କଂଗ୍ରେସ-ବିଜେଡି ଗରିବ ଓ କୃଷକଙ୍କ ଶତ୍ରୁ
ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର କୃଷ୍ଣନଗର ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଉଦବୋଧନ ଦେବା ପୂର୍ବରୁ ପ୍ରଥମେ ସମ୍ବଲପୁରୀ ଭାଷାରେ ସମସ୍ତଙ୍କୁ ଜୁହାର ବୋଲି କହିଥିଲେ। ତାସହିତ ‘ଆପଣମାନେ କେନ୍ତା ଅଛନ୍’ ବୋଲି ପ୍ରଶ୍ନ କରିଥିଲେ। ଏହା ପରେ ସେ ଓଡ଼ିଶାର ବରପୂତ୍ରମାନଙ୍କୁ ସ୍ମରଣ କରିଥିଲେ।
ସେ କହିଛନ୍ତି ଯେ ଗତ ୫ ବର୍ଷ ହେବ ସେ ଗୋଟିଏ ଦିନ ବି ଛୁଟି ନ ନେଇ ଦେଶର ସେବା କରିବାର ପ୍ରୟାସ କରିଛନ୍ତି। ଓଡ଼ିଶାର ୮ ଲକ୍ଷ ଗରିବ ପରିବାରଙ୍କୁ କେନ୍ଦ୍ର ସରକାର ଘର ଯୋଗଇ ଦେଇଛନ୍ତି ବୋଲି ସେ କହିଛନ୍ତି। ଠିକ୍ ସେହିପରି ଓଡ଼ିଶା୨୬ ଲକ୍ଷ ଘରେ କେନ୍ଦ୍ର ସରକାର ବିଦ୍ୟୁତ୍ ସଂଯୋଗ କରିଛନ୍ତି। ଗରିବ ଲୋକଙ୍କ ଘରେ ଉଜ୍ଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ୍ର ସଂଯୋଗ ମଧ୍ୟ କରିଛନ୍ତି କେନ୍ଦ୍ର ସରକାର। ଯାହା ଗତ ୭୦ ବର୍ଷ ମଧ୍ୟ ସମ୍ଭବ ହୋଇନଥିଲା ତାହା ଗତ ୫ ବର୍ଷ ମଧ୍ୟରେ ସମ୍ଭବ ହୋଇଛି। ଏହାର ଶ୍ରେୟ ଭଗବାନ ଜଗନ୍ନାଥ ଓ ଜନତାଙ୍କ ଆଶୀର୍ବାଦକୁ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାର ୧ କୋଟି ୪୦ ଲକ୍ଷ ଲୋକଙ୍କର ବ୍ୟାଙ୍କ୍ରେ ଜମା ଖାତା ଖୋଲିଛନ୍ତି କେନ୍ଦ୍ର ସରକାର। ୩ ହଜାର ଗାଁକୁ ପ୍ରଥମ ଥର ପାଇଁ ବିଜୁଳି ସଂଯୋଗ ହୋଇଛି। ଓଡ଼ିଶାରେ ୫୦ ଲକ୍ଷ ଶୌଚାଳୟ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଉଲ୍ଲେଖ କରିଛନ୍ତି।
ମୋଦୀ ଆହୁରି କହିଛନ୍ତି ଯେ, କଂଗ୍ରେସ ଏବଂ ବିଜେଡି ଗରିବଙ୍କୁ ଗରିବ ରଖିବାକୁ ଷଡଯନ୍ତ୍ର ରଚିଛନ୍ତି । ଗରିବଙ୍କୁ ସେମାନେ ଭୋଟବ୍ୟାଙ୍କ ଭାବନ୍ତି । ଗରିବଙ୍କ ସହ ବିଶ୍ୱାସଘାତକତା କରିଛନ୍ତି । ଫଳରେ ଅନେକ ଦାନା ମାଝୀଙ୍କୁ ଆମ୍ବୁଲାନ୍ସ ମିଳିନାହିଁ । ଅନେକ ଲୋକଙ୍କୁ ଘର ପରିବାର ଛାଡି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ପଡୁଛି । ଓଡିଶାର ବିକାଶରେ ବାଧା ପହଞ୍ଚିଛି ।
କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ସେ କଟାକ୍ଷ କରି କହିଛନ୍ତି ଯେ କଳାହାଣ୍ଡି ସହ କଂଗ୍ରେସର ପରିଚୟ ବହୁ ଆଗରୁ ଯୋଡି ହୋଇଛି । ଏହା ହେଉଛି କଂଗ୍ରେସ ଦ୍ୱାରା ନିଜର ବିଫଳତାକୁ ବଖାଣିବାର ଉଦାହରଣ । ଏଠାରେ ରାଜୀବ ଗାନ୍ଧି ଏଠାକୁ ଟଙ୍କାଟେ ପଠାଇଲେ ୧୫ ପଇସା ପହଞ୍ଚିଛି ବୋଲି କହିଥିଲେ । ଏହାକୁ କଂଗ୍ରେସ ନିଜେ ସ୍ୱୀକାର କରିଛି । କିନ୍ତୁ ଦଳ ସବୁ ଜାଣିଶୁଣି କିଛି କରିଲା ନାହିଁ । ଏମାନେ ରୋଗ ବିଷୟରେ କୁହନ୍ତି ହେଲେ ଔଷଧ ଦିଅନ୍ତି ନାହିଁ । ପୂର୍ବରୁ କଂଗ୍ରେସର ରିମୋର୍ଟ କଂଟ୍ରୋଲ ସରକାରରେ ଏପରି ସୁଧାର ଆସିଥିଲା କି ରାଜୀବଙ୍କ ସମୟରେ ୧୫ ପଇସା ଆସୁଥିଲା ବେଳେ ମନମୋହନ ସରକାରରେ ୧୬ ପଇସା ଆସିଲା । ଗରିବଙ୍କ ଟଙ୍କା ସେମାନେ ଲୁଟିଛନ୍ତି । ଏମାନଙ୍କୁ ଭରସା କରିବା ଅନୁଚିତ। ଏମାନଙ୍କୁ କ୍ଷମା ଦିଆଯାଇ ପାରିବ ନାହିଁ । ସେମାନେ ଗରିବ କହି ଗରିବଙ୍କ ହକ ଲୁଟିଥାନ୍ତି । ଯାହା ଏବେ ଆଉ ନାହିଁ ।
କିନ୍ତୁ ବିଜେପି ସରକାର ଏହା ୫ ବର୍ଷରେ କରି ଦେଖାଇଲେ । ବର୍ତମାନ କେନ୍ଦ୍ର ଦିଲ୍ଲୀରୁ ୧୦୦ ପଇସା ପଠାଇଲେ ସବୁ ପଇସା ଗରିବଙ୍କ ପକେଟରେ ପହଁଚୁଛି । ୮କୋଟି ଏପରି ଫର୍ଜି ଲୋକଙ୍କୁ ସନ୍ଧାନ କରାଯାଇଛି ଯେଉଁମାନେ ଗରିବଙ୍କୁ ଲୁଟ କରିଛନ୍ତି । କେନ୍ଦ୍ର ସରକାର ୨୪ ଟଙ୍କାରେ ଗହମ କିଣିଥାନ୍ତି ଯାହା ଗରିବଙ୍କୁ ୨ଟଙ୍କାରେ ମିଳେ । ଚାଉଳ ମଧ୍ୟ ସରକାର୩୦ ଟଙ୍କାରେ କିଣିଥାନ୍ତି କେବଳ ୩ଟଙ୍କାରେ ଗରିବଙ୍କୁ ମିଳିଥାଏ । କିନ୍ତୁ ଆଗରୁ ଏହାର ସୁଫଳ ଗରିବଙ୍କୁ ମିଳୁ ନଥିଲା । ଯାହା ଏବେ ଦୂର ହୋଇଛି । କଳାଧନ ଉପରେ ରୋକ ଲାଗିଛି । ଗରିବଙ୍କୁ ସେମାନଙ୍କ ହକ ମିଳିଛି । ଜାଲ ହିତାଧିକାରୀଙ୍କୁ ସରକାର ଧରିଛନ୍ତି । କିନ୍ତୁ ଗରିବଙ୍କୁ ଲୁଟିଥିବା ବିରୋଧୀ ଚୌକିଦାର ହଟାଅ ଏବଂ ମୋଦୀ ହଟାଅ କହୁଛନ୍ତି ।
ଗରିବଙ୍କ ହକକୁ ରକ୍ଷା କରିବା ପାଇଁ ଏହି ଗାଳି ମୋ ପାଇଁ ଗହଣା ସଦୃଶ । ବିଜେଡିର ୨୦ ବର୍ଷରେ ଖଣିମାଫିଆ, ଚିଟଫଣ୍ଡ ଅଭିଯୁକ୍ତଙ୍କୁ ଲାଭ ମିଳିଛି । ରାଜ୍ୟ ସରକାର ଏମଏସପି ବୃଦ୍ଧି କରୁନାହାନ୍ତି । ଠିକ ଭାବେ ଧାନ କିଣିପାରୁ ନାହାନ୍ତି । ବିଜେଡି ସରକାର ଗରିବଙ୍କ ସହ କୃଷକଙ୍କ ଶତ୍ରୁ ମଧ୍ୟ ଅଟନ୍ତି । ପିଏମକିଷାନ ନିଧୀ ଯୋଜନାକୁ ରାଜ୍ୟ ସରକାର ଲାଗୁ କରୁନାହାନ୍ତି । ତାଲିକା ପ୍ରଦାନ କରୁନାହାନ୍ତି । ବିଜେଡି ଏହା ମଧ୍ୟରେ ପାଚେରୀ ହୋଇ ଛିଡା ହୋଇଛି । ଆୟୁଷ୍ମାନ ଯୋଜନା ସହ ବି ବିଜେଡି ସରକାର ଏହା କରିଛି ।
ଏହାସହ ମୋଦୀ କହିଛନ୍ତି ଯେ, ୧୯ ବର୍ଷର ସମୟ କମ ନୁହେଁ । କିନ୍ତୁ ଓଡିଶାର ବିକାଶ ହୋଇନାହିଁ । ଏବେ ପରିବର୍ତନର ସମୟ ଆସିଯାଇଛି । ବିକାଶର ଡବଲ ଇଞ୍ଜିନ ପାଇଁ ଭୋଟ ଦେବାକୁ ହେବ । ବହୁ ବର୍ଷ ତଳେ ଦେଶ ପାଇଁ ମୁରଲି ମନୋହର ଯୋଶୀ ଏକ ଯାତ୍ରା ଆରମ୍ଭ କରିଥିଲେ । କାଶ୍ମୀରର ଲାଲଚୌକରେ ତ୍ରିରଙ୍ଗା ପାଇଁ ଏହି ଯାତ୍ରାକୁ କଳାହାଣ୍ଡିବାସୀ ବହୁତ ଭଲପାଇବା ଦେଇଥିଲେ । ଏହା ପରେ ମୋଦୀ ଜୟ ଜଗନ୍ନାଥଙ୍କୁ ସ୍ମରଣ କରି ବକ୍ତବ୍ୟ ଶେଷ କରିଥିଲେ ।