କଟକ ଲୋକସଭା କ୍ଷେତ୍ରର ଅନେକ ବିଧାୟକ ପ୍ରାର୍ଥୀ ବଦଳିବେ!

ବିଜୁ ଜନତା ଦଳରେ ଚଳିତ ନିର୍ବାଚନରେ ଟିକଟ ବଣ୍ଟନ ନେଇ ଅବିଶ୍ୱାସର ବାତାବରଣ ଜାଣିଶୁଣି ସୃଷ୍ଟି କରାଯାଇ ସାରିଲାଣି। ବହୁ ପୁୁରୁଖା ନେତାଙ୍କ ଟିକଟ କାଟିବା ପାଇଁ ସର୍ଭେ ରିପୋର୍ଟର ଆଳ ବିଜେଡ଼ି ନେତୃତ୍ୱ ଦେଖାଉଛନ୍ତି। ଏହି ପ୍ରକ୍ରିୟାରେ କଟକ ସଂସଦୀୟ କ୍ଷେତ୍ରରେ ସବୁଠୁ ବଡ଼ ଓଲଟପାଲଟ ହେବାକୁ ଯାଉଛି। କଟକ ସଂସଦୀୟ କ୍ଷେତ୍ରରେ ଆସୁଥିବା ୭ଟିଯାକ ବିଧାନସଭା ଆସନ ଭିତରୁ ଅଧିକାଂଶରେ ପ୍ରାର୍ଥୀ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନିଆସରିଛି।

ଜିଲ୍ଳାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଯେଉଁ ଭେଟେରାନଙ୍କ ମୁହଁ ଲୋକେ ଦେଖି ଆସୁଥିଲେ ଏବଂ ଯେଉଁମାନେ ବହୁଦିନରୁ ରାଜନୀତିରେ ଜଡ଼ିତ ଥିଲେ, ସେମାନଙ୍କୁ ଚଳିତ ନିର୍ବାଚନରେ ସେମାନେ ହେଲେ ଆଠଗଡ଼ର ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଡମ୍ୱାର ଦେବୀପ୍ରସାଦ ମିଶ୍ର ଏବଂ ବାଙ୍କୀର ପ୍ରଭାତ ତ୍ରିପାଠୀ।

ସେମାନଙ୍କ ବାଦ କଟକ-ଚୌଦ୍ୱାର ଆସନରୁ ପ୍ରଭାତ ବିଶ୍ୱାଳ ମଧ୍ୟ ଟିକଟ ପାଇବେ ନାହିଁ। ଖଣ୍ଡପଡ଼ାର ଅନୁଭବ ମହାନ୍ତିଙ୍କ ଭାଗ୍ୟ ରାଜ୍ୟସଭା ସଦସ୍ୟ ସୌମ୍ୟରଞ୍ଜନ ପଟନାୟକଙ୍କ ମର୍ଜି ଉପରେ ନିର୍ଭର କରୁଛି। ସମ୍ପୂର୍ଣ୍ଣ ନବକଳେବର କରିବାକୁ ଯାଉଛନ୍ତି କଟକ ସଂସଦୀୟ କ୍ଷେତ୍ରକୁ।

ରଣେନ୍ଦ୍ର ସ୍ୱାଇଁ ୨୦୦୯ ମସିହାରେ ନବୀନଙ୍କ ବଡ଼ ଚକ୍ରାନ୍ତର ଶିକାର ହୋଇଥିଲେ। ପ୍ୟାରୀ-ପ୍ରଭାକର ପାଟିଲଙ୍କ ମିଳିତ ଚକ୍ରାନ୍ତରେ ଶେଷ ମୁହୂର୍ତ୍ତରେ ତାଙ୍କ ପ୍ରାର୍ଥିପତ୍ର ନାକଚ କରିଦିଆଯାଇଥିଲା। ଅନ୍ୟ ଜଣେ ଡମି ପ୍ରାର୍ଥୀ ରମେଶ ରାଉତ (ଚକରା)ଙ୍କୁ ରଣେନ୍ଦ୍ର ଓ ରାଜା ସ୍ୱାଇଁ ସମର୍ଥନ କରିଥିଲେ ଏବଂ ସେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ରାଜାଙ୍କ ଅତ୍ୟନ୍ତ ନିକଟତମ ବ୍ୟକ୍ତି ହୋଇ ସୁଦ୍ଧା ନିର୍ବାଚିତ ହେବା ପରେ ଆଉ ଆସନ ଖାଲି କଲେ ନାହିଁ। ତାଙ୍କୁ ଅଦାଲତି ମାମଲାରେ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ ବିଜେଡ଼ି ନେତୃତ୍ୱ। କିନ୍ତୁ ସୁପ୍ରିମକୋର୍ଟରେ ହାରିଗଲେ ରମେଶ। ମାତ୍ର ୨୦୧୪ ନିର୍ବାଚନରେ ରାଜାଙ୍କୁ ବିଜେଡ଼ି ପୁଣି ପ୍ରାର୍ଥୀ କରିଥିଲା ଜନତାଙ୍କ ଚାପରେ। ସେ ବିଜୟୀ ମଧ୍ୟ ହେଲେ। ଏବେ ତାଙ୍କୁ ଆଠଗଡ଼ରୁ ଟିକଟ ଦେବାକୁ ବିଜେଡ଼ି ଚାହୁଁ ନାହିଁ। ବଦଳରେ ବମ୍ୱାରୁ ଛିଡ଼ା ହେବା ପାଇଁ ପରାମର୍ଶ ଦିଆଯାଇଛି। କେଉଁ ସର୍ଭେ ଏହା ସ୍ଥିର କଲା ଯେ, ରାଜା ସ୍ୱାଇଁ ଆଠଗଡ଼ରେ ଛିଡ଼ା ହେଲେ ହାରିବେ, କିନ୍ତୁ ବଡ଼ମ୍ୱାରୁ ଛିଡ଼ା ହେଲେ ଜିତିବେ?

