ଲୌହପୁରୁଷ ଏତେ ଚୁପ୍ କାହିଁକି?
ଲାଲକୃଷ୍ଣ ଆଡ଼ଭାନୀ ଓ ମୂରଲୀ ମନୋହାର ଯୋଶୀଙ୍କୁ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବାକୁ ଟିକଟ ମିଳିନଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ କଡ଼ା ସମାଲୋଚନା କରଛନ୍ତି। ବିଜେପିର ପ୍ରତିଷ୍ଠାତା ସଦସ୍ୟଙ୍କୁ ଯେଭଳି ଦଳ ପକ୍ଷରୁ ବ୍ୟବହାର କରାଯାଉଛି ତାହା ଅତ୍ୟନ୍ତ ଦୁଖଦାୟକ। ମମତା କହିଛନ୍ତି, ‘ମୁଁ ଆଡ଼ଭାନୀଙ୍କ ସହିତ କଥା ହୋଇଛି। ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଲି। ମୁଁ ତାଙ୍କୁ ଫୋନ କରିଥିବାରୁ ତାଙ୍କୁ ଭଲ ଲାଗିଲା ବୋଲି ଆଡ଼ଭାନୀ କହିଛନ୍ତି। ମୁଁ କିଛି କହିବାକୁ ଚାହୁଁନି, କାରଣ ଏହା ବିଜେପି ଭିତରର କଥା’।

ବେଶୀ କିଛି ନ କହିବା ପାଇଁ କହିବା ପରେ ବି ମମତା ବାନାର୍ଜୀ ଲାଲକୃଷ୍ଣ ଆଡ଼ଭାନୀଙ୍କ ଟିକଟ କଟିବା ନେଇ ବହୁତ କିଛି କହିଛନ୍ତି। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ଆଡ଼ଭାନୀଙ୍କ ଟିକଟ କଟିଛି ସେ ନିଜେ ଏତେ ଚୁପ୍ କାହିଁକି?
ଗାନ୍ଧୀନଗରରୁ ଆଡ଼ଭାନୀଙ୍କ ଟିକଟ କଟିବା ପରେ ସେ କିଛି କହିନାହାନ୍ତି। କାନପୁରରୁ ଯୋଶୀଙ୍କ ଟିକଟ କଟିବା ପରେ ସେ ବିଜେପି ନେତାଙ୍କ ବିରୋଧରେ ସବୁ ସ୍ତରରେ ଅଭିଯୋଗ କରିଛନ୍ତି। ବିଜେପି ମାର୍ଗଦର୍ଶକ ମଣ୍ଡଳର ଏହି ଦୁଇ ବରିଷ୍ଠ ନେତା ନେଇ ଏବେ ବହୁତ ଖବର ଆସୁଛି। ବିଜେପି କାର୍ଯ୍ୟାଳୟର ଜଣେ କର୍ମଗାରୀଙ୍କ କହିବା ଅନୁସାରେ ଟିକଟ କଟିବା ପରେ ଆଡ଼ଭାନୀ ଯେପରି ବ୍ୟବହାର ଦେଖାଇଲେ ଓ ଯେଉଁ ଭାବେ ଯୋଶୀ ଦେଖାଇଲେ, ତାହା ଦୁଇ ନେତାଙ୍କ କାର୍ଯ୍ୟଶୈଳୀ ଓ ବ୍ୟକ୍ତିତ୍ୱରେ ଥିବା ତଫାତକୁ ଦର୍ଶାଉଛି।
ବିଜେପି ଶୀର୍ଷ ନେତୃତ୍ୱ ଆଜି ମଧ୍ୟ ମାର୍ଗଦର୍ଶକ ମଣ୍ଡକୁ ଭୟ କରିଥାନ୍ତି। ମିଳୁଥିବା ଖବର ଅନୁସାରେ ଖୁବ୍ ଶୀଘ୍ର ବିଜେପିର କିଛି ବରିଷ୍ଠ ନେତା ଏକାଠି ଆସି ମୋଦି ସରକାର ବିରୋଧରେ ବିଶୋଦଗାର କରିବେ। ଏହି ଗ୍ରୁପକୁ ବର୍ତ୍ତମାନ ସୁଦ୍ଧା ଆଡ଼ଭାନୀଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ସମର୍ଥନ ଏପର୍ଯ୍ୟନ୍ତ ମିଳିନାହିଁ। ଏଥିପାଇଁ ଅସନ୍ତୁଷ୍ଟଙ୍କ ଯୋଜନା ଆଗେଇ ପାରୁନାହିଁ।
ମିଳୁଥିବା ସୂଚନା ଅନୁସାରେ ଆଡ଼ଭାନୀଙ୍କୁ ରାଜି କରିବା ପାଇଁ ନରେନ୍ଦ୍ର ମୋଦି ଓ ମୋହନ ଭାଗବତ ବହୁତ ଚେଷ୍ଠା କରିଛନ୍ତି। ସଂଘରୁ ବିଜେପିକୁ ଆସି ସଂଗଠନ ଦାୟିତ୍ୱରେ ଥିବା ରାମଲାଲ ପାର୍ଟି ଓ ଆଧଡ଼ଭାନୀ ମଧ୍ୟରେ ମଧ୍ୟସ୍ଥି ହୋଇଛନ୍ତି। ଆଡ଼ଭାନୀଙ୍କୁ ଅନେକ ସାମ୍ୱାଦିକ ଭେଟିବାକୁ ଚାହୁଁଥିଲେ ହେଁ ସେ କିଛି କହିବାକୁ ରାଜି ନୁହଁନ୍ତି।

କିଛି ବରିଷ୍ଠ ସାମ୍ୱାଦିକଙ୍କ ମତରେ, ଏହି ପରିଣତ ବୟସରେ ନିଜ ପାର୍ଟି ବିରୋଧରେ କିଛି କହିବେ ନାହିଁ ବୋଲି ଆଡ଼ଭାନୀ ବଡ଼ ଦାର୍ଶନିକ ଭାବେ କୁହନ୍ତି। ଯେତେବେଳେ ନରେନ୍ଦ୍ର ମୋଦି ଓ ଶାହାଙ୍କ ସମ୍ପର୍କରେ କିଛି କହିବାକୁ ପଚାରିଲେ ଆଡ଼ଭାନୀ ଶାହାଙ୍କ ନାଁ ଉଠାଇନଥିଲେ। କିନ୍ତୁ ନରେନ୍ଦ୍ର ମୋଦିଙ୍କ ପ୍ରତି ତାଙ୍କର ଥିବା ସେହ୍ନ ପ୍ରକଟ କରି ମିଡ଼ିଆରେ ହେଉଥିବା ଆଲୋଚନାକୁ ସେ ଭୂଲ ସାବ୍ୟସ୍ତ କରିଥିଲେ।
ଆଡ଼ଭାନୀ କହିଥିଲେ ନରେନ୍ଦ୍ର ପାର୍ଟିର ସବୁଠାରୁ ବଡ଼ ନେତା ଓ ଦେଶର ପ୍ରଧାନମନ୍ତ୍ରୀ। ସେ କେବେ ବି ନରେନ୍ଦ୍ରଙ୍କ ବିରୋଧରେ ନଥିଲେ କି ତାଙ୍କ ବିରୋଧରେ କେବେ କିଛି କହିବେ ନାହିଁ। ତାଙ୍କ ସନ୍ତାନ ଜୟନ୍ତ ଓ ପ୍ରତିଭା ଭଳି ନରେନ୍ଦ୍ର ମଧ୍ୟ ତାଙ୍କ ସନ୍ତାନ। ଆଡ଼ଭାନୀଙ୍କ ଏଭଳି କଥା ଶୁଣି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେମାନେ ଆଶା କରୁଥିଲେ ମୋଦିଙ୍କ ବିରୋଧରେ ବହୁ କଟୁ କଥା ଆଡ଼ଭାନୀ କହିବେ।

ଆଡ଼ଭାନୀଙ୍କ ଜଣେ ବନ୍ଧୁଙ୍କ କହିବା ଅନୁସାରେ ଲୌହପୁରୁଷ ଏବେ କ୍ଷମତା ରାଜନୀତିରୁ ସନ୍ୟାସ ନେବା ପାଇଁ ସ୍ଥିର କରିସାରିଲେଣି। ସେ ନିଜର ସିଦ୍ଧାନ୍ତ ସହିତ କୌଣସି ପ୍ରକାରର ବୁଝାମଣା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ନିଜ ପରିବାରର କୌଣସି ସଦସ୍ୟଙ୍କୁ ଟିକଟ ଦେବା ପାଇଁ ଦାବି କିମ୍ୱା ସୁପାରିଶ କରିନାହାଁନ୍ତି। ଆଡ଼ଭାନୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ବୟାନ ଦେବାକୁ ପାର୍ଟି ଚାହୁଁଥିଲେ ମଧ୍ୟ ସେ କରିନଥିଲେ।
ଏଭଳି ନ କରିବା ପଛରେ ଆନଭାଙ୍କ ଯୁକ୍ତି ହେଉଛି, କୌଣସି ବ୍ୟକ୍ତି କୌଣସି ଆସନରୁ ଦାବି ଛାଡ଼ିବା ପୂର୍ବରୁ ବୟାନ ଦେବା ଭଲ ପରମ୍ପରା ନୁହେଁ। ଏଭଳି ହେଲେ କୌଣସି ନେତାଙ୍କ ଆସନ କାଟିବା ପୂର୍ବରୁ ତାଙ୍କଠାରୁ ବୟାନ ନେବାକୁ ଜରୁରୀ ହୋଇ ପଡ଼ିବ। ନିର୍ବାଚନ କମିଟି ଟିକଟ ସମ୍ପର୍କରେ ନିଷ୍ପତ୍ତି ନିଏ, ତେଣୁ ଏଥର ମଧ୍ୟ ସେହି କମିଟି ନିଷ୍ପତ୍ତି ନେଉ ବୋଲି ଆଡ଼ଭାନୀ ରାମଲାଲଙ୍କୁ କହିଥିଲେ।