ସମ୍ୱଲପୁର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ସୁବାସ!
ବରଗଡ ଲୋକସଭା ଆସନ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚକ୍ରାନ୍ତ ଯୋଗୁଁ ଟିକଟ ପାଇବାରୁ ବଞ୍ଚିତ ହୋଇଥିବା ସୁବାସ ଚ୍ଭୌହ୍ୱାନ ଆଜି ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ନେଇ ରାଜନୈତିକ ଅଟକଳ ଆରମ୍ଭ ହୋଇଯାଇଛି। ବିଜୁ ଜନତା ଦଳ ବର୍ତ୍ତମାନ ସୁଦ୍ଧା ସମ୍ୱଲପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। କାରଣ ବିଜେଡିରେ ବହୁ ଆଶାୟୀ ଥିବାରୁ ଦଳ ସଭାପତି କାହାକୁ ପ୍ରାର୍ଥୀ କରିବେ ସ୍ଥିର କରିପାରୁନାହଁନ୍ତି। ଏଭଳି ସ୍ଥିତିରେ ଦଳରେ ନୂଆ କରି ଆଜି ଯୋଗ ଦେଇଥିବା ସୁବାସ ଚୌହ୍ୱାନଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି।

ଏପରି ଆଲୋଚନା ପଛରେ ଯେଉଁ ଯୁକ୍ତି ରହିଛି ତାହା ହେଲା ବିଜେଡିରେ ଯୋଗ ଦେବା ପରେ ସୁବାସ କହିଛନ୍ତି ଯେ ଯଦି ଦଳ ତାଙ୍କୁ ସମ୍ୱଲପୁର ଆସନରେ ଲଢ଼ିବାକୁ କହେ ତେବେ ସେ ବିଚାର କରିବେ। ଅର୍ଥାତ୍ ଗୋଷ୍ଠୀ କନ୍ଦଳରେ ଭରପୁର ସମ୍ୱଲପୁର ଲୋକସଭା ଆସନରୁ ବିଜେଡି ତାଙ୍କୁ ପ୍ରାର୍ଥୀ କରିବ ବୋଲି ପ୍ରତିଶ୍ରୁତି ଦେଇଥାଏ ପାରେ। ଏହା ହେଲେ ସମ୍ୱଲପୁର ଲୋକସଭାର ଗୋଷ୍ଠୀ କନ୍ଦଳରେ ଲିପ୍ତ ନେତାମାନେ କିଛି କହିପାରିବେ।
ଦ୍ୱିତୀୟତଃ ସୁବାସଙ୍କୁ ସମ୍ୱଲପୁରରୁ ପ୍ରାର୍ଥୀ କରାଗଲେ ବରଗଡ଼ ଆସନରେ ବିଜେଡି ସୁବାସଙ୍କ ଦ୍ୱାରା ଗତ ୫ବର୍ଷ ହେଲା ପ୍ରସ୍ତୁତ ସଂଗଠନର ଫାଇଦା ନେଇ ଏକ ତରଫା ବିଜୟ ହାସଲ କରିବ। କାରଣ ସେଠାକାର ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ଏବେ ବିରୋଧର ସମ୍ମୁଖୀନ ହେବା ସହିତ ସେ ଅଞ୍ଚଳ ପାଇଁ ନୂଆ ପ୍ରାର୍ଥୀ। କେବଳ ଲୋକସଭା ନୁହେଁ ବରଗଡ଼ ଲୋକସଭାର ୭ଟି ଯାକ ବିଧାନସଭା ଆସନରେ ସୁବାସଙ୍କ କର୍ମୀମାନଙ୍କ ସମର୍ଥନ ପାଇ ବିଜେଡି ସହଜ ବିଜୟ ଲାଭ କରିବ ବୋଲି ଆକଳନ କରିଛି।
