ମା’ଙ୍କ ଦଳକୁ ବ୍ୟାନ ପାଇଁ ଦାବି କଲେ ଝିଅ
୨୦୧୯ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଏବେ ଅନେକ ରୋଚକ ଘଟଣା ଦେଖିବାକୁ ମିଳୁଛି। କିଛି ଦଳ ଭାଙ୍ଗୁଛି, କିଛି ନୂଆ ଦଳ, ମୋର୍ଚ୍ଚା ଗଢ଼ି ଉଠୁଛି। ଉତ୍ତରପ୍ରଦେଶର ରାଜନୀତିରେ ମୁଲାୟମ ସିଂ ଯାଦବଙ୍କ ପରିବାର ଏବେ ଦୁଇ ଭାଗରେ ବିଭକ୍ତ ହୋଇଥିଲା ବେଳେ ରାଜ୍ୟର ଅନ୍ୟଏକ ଦଳ ଅପନା ଦଳରେ ମଧ୍ୟ ସମାନ ଅବସ୍ଥା।

ଅପନା ଦଳ (ସୋନେଲାଲ) ରାଜ୍ୟରେ ବିଜେପି ସହ ମେଣ୍ଟ କରିଥିଲାବେଳେ ଅପନା ଦଳ (କୃଷ୍ଣା) କଂଗ୍ରେସ ସହ ହାତ ମିଳାଇଛି। ଏହି ପରିସ୍ଥିତିରେ ତେବେ ଅପନା ଦଳ (ସୋନେଲାଲ)ର ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମା’ ଦଳ ଅପନା ଦଳ (କୃଷ୍ଣା)କୁ ବ୍ୟାନ କରିବା ପାଇଁ ଦାବି କରିଛନ୍ତି। ତାଙ୍କ ଦାବିକୁ ଗ୍ରହଣ କରି ନିର୍ବାଚନ କମିଶନ ଅପନା ଦଳ (କୃଷ୍ଣା) ବିରୋଧରେ ଯାଞ୍ଚ ଆରମ୍ଭ କରିଦେଇଛି। ଅପନା ଦଳ ପଟେଲ ଭୋଟକୁ ଆଖି ଆଗରେ ରଖିଛି।
ଆଉ ଏହି ଭୋଟକୁ ହାତେଇବା ପାଇଁ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଯାଇଛି ଜୋରଦାର ଲଢ଼େଇ। କୃଷ୍ଣା ପଟେଲ ଝିଅର ପ୍ରାର୍ଥୀ ବିରୋଧରେ ନିଜେ ନିର୍ବାଚନ ଲଢ଼ିବାର ଘୋଷଣା କରିଥିଲାବେଳେ ଅନ୍ୟପଟେ ଅନୁପ୍ରିୟା ମା’ଙ୍କ ଗୋଷ୍ଠୀର ସାମ୍ୱିଧାନିକତା ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ନିର୍ବାଚନ କମିଶନଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି ଯେ ଅପନା ଦଳ ସୋନେଲାଲ ନାମରେ ତାଙ୍କ ଦଳ ରେଜିଷ୍ଟ୍ରେସନ ହୋଇଛି। ହେଲେ ଏହି ନାମକୁ ବ୍ୟବହାର କରୁଛି ଅନ୍ୟ ଦଳ। ଯାହା ସଠିକ ନୁହେଁ। ସେ ଦାବି କରିଛନ୍ତି ଯେ କୃଷ୍ଣା ପଟେଲଙ୍କୁ ଅପନା ଦଳର ନାମ ବ୍ୟବହାର କରିବା, ଚିହ୍ନ ଏବଂ ପତାକା ବ୍ୟବହାର କରିବା ଉପରେ ପ୍ରତିବନ୍ଧକ ଲଗାଯାଉ।