ଯୁଗ ପରିବର୍ତ୍ତନ : ୩୦ ବର୍ଷ ପରେ ଆଡ଼ଭାନୀ ବିନା ନିର୍ବାଚନ ମଇଦାନରେ ବିଜେପି

ଦେଶର ମର୍ଯ୍ୟାଦା ଜନକ ଲୋକସଭା ଆସନ ଗାନ୍ଧୀନଗରରୁ ବିଜେପିର ପ୍ରତିଷ୍ଠାତା ସଭ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ଘନିଷ୍ଠ ସହଯୋଗୀ ଲାଲକୃଷ୍ଣ ଆଡ଼ଭାନୀ ଚଳିତ ନିର୍ବାଚନରେ ପ୍ରାର୍ଥ ହେଉନାହାନ୍ତି। ନିର୍ବାଚନ ରାଜନୀତିରୁ ଦଳ ତରଫରୁ ଜବରଦସ୍ତ ସନ୍ୟାସ ଦିଆଯିବା ପରେ ଆଡ଼ଭାନୀଙ୍କ ନିର୍ବାଚନ ରାଜନୀତିର ଅନ୍ତ ଘଟିଛି।

ବିଜେପି ଇତିହାସରେ ଦୀର୍ଘ ୩୦ବର୍ଷ ପରେ ଲାଲକୃଷ୍ଣ ଆଡ଼ଭାନୀଙ୍କ ବିନା ପାର୍ଟି ନିର୍ବାଚନ ଲଢିବାକୁ ଯାଉଛି। ପାର୍ଟିର ଭୀଷ୍ମପିତାମହ କୁହାଯାଉଥିବା ଆଡ଼ଭାନୀଙ୍କ ଛତ୍ରଛାୟାରୁ ମୁକ୍ତ ହୋଇ ବିଜେପି ନିର୍ବାଚନ ଲଢିବାର ନିଷ୍ପତ୍ତି ନେଇଥିବାରୁ ଏହା ପୀଢିଗତ ପରିବର୍ତ୍ତନ ଉପରେ ଶେଷ ପଦକ୍ଷେପ ବୋଲି କୁହାଯାଉଛି।

ବିଜେପିକୁ ଶୂନ୍ୟରୁ ଶିଖରରେ ପହଞ୍ଚାଇଥିବା ଲାଲକୃଷ୍ଣ ଆଡ଼ଭାନୀ

ଅଶୀ ଦଶକରେ ରାମ ମନ୍ଦିର ଆନ୍ଦୋଳନ ମାଧ୍ୟମରେ ବିଜେପିକୁ ଶୂନ୍ୟରୁ ଶିଖରରେ ପହଞ୍ଚାଇଥିବା ଲାଲକୃଷ୍ଣ ଆଡ଼ଭାନୀ ୧୯୮୯ରେ ପ୍ରଥମ ଥର ପାଇଁ ନୂଆଦିଲ୍ଳୀ ଆସନରୁ ଲୋକସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଏହା ପରେ ୧୯୯୧ରେ ସେ ଗୁଜରାଟର ଗାନ୍ଧୀନଗର ଆସନରେ ପ୍ରତିଦ୍ୱନ୍ଦ୍ୱୀତା କରି ବର୍ତ୍ତମାନ ସୁଦ୍ଧା ସଂସଦର ସଦସ୍ୟ ଅଛନ୍ତି।

ରାଜନୀତିରେ ଶୁଦ୍ଧତା

ରାଜନୀତିରେ ଶୁଦ୍ଧତା ଦେଉଥିବା ଆଡ଼ଭାନୀଙ୍କ ନାମ ଜୈନ ଡାଏରୀରେ ଆସିବା ପରେ ସେ ୧୯୯୬ରେ ଗାନ୍ଧୀନଗର ଆସନରୁ ଇସ୍ତଫା ଦେଇଥିଲେ। ଏହା ପରେ ୧୯୯୮ରେ କ୍ଲିନ ଚିଟ‍୍‌ ମିଳିବାରୁ ଆଡ଼ଭାନୀ ନିର୍ବାଚନ ମଇଦାନକୁ ଫେରିଥିଲେ। ସେ ୧୯୯୯,୨୦୦୪, ୨୦୦୯ ଓ ୨୦୧୪ରେ ଗାନ୍ଧୀନଗରରୁ ନିର୍ବାଚନ ଜିତି ସଂସଦକୁ ଯାଇଛନ୍ତି। ଏବେ ଏହି ଆସନରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ନିର୍ବାଚନ ଲଢିବେ ବୋଳି ସ୍ଥିର ହୋଇଛି।

ବିଜେପିର ୨ୟ ଅଧ୍ୟକ୍ଷ

୧୯୮୦ରେ ବିଜେପି ଗଠନ ହେବା ପରେ ବାଜପାୟୀ ୧୯୬ ପର୍ଯ୍ୟନ୍ତ ଏହାର ଅଧ୍ୟକ୍ଷ ଥିଲେ। ୧୯୮୬ରେ ଅଟଳ ବିହାରୀ ବାଜପାୟୀଙ୍କ ପରେ ଆଡ଼ଭାନୀ ବିଜେପିର ୨ୟ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲୋ। ସେ ୧୯୭୦ରୁ ୪ଥର ରାଜ୍ୟସଭା ସଦସ୍ୟ ଭାବେ ସଂସଦକୁ ଯାଇଥିଲେ। କିନ୍ତୁ ୧୯୮୯ରେ ସେ ଷଳାକସଭାକୁ ନିର୍ବାଚିତ ହୋଇଥିଲେ।

୧୯୭୦ରୁ ରାଜନୀତିରେ

୧୯୭୦ରୁ ଦୀର୍ଘ ୫୦ବର୍ଷ ଧରି ସକ୍ରିୟ ରାଜନୀତିରେ ଥିବା ଲାଲକୃଷ୍ଣ ଆଡ଼ଭାନୀ ନିର୍ବାଚନ ରାଜନୀତିରୁ ଅବସର ନେବା ବିଜେପି ପାଇଁ ଯୁଗର ଅବସାନ ଭଳି ଘଟଣା। ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସେ ବାଜପାୟୀଙ୍କ ସରକାରରେ ଉପପ୍ରଧାନମନ୍ତ୍ରୀ ଥିଲେ। କିନ୍ତୁ ୨୦୧୪ରେ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କୁ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିଥିଲା। ସେତେବେଳେ ୮୬ ବର୍ଷ ବୟସରେ ପହଞ୍ଚି ସାରିଥିବା ଆଡ଼ଭାନୀ ପ୍ରଥମ ଥର ପାଇଁ ବିଜେପି ସରକାରରେ ମୁଖିଆ ହୋଇନଥିଲେ। ଏହା ପରେ ତାଙ୍କୁ ମାର୍ଗଦର୍ଶକ ମଣ୍ଡଳୀରେ ପାର୍ଟି ସାମିଲ କରିଥିଲା। ଏବେ ଆଡ଼ଭାନୀଙ୍କର ସକ୍ରିୟ ରାଜନୀତି ମଧ୍ୟ ଅନ୍ତ ହୋଇଗଲା।

ଅବସର ପାଇଁ ବଡ କଷ୍ଟରେ ରାଜି ହେଲେ

ଆଡ଼ଭାନୀଙ୍କୁ ଚଳିତ ନିର୍ବାଚନରେ ପ୍ରାର୍ଥୀ ନ କରିବା ପାଇଁ ଦଳୀୟ ନେତମାନଙ୍କୁ ବଡ ପରିଶ୍ରମ କରିବାକୁ ପଡିଛି। ପୁଣି ନିର୍ବାଚନ ଲଢିବାକୁ ଚିନ୍ତା କରିଥିଲେ। ନିର୍ବାଚନରୁ ବିରତ ରହିବା ପାଇଁ ବିଜେପିର ସଂଗଠନ ମହାମନ୍ତ୍ରୀ ରାମଲାଲ ଓ ବରିଷ୍ଠ ବିଜେପି ନେତା ତଥା ଆଡ଼ଭାନୀଙ୍କ ସହଯୋଗୀ ମୂରଲୀ ମନୋହାର ଯୋଶୀ ଏ ଦିଗରେ ତାଙ୍କୁ ପ୍ରବର୍ତ୍ତାଇ ଥିଲେ। ଏହା ପରେ ଆଡ଼ଭାନୀ ନିର୍ବାଚନରୁ ଓହରିବା ପାଇଁ ରାଜି ହୋଇଥିଲେ।

ଆଡ଼ଭାନୀଙ୍କ ପରେ କାହାର ପାଳି?

ବିଜେପିରେ ଆଡ଼ଭାନୀ ବ୍ୟତୀତ ଅନ୍ୟ ବରିଷ୍ଠ ନେତାମାନଙ୍କୁ ନିର୍ବାଚନରୁ ବାହାର ରଖିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ନେତାମାନେ ହେଲ ହିମାଚଳ ପ୍ରଦେଶର ଶାନ୍ତା କୁମାର, ଉତ୍ତରଖଣ୍ଡର ଭଗତ ସିଂହ କୋଶିୟାରୀ, ଉତ୍ତରପ୍ରଦେଶର ମୂରଲୀମନୋହର ଯୋଶୀ ପ୍ରମୁଖ।

Leave a Reply

Your email address will not be published. Required fields are marked *