ଖରାଦିନ ପାଇଁ ହେଲ୍ଦି ଡ୍ରିଙ୍କସ୍

ଖରାରେ ବୁଲି ବୁଲି ଘରକୁ ଆସିବା ପରେ କୁଲର୍ର ଥଣ୍ଡା ପବନ ସହିତ ଯଦି ଥଣ୍ଡା ପାନୀୟ କିମ୍ବା ଆଇସ୍କ୍ରୀମ୍ ମିଳିଯାଏ, ତାହେଲେ ଶରୀର ସହିତ ଆତ୍ମା ମଧ୍ୟ ତୃପ୍ତ ହୋଇଗଲା ଭଳି ଲାଗେ । କିନ୍ତୁ ଆଜିକାଲି କୋଲଡ୍ରିଙ୍କସରେ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ମିଶାଯାଉଛି ଏବଂ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ତାହା ପ୍ରସ୍ତୁତ ହେଉଛି ବୋଲି ଅନେକ ଖବର ଶୁଣିବାକୁ ମିଳୁଛି । ଏହା ବ୍ୟତୀତ ବଜାରରେ ମିଳୁଥିବା ହେଲଥ୍ ଡ୍ରିଙ୍କସ୍ ଅଧିକ ପରିମାଣରେ ପିଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ । ତେଣୁ ଖରାଦିନେ ସତେଜ ଅନୁଭବ କରିବା ସହିତ ସ୍ୱାସ୍ଥ୍ୟପ୍ରଦ ଡ୍ରିଙ୍କସ୍ ପିଇବାକୁ ହେଲେ ଘରେ କିଛି ଡ୍ରିଙ୍କସ୍ ବନାନ୍ତୁ । ଏହି ସବୁ ଡ୍ରିଙ୍କସକୁ ଆପଣ କିଛିଦିନ ପର୍ଯ୍ୟନ୍ତ ରଖିପାରିବେ ଏବଂ ଅତିଥିଙ୍କୁ ପରଷି ପାରିବେ । ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି ଟିପ୍ସ –
୧- ତରଭୁଜ ଜୁସ୍
ଖରାଦିନେ ତରଭୁଜ ଅଧିକ ମିଳିଥାଏ । ଏଥିରେ ଭିଟାମିନ୍ ଏ, ବି୬, ସି ଓ ଆଣ୍ଟି ଅକ୍ସିଡେଣ୍ଟ୍ ଗୁଣ ଭରପୂର ମାତ୍ରାରେ ରହିଛି । ତେଣୁ ଆପଣ ଗୋଟିଏ ବଡ଼ ତରଭୁଜ ଆଣି ତାହାର ଜୁସ୍ ବାହାର କରନ୍ତୁ । ସେଥିରେ ଚିନି ମିଶାଇ ଫ୍ରିଜରେ ରଖନ୍ତୁ । ପିଇବା ସମୟରେ ଏକ ଗ୍ଲାସରେ ଟିକେ ତରଭୁଜ ଜୁସ୍ ଆଣି ସେଥିରେ ଅଳ୍ପ ପରିମାଣରେ ଲେମ୍ବୁରସ ମିଶାନ୍ତୁ । ସେଥିରେ ବରଫ ମିଶାଇ ପରଷନ୍ତୁ ।
୨- ଚଲହା
ଖରାର ପ୍ରକୋପରୁ ରକ୍ଷା ପାଇବା ପାଇଁ ଚଲହା ସବୁଠାରୁ ଭଲ ବିକଳ୍ପ । ଏଥିରେ କ୍ୟାଲସିୟମ୍, ରାଇବୋଫ୍ଲୋବିନ୍, ପ୍ରୋଟିନ୍ ଭଳି ପୋଷକ ତତ୍ୱ ପର୍ଯ୍ୟାପ୍ତ ପରିମାଣରେ ଥାଏ । ଖରାଦିନେ ହଜମ ସମସ୍ୟା ଓ ବିଭିନ୍ନ ଛୋଟମୋଟ ସ୍ୱାସ୍ଥ୍ୟ ସମସ୍ୟାର ଉପଚାର ପାଇଁ ଚହ୍ଲାକୁ କୁଲ୍ ଡ୍ରିଙ୍କସ୍ ଭାବେ ବ୍ୟବହାର କରନ୍ତୁ ।
୩- ସପୁରି ଜୁସ୍
ଖରାଦିନେ ସପୁରି ମଧ୍ୟ ଅଧିକ ପରିମାଣରେ ମିଳିଥାଏ । ଆପଣ କେତୋଟି ସପୁରି କିଣି ତାହାକୁ ଗ୍ରାଇଣ୍ଡ୍ କରି ଜୁସ୍ ବନାନ୍ତୁ । ଏଥିରେ କିଛି ବରଫ ଓ ଚିନି ପକାଇ ଫ୍ରିଜ୍ରେ ରଖିଦିଅନ୍ତୁ । ଏହାକୁ ଆପଣ ଯେ କୌଣସି ସମୟରେ ମଧ୍ୟ ପିଇପାରିବେ । ଖରାଦିନେ ବାହାରକୁ ଯିବା ପୂର୍ବରୁ ଏହି ଥଣ୍ଡା ଜୁସକୁ ଆପଣ ବ୍ରେକଫାଷ୍ଟ୍ ସମୟରେ ପିଅନ୍ତୁ । ଏହା ସ୍ୱାସ୍ଥ୍ୟବର୍ଦ୍ଧକ ସହିତ ତ୍ୱଚାରେ ମଧ୍ୟ ଚମକ ଆଣିଥାଏ ।

Leave a Reply

Your email address will not be published.