ମାହାଙ୍ଗାରେ ତ୍ରିମୁଖୀ ଲଢ଼େଇ
ଚଳିତ ନିର୍ବାଚନ ପାଖେଇ ଆସୁଥିବା ବେଳେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଉଷ୍ମତା ବଢି ବଢି ଚାଲିଥିବା ଅନୁଭୂତ ହେଉଛି । ବିଜେଡି ଓ ବିଜେପି ଦଳ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଥିଲା ବେଳେ ଶୁକ୍ରବାର ଦିନ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ତାହାର ପ୍ରାର୍ଥୀ ଘୋଷଣା କରିଛି । ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀ ମାହାଙ୍ଗା ବ୍ଲକର ୩୭ଟି ଓ ନିଶ୍ଚିନ୍ତକୋଇଲି ବ୍ଲକର ୨୭ଟି ପଞ୍ଚାୟତ ଏବଂ ମୋଟ ୩୦୫ଟି ବୁଥକୁ ନେଇ ଗଠିତ ।
ସୂଚନାନୁସାରେ ଏହି ନିର୍ବାଚନ ମଣ୍ଡଳୀରେ ମାହାଙ୍ଗା ବ୍ଲକର ୩୭ଟି ପଞ୍ଚାୟତରେ ପୁରୁଷ ଭୋଟରଙ୍କ ସଂଖ୍ୟା ୭୮,୪୦୯ ଓ ମହିଳା ଭୋଟରଙ୍କ ସଂଖ୍ୟା ୭୦,୬୧୭ ହୋଇଥିଲା ବେଳେ ନିଶ୍ଚିନ୍ତକୋଇଲି ବ୍ଲକର ୨୭ଟି ପଞ୍ଚାୟତରେ ମୋଟ ପୁରୁଷ ଭୋଟରଙ୍କ ସଂଖ୍ୟା ୫୬ ହଜାର ୨୫୫ ଓ ମହିଳା ଭୋଟର ସଂଖ୍ୟା ୫୨ ହଜାର ୧୪୬ ରହିଛି । ସେହିପରି ଏହି ନିର୍ବାଚନ ମଣ୍ଡଳୀରେ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୧୩ ରହିଥିବା ଜଣାପଡିଛି ।
ଗତ ୨୦୧୪ ମସିହା ନିର୍ବାଚନରେ ବର୍ତ୍ତମାନର ବିଜେଡି ପ୍ରାର୍ଥୀ ତଥା ରାଜ୍ୟର ଆଇନ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସେ ସମୟର ସ୍ୱାଧୀନ ପ୍ରାର୍ଥୀ ଏବଂ ବର୍ତ୍ତମାନର ବିଜେପି ପ୍ରାର୍ଥୀ ଶାରଦା ପ୍ରଧାନଙ୍କଠାରୁ ୨୮ ହଜାରରୁ ଉର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ଦ୍ୱିତୀୟ ଥର ପାଇଁ ବିଜୟ ହାସଲ କରିଥିଲେ । ଚଳିତ ବର୍ଷ ଶ୍ରୀ ଜେନା ରଣକୌଶଳ ଜଣାଇ ତାଙ୍କର ଟ୍ରିପୁଲ ପଲିସି ଚଳାଇ ହାଟ୍ରିକ ଅର୍ଜନ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ।
ଅପର ପକ୍ଷରେ ଗତ ଥରର ସ୍ୱାଧୀନ ପ୍ରାର୍ଥୀ ତଥା ଚଳିତ ନିର୍ବାଚନର ବିଜେପି ପ୍ରାର୍ଥୀ ହୋଇଥିବା ଶ୍ରୀ ପ୍ରଧାନ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାକୁ ପାଥେୟ କରି ନିର୍ବାଚନ ରଣାଙ୍ଗନରେ ବିଜୟ ହାସଲ କରିବା ପାଇଁ ଆଶା ବାନ୍ଧିଛନ୍ତି । କଂଗ୍ରେସ ଦଳର ପ୍ରାର୍ଥୀ ଘୋଷଣା ବିଳମ୍ବରେ ହୋଇଥିଲେ ହେଁ ଦେବେନ୍ଦ୍ର ସାହୁଙ୍କୁ ନିର୍ବାଚନୀ ରଣକ୍ଷେତ୍ରରେ ଓହ୍ଲାଇବାକୁ ଶୁକ୍ରବାର ସ୍ଥିର ହୋଇଛି ।
ଦଳରେ ବହୁ ଦିନ ରହି ବାରମ୍ବାର ଜିତିଥିବା ପୂର୍ବତନ ମନ୍ତ୍ରୀ ସେକ୍ ମତଲୁବ ଅଲ୍ଲୀ ନିଜ ଆଡୁ ନିର୍ବାଚନରେ ଅଂଶଗ୍ରହଣ ନ କରିବା ପାଇଁ ଘୋଷଣା କଲା ପରେ ଏହି ଆସନରେ କଂଗ୍ରେସ ଟିକଟକୁ ହାତେଇ ନେବା ପାଇଁ ଦେବେନ୍ଦ୍ର ସାହୁ ଓ ଯୁବନେତା ପ୍ରଦୀପ୍ତ କୁମାର ଦାସଙ୍କ ମଧ୍ୟରେ କଡା ମୁକାବିଲା ଚାଲିଥିଲା । ସେ ଯାହାବି ହେଉ ରାଜ୍ୟରେ ଏକ ସ୍ୱତନ୍ତ୍ର ମାନ୍ୟତା ପାଇଥିବା ମାହାଙ୍ଗା ନିର୍ବାଚନ ମଣ୍ଡଳୀକୁ ହାତେଇ ନେବା ପାଇଁ ବିଜେଡି , ବିଜେପି ଓ କଂଗ୍ରେସ ମଧ୍ୟରେ ତୀବ୍ର ମୁକାବିଲା ହେବ ବୋଲି ସୂଚନା ମିଳିଛି ।