ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ୪ନୂଆ ପ୍ରାର୍ଥୀଙ୍କ ନାଁ ଘୋଷଣା
ଭୁବନେଶ୍ଵର, (ଓଟି): ରାଜ୍ୟ ବିଧାନସଭା ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ। ଏଥିରେ ଦୁଇଜଣ ପୂର୍ବ ଘୋଷିତ ପ୍ରାର୍ଥୀଙ୍କୁ ବଦଳାଯାଇଥିବା କୁହାଯାଇଛି। ସେମାନେ ହେଲେ ରାଉରକେଲାର ମୁକ୍ତିକାନ୍ତ ବିଶ୍ଵାଳ ଏବଂ ହିଞ୍ଜିଳିରୁ ପ୍ରାର୍ଥୀ ଭାବେ ଟିକେଟ୍ ପାଇଥିବା ରାମକୃଷ୍ଣ ପଣ୍ଡା। ଏମାନେ ନିର୍ଦ୍ଧାରିତ ଆସନରୁ ଲଢ଼ିବାକୁ ଅମଙ୍ଗ ହେବାରୁ ବିକଳ୍ପ ପ୍ରାର୍ଥୀ ଘୋଷଣା କରାଯାଇଛି।
ଏଆଇସିସି ସାଧାରଣ ସମ୍ପାଦକ ମୁକୁଲ ୱାସନିକ୍ଙ୍କ ଦ୍ଵାରା ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛଇ ଯେ, କଂଗ୍ରେସର ନିର୍ବାଚନ ସମ୍ପର୍କିତ କମିଟି ୪ଜଣ ପ୍ରାର୍ଥୀଙ୍କ ନାଁରେ ମୋହର ଲଗାଇଛି। ସେମାନେ ହେଲେ
ରାଉରକେଲାରୁ ବୀରେନ୍ ସେନାପତି, ପାଟଣାଗଡ଼ରୁ ରମେଶ ପୁରୋହିତ, ଜି ଉଦୟଗିରି ସଂରକ୍ଷିତ ଆସନରୁ ଆଦିବାସୀ ପ୍ରାର୍ଥୀ ଶ୍ୟାମଘନ ପ୍ରଧାନ ଏବଂ ହିଞ୍ଜିଳିରୁ ଶମ୍ଭୁନାଥ ପାଣିଗ୍ରାହୀ।

ହିଞ୍ଜିଳିରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିଜେପିରୁ ବରିଷ୍ଠ ଆଇନଜୀବୀ ତଥା ଦଳର ଉପସଭାପତି ପୀତାମ୍ବର ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଥିବା ଘୋଷଣା କରାଯାଇଛି।