତାପଙ୍କୁ ହରାଇବା ପାଇଁ ଧର୍ମେନ୍ଦ୍ରଙ୍କ ଓ ସମର୍ଥକଙ୍କ ଉଦ୍ୟମ ଆଶଙ୍କା
ବିଭିନ୍ନ ସ୍ଥାନରେ ବିଜେପିର ସାଂସଦ ପାଇଁ ଟିକେଟ୍ ବଣ୍ଟନକୁ ନେଇ ଅସନ୍ତୋଷ ଘନୀଭୂତ ହେଉଥିବା ବେଳେ ଏସବୁର ମୂଳ କାରଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି ଚର୍ଚ୍ଚା ହେଉଛି। ଏପରିକି ବାଲେଶ୍ଵରରେ ଧର୍ମେନ୍ଦ୍ର ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ହରାଇବା ଲାଗି ପଛଦ୍ଵାର ଉଦ୍ୟମ କରୁଥିବା ମଧ୍ୟ ଆଲୋଚନା ହେଉଛି। ଶ୍ରୀ ଷଡ଼ଙ୍ଗୀଙ୍କୁ ଅକଳରେ ପକାଇବା ପାଇଁ ଯେଉଁ ଉଦ୍ୟମ ହେଉଛି ସେସବୁ ପ୍ରାୟୋଜିତ ଏବଂ ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପ୍ରୋତ୍ସାହନ ରହିଛି ବୋଲି ବିଜେପି କର୍ମୀ ମହଲରେ ଆଲୋଚନା ହେଲାଣି।
ଶ୍ରୀ ଷଡ଼ଙ୍ଗୀ ନିକଟତର ତଥା ଜିଲ୍ଲା ବିଜେପିର ପ୍ରମୁଖମାନେ ଗୁରୁବାରଦିନ ଏ ବିଷୟରେ ଚର୍ଚ୍ଚା କରିଛନ୍ତି। ସେମାନଙ୍କ ଅନୁସାରେ ଯେଉଁ ଦୁଇଟି ସ୍ଥାନରେ ପ୍ରତାପଙ୍କ ଭୋଟ୍ ଶଙ୍କାରେ ଅଛି ତାହା ହେଲା ଭୋଗରାଇ ଏବଂ ବଡ଼ସାହି ବିଧାନସଭା ମଣ୍ଡଳୀ। ଏହି ଦୁଇ ମଣ୍ଡଳୀରେ ପ୍ରାର୍ଥୀ ଚୟନ ଅତ୍ୟନ୍ତ ପ୍ରୀୟାପ୍ରୀତିରେ ହୋଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି। ଏପରିକି ରାଜନୀତିକ ସମ୍ପର୍କ ନଥିବା ଜଣେ ବ୍ୟକ୍ତି କେବଳ କେନ୍ଦ୍ରମନ୍ତ୍ରୀଙ୍କ ନିକଟତର ବୋଲି ପ୍ରାର୍ଥୀ ହେବାର ସୁଯୋଗ ପାଇଥିବା ନେଇ କର୍ମୀ ଅସନ୍ତୋଷ ଦେଖା ଦେଇଛି। ଜଣେ କର୍ମୀ କହିଛନ୍ତି,ଏ ବାବଦରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଭୋଗରାଇରେ ଦଳ ଯାହାଙ୍କୁ ପ୍ରାର୍ଥୀ କରିଛି ତାଙ୍କୁ ତୁରନ୍ତ ବଦଳାଇବା ପାଇଁ ମଧ୍ୟ ପ୍ରସ୍ତାବ ପାରିତ ହୋଇଛି। ଏହି ନିଷ୍ପତ୍ତିକୁ ଦଳୀୟ ସଭାପତିଙ୍କୁ ପଠାଯାଇଥିବା ସେ ସୂଚନା ଦେଇଛନ୍ତି।
ଏଠି ସୂଚନା ଦିଆଯାଇପାରେ ଯେ, ଗତଥରଠାରୁ ପ୍ରତାପ ସାଂସଦ ପ୍ରାର୍ଥୀ ହେଉଛନ୍ତି। ନିଳଗିରିରେ ଜଣେ ଟାଣୁଆ ପ୍ରାର୍ଥୀ ହୋଇ ଲୋକଙ୍କ ଦମ୍ଭ ଜିତିଥିବ ଏହି ନେତାଙ୍କୁ ଦଳ ୨୦୧୪ରେ ସାଂସଦ ପାଇଁ ପ୍ରାର୍ଥୀ କରାଇଥିଲା। ସେ ଶୋଚନୀୟ ଭାବେ ହାରିଥିଲେ। ଏଥର କିନ୍ତୁ ବସ୍ତା, ଜଳେଶ୍ଵରରେ ପରିସ୍ଥିତି ବଦଳିଥିବାରୁ ତାଙ୍କୁ ଅଧିକ ସମର୍ଥନ ମିଳିବ ବୋଲି କର୍ମୀ ଆଶା କରୁଛନ୍ତି। କିନ୍ତୁ ଭିତରେ ଏକ ଆନ୍ତଃ ସ୍ରୋତ ପ୍ରତାପଙ୍କୁ ହରାଇବା ପାଇଁ କାର୍ଯ୍ୟ କରୁଥିବା ମଧ୍ୟ ଚର୍ଚ୍ଚା ହୋଇଛି।
ପ୍ରତାପଙ୍କ ପ୍ରତି ଧର୍ମେନ୍ଦ୍ର ଇର୍ଷାନ୍ବିତ ହେବାର କାରଣ ହେଉଛି ପ୍ରତାପଙ୍କ ସହ ଜାତୀୟସ୍ତର ନେତାଙ୍କ ସହ ସୁସମ୍ପର୍କ ଏବଂ ତାଙ୍କ ବଢ଼ୁଥିବା ଲୋକପୟିୟତା। ପୁଣି ଏହାଙ୍କ ବିଜୟ ଦ୍ଵାରା ଧର୍ମେନ୍ଦ୍ର ଅଡ଼ୁଆ ପରିସ୍ଥିତିରେ ପଡ଼ିପାରନ୍ତି ବୋଲି ଆକଳନ କରାଯାଉଛି। ନିଜେ ନିର୍ବାଚନ ଲଢ଼ି ଜିତିବା ଶକ୍ତି ନଥିବାରୁ ଯେଉଁମାନଙ୍କ ଜିତିବା ସ୍ଥିତି ରହୁଛି ତାହାଙ୍କ ପରାଜୟକୁ ସେ ଅପେକ୍ଷା କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏପରିକି ତାଙ୍କର କିଛି ବିଜେଡି ନେତା ଓ ପ୍ରାର୍ଥୀଙ୍କ ସୁସମ୍ପର୍କ ଥିବା ନେଇ ମଧ୍ୟ ଆଲୋଚନା ହେଉଛି। ଏ ଭିତରେ ବାଲେଶ୍ଵର ରାଜନୀତି କେଉଁ ଆଡ଼କୁ ଯିବ ତାହାକୁ ଅପେକ୍ଷା।