ବିଜେଡି ନେତୃତ୍ୱ ଭଲଭାବେ ଜାଣିଛନ୍ତି ଯେ, ଏଭଳି ପ୍ରସ୍ତାବରେ ରାଜି ହେବେ ନାହିଁ ରାଜା। ରାଜାଙ୍କ ଟିକଟ କାଟିବା ପରେ ଟିକଟ ଚୋଟ ପଡ଼ିବାକୁ ଯାଉଛି ବଡମ୍ୱା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଉପରେ। ଦେବୀ ଦୀର୍ଘଦିନରୁ ଏହି ଆସନରୁ ନିର୍ବାଚିତ ହୋଇଆସୁଛନ୍ତି। କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ ବଡମ୍ୱାରେ ବିଜେଡି ଶୋଚନୀୟ ପ୍ରଦର୍ଶନ କରିଥିଲା। ଏହି ଆଧାରରେ ତାଙ୍କୁ ଟିକଟ ନଦେବା ଲାଗି ଦଳ ନିଷ୍ପତ୍ତି ନେଇଛି। କିନ୍ତୁ ତାଙ୍କ ସ୍ଥାନରେ ରାଜାଙ୍କ ନାମ ସୁପାରିଶ କରି ବଡ଼ମ୍ୱାରେ ରାଜାଙ୍କୁ ହରାଇବା ସକାଶେ ବିରାଟ ଚକ୍ରାନ୍ତ କରିଛନ୍ତି ଦଳରେ ଚାଲିଛି ବୋଲି ଆଲୋଚନା ହେଉଛି।

ଚିଟଫଣ୍ଡ ଦୁର୍ନୀତିରେ ଗିରଫ ହୋଇଥିବା ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଟିକଟ ଦେଉନାହିଁ ବିଜୁ ଜନତା ଦଳ। ଚିଟଫଣ୍ଡ ମାମଲାରେ ଗିରଫ ହୋଇ ବି ନିଜ ନିର୍ବାଚନମଣ୍ଡଳୀରେ ଲୋକପ୍ରିୟତା ହରାଇ ନାହାନ୍ତି ପ୍ରଭାତ ତ୍ରିପାଠୀ। ତେଣୁ ପ୍ରଭାତଙ୍କୁ ଟିକଟ କାଟିଲେ ମଧ୍ୟ ତାଙ୍କ ମନୋନୀତ କାହାକୁ ପ୍ରାର୍ଥୀ କରିବାକୁ ରାଜି ନବୀନ। କିନ୍ତୁ ପ୍ରଭାତଙ୍କ ପୁଅ ବାଙ୍କୀ ଆସନରୁ ଲଢ଼ିବା ପାଇଁ ରାଜି ନୁହଁନ୍ତି। ତେଣୁ ଏବେ ପ୍ରଭାତଙ୍କୁ ତାଙ୍କ ସ୍ତ୍ରୀ କି ଅନ୍ୟ କେଉଁ ଚକରାଙ୍କୁ ଖୋଜିବାକୁ ପଡ଼ିବ। କିନ୍ତୁ ଏହାଦ୍ୱାରା ବିଜୁ ଜନତା ଦଳର ଲାଭ ହେବ କି କ୍ଷତି ହେବ ସମୟ କହିବ?

କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ମଧ୍ୟ ଚିଟଫଣ୍ଡ ଦୁର୍ନୀତିରେ ଗିରଫ ହୋଇଥିଲେ। ତାଙ୍କୁ ଏଥର ଟିକଟ ଦେବାକୁ ଯାଉନାହିଁ ଦଳ। ମାତ୍ର ପ୍ରଭାତଙ୍କର ନିଜସ୍ୱ ଭୋଟ ବ୍ୟାଙ୍କ ଅଛି। ୨୦୦୪ରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ କଟକ-ସଦରରