ହତାଶ ହେବେ ଛାତ୍ର ନେତା ?
ରାଜ୍ୟର ତିନି ପ୍ରମୁଖ ରାଜନୈତିକଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତାଲିକାକୁ ଚୂଡାନ୍ତ ରୂପ ଦେଉଥିବାବେଳେ କୌଣସି ଦଳର ଛାତ୍ରନେତାଙ୍କ ନାମ ଚର୍ଚ୍ଚାକୁ ନଆସିବା ଏବେ ଅନେକଙ୍କୁ ହତାଶ କରିଛି। ବିଶେଷକରି ବିଜେଡିରୁ ଟିକଟ ପାଇବାପାଇଁ ପାଗ ବାନ୍ଧିଥିବା କିଛି ଛାତ୍ରନେତା ଏବେ ବିକଳ ହୋଇ ବିଭିନ୍ନ ସ୍ତରରେ ଲବି ଚଳାଇଥିବାବେଳେ ବିଜେପିରେ ବି ଅନୁରୂପ ଅବସ୍ଥା ଲକ୍ଷ୍ୟ କରାଯାଉଛି।

ବିଜେଡିର ଟିକଟ ତାଲିକା ଚୂଡାନ୍ତ ରୂପ ନେଉଥିବାବେଳେ ବିଜୁ ଛାତ୍ର ଜନତାଦଳର କୌଣସି ଛାମୁଆ ନେତା ଟିକଟ ପାଇବା ନେଇ ଏପର୍ଯ୍ୟନ୍ତ ସୁରାକ ମିଳୁନାହିଁ। ଯଦି ବି କୌଣସି ଛାତ୍ରନେତାଙ୍କୁ ଟିକଟ ଦିଆଯାଏ ତେବେ ଏଥିରେ ଅତି ବେଶିରେ ଜଣଙ୍କ ନାମ ରହିବ ବୋଲି କୁହାଯାଉଛି। ଅନ୍ୟ ଯେଉଁମାନେ ଲବିରେ ଅଛନ୍ତି ସେମାନଙ୍କୁ କୌଣସି ପ୍ରକାରେ ବୁଝାଇବାପାଇଁ ଏବେ କିଛି ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅତୀତରେ ଦଳ ବଦଳେଇ ବିଜେଡିରେ ମିଶିଥିବା କିଛି ଛାତ୍ରନେତାଙ୍କୁ ପୁରୁଣା ଚରିତ୍ର ପଞ୍ଜିକା ଯାଞ୍ଚ କରିବାପରେ ବିଜେଡି ମୁଖିଆ ସେମାନଙ୍କୁ ଟିକଟ ଦେବା ସପକ୍ଷରେ ନାହାନ୍ତି। ଏମାନେ କୁଆଡେ ଦଳକୁ ଆସିଲାପରେ ପରେ ଖାଲି ଧଳା କୁର୍ତ୍ତା ଓ ବଡ ଗାଡି ଚଢି ବୁଲିବା ସହିତ ଖଣି କାରବାରରେ ମାତିଥିବା ଗୁଇନ୍ଦା ରିପୋର୍ଟ ଆସିଛି। ତେଣୁ ଏମାନେ ଟିକଟ ପାଇଲାପରେ ବିରୋଧିମାନେ ସେମାନଙ୍କର ପୁରୁଣା ପାଞ୍ଜି ଖୋଲିବାର ସମ୍ଭାବନା ଥିବାରୁ ଜଣେ ଅଧେ ନୂଆ ଯୁବକଙ୍କୁ ଟିକଟ ଦେଇ କାମ ଚଳାଇ ନେବାଲାଗି ପ୍ରସ୍ତୁତ ଚାଲିଛି।
ଟିକଟ ପାଉନଥିବା ଯୁବ ନେତାମାନେ ଯେଭଳି ଶେଷ ମୂହୂର୍ତ୍ତରେ ନିଜର ପୁରୁଣା ପ୍ରକୃତି ଯୋଗୁଁ ଅନ୍ୟ ଦଳକୁ ଯାଇ ବିଦ୍ରୋହ ନକରନ୍ତି ସେଥିପାଇଁ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି। କାରଣ ଯୁବ ବିଜେଡିର ମଙ୍ଗୁଆଳ ବୋଲି କହି ବୁଲୁଥିବା କିଛି ଯୁବନେତା ଅତୀତରେ ଅନ୍ୟ ଦଳରୁ ରାତାରାତି ଆସି ବିଜେଡିରେ ମିଶିଛନ୍ତି। ଧୋବ ଧୋବଳିଆ ଏହି ଟୋକା ନେତାଙ୍କ ଉପରେ ମୁଖିଆଙ୍କ ସମେତ ଦଳର ବହୁ ନେତାଙ୍କ ଭରସା ପାଉନାହିଁ। ଦଳ ପକ୍ଷରୁ ହୋଇଥିବା ଭିତିରିଆ ସର୍ଭେରେ କୁଆଡେ ଅନୁରୂପ ସୂଚନା ମିଳିଥିବା ଚର୍ଚ୍ଚା ହେଉଛି।

ବିଜେପିର ଅବସ୍ଥା ବି ଅନୁରୂପ। ଏଠାରେ ଥିବା ଯୁବନେତାଙ୍କର ରେକର୍ଡ ବି ସେମିତି କିଛି ଭଲ ନୁହୋଁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦଳୀୟ ସର୍ଭେ ଅନୁଯାୟୀ ଏହି ଯୁବନେତାମାନେ ଜିଣିବାର ସେଭଳି ସମ୍ଭାବନା ନାହିଁ। ଖଣି ବ୍ୟବସାୟ ସହିତ ଅନ୍ୟ କେତେକ କାର୍ଯ୍ୟରେ ସମ୍ପୃକ୍ତ ଯୁବନେତାମାନଙ୍କୁ ଟିକଟ ଦିଆଗଲେ ସେମାନେ ହାରିବା ଏକ ପ୍ରକାର ଥୟ ବୋଲି ସୂଚନା ପାଇଲାପରେ ଦଳୀୟ କର୍ତ୍ତୃପକ୍ଷ ଏବେ ଚିନ୍ତାରେ ପଡିଛନ୍ତି। ତେଣୁ ଚୂଡାନ୍ତ ପର୍ଯ୍ୟାୟରେ ଏମାନଙ୍କୁ କିଭଳି ବାଦ୍ ଦିଆଯିବ ସେଥିନେଇ କସରତ ଚାଲିଛି।

ଯଦିଓ କଂଗ୍ରେସଦଳ ଆଗଆ ଭାବେ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛି ଏଥିରେ କୁଆଡେ ମାତ୍ର ଜଣେ ଛାତ୍ରନେତାଙ୍କ ନା ଦିଲ୍ଲୀ ଯାଇଥିବା ଶୁଣିବାକୁ ମିଳୁଛି। ସେଠାରେ ଏହା ରହୁଛି କି କାଟ୍ ଖାଉଛି ତାହା ଉପରେ ଏବେ ଦଳୀୟ ଯୁବନେତାଙ୍କ ନଜର ରହୁଛି। ଶେଷ ମୂହୂର୍ତ୍ତରେ ନାମ କାଟ୍ ଖାଇଗଲେ ଆଉ କିଛି କରିହେବ ନାହିଁ ବୋଲି ଦଳର କିଛି କର୍ମୀ ଖୋଲାଖୋଲି ଭାବେ କହୁଛନ୍ତି। ମୋଟାମୋଟି ଭାବେ ଯେଉଁ ଢଙ୍ଗରେ ଟିକଟ ତାଲିକା ପ୍ରସ୍ତୁତ ହେଉଛି ସେଥିରେ ତିନିଦଳ ବିଶେଷକରି ବିଜେଡିର ବହୁ ଛାତ୍ରନେତା ହତାଶ ହେବା ନିଶ୍ଚିତ ବୋଲି କୁହାଯାଉଛି।