ସମ୍ୱଲପୁରରେ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ବିରୋଧ କରୁଥିବା ଜୟବ୍ରତ ଦେ ହେଉଛନ୍ତି ପୁରୁଣା ବିଜେପି ଓ ସଂଘର କାର୍ଯ୍ୟକର୍ତ୍ତା। ସୁବାସ ପ୍ରାର୍ଥୀ ହେଲେ ଜୟବ୍ରତଙ୍କ ସମେତ ସମସ୍ତ ବିଧାୟକ ପ୍ରାର୍ଥୀମାନଙ୍କର ସମର୍ଥନ ପାଇପାରିବେ। ପ୍ରଥମରୁ କୁହାଯାଉଥଲା ଯେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ସମ୍ୱଲପୁର ଲୋକସଭା ପାଇଁ ପ୍ରାର୍ଥୀ ହୋଇପାରନ୍ତି। କିନ୍ତୁ ଶ୍ରୀ ପ୍ରଧାନ ଲୋକସଭା ଅପେକ୍ଷା ବିଧାନସଭା ପାଇଁ ଅଧିକ ଆଗ୍ରହୀ ଅଛନ୍ତି। ଏପରି କ୍ଷେତ୍ରରେ ବିଜେଡି ସମ୍ୱଲପୁର ଲୋକସଭା ପାଇଁ ଜଣେ ବିବାଦ ବିହୀନ ନେତା ଆବଶ୍ୟକ କରୁଥିଲା। ଏହି ଆବଶ୍ୟକତାକୁ ସୁବାସ ପୂରଣ କରିପାରିବେ।

ଅପରପକ୍ଷରେ ବିଜେପି ଦେବଗଡ଼ ରାଜା ନୀତେଶ ଗଙ୍ଗଦେବଙ୍କୁ ସମ୍ୱଲପୁର ଲୋକସଭା ପାଇଁ ପ୍ରାର୍ଥୀ କରିଛି। ନିତେଶଙ୍କର ସମ୍ୱଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ କୌଣସି ସଂଗଠନ ନାହିଁ। ତାଙ୍କୁ ପ୍ରାର୍ଥୀ କରାଯିବା ପରେ ସ୍ଥାନୀୟ ବିଜେପି ନେତା ଓ ସୁରେଶ ପୂଜାରୀଙ୍କ ସମର୍ଥକମାନେ ଅସନ୍ତୁଷ୍ଟ ହୋଇଛନ୍ତି। ଏହି ଅସନ୍ତୁଷ୍ଟ ନେତାମାନଙ୍କର ସମର୍ଥନ ନିତେଶ ପାଇବେ ନାହିଁ ବୋଲି ସମ୍ୱଲପୁର ଅଞ୍ଚଳରେ ଚର୍ଚ୍ଚା ହେଉଛି। ଅପରପକ୍ଷରେ ସୁବାସ ଜଣେ ପୁରୁଣା ଆରଏସଏସ କର୍ମା ଓ ବଜରଙ୍ଗ ଦଳର ରାଜ୍ୟ ସଭାପତି ଥିବାରୁ ସମଗ୍ର ରାଜ୍ୟରେ ତାଙ୍କର ନିଜସ୍ୱ ସଂଗଠନ ରହିଛି। ତେଣୁ ଲୋକସଭା ପ୍ରାର୍ଥୀ ହେଲେ ତାଙ୍କୁ ସମ୍ୱଲପୁର ଲୋକସଭା ଅଞ୍ଚଳରେ ତାଙ୍କୁ ବେଶୀ କିଛି ଅସୁବିଧା ହେବ ନାହିଁ।
ସବୁଠାରୁ ବଡ କଥା ହେଉଛି ସମ୍ୱଲପୁର ଲୋକସଭାରେ ଚଷା ବା ଓବିସି ମତଦାତାଙ୍କ ସଂଖ୍ୟା ଅଧିକ ରହିଛି। ଯଦି ଜାତି କାର୍ଡ ଖେଳାଯାଏ ତେବେ ସୁବାସ ଅନ୍ୟ ଦଳର ପ୍ରାର୍ଥୀଙ୍କଠାରୁ ସୁବିଧାଜନକ ସ୍ଥିତିରେ ରହିବେ। କାରଣ ସୁବାସ ଓବିସି ଥିବାରୁ ସମ୍ୱଲପୁର ଲୋକସଭାର ମତଦାତାଙ୍କ ସମର୍ଥନ ପାଇବାରେ କୌଣସି ଅସୁବିଧା ନାହିଁ। ଏସବୁ ଦିଗକୁ ବିଚାର କରି ବିଜେଡି ତାଙ୍କୁ ସମ୍ୱଲପୁର ଲୋକସଭା ପାଇଁ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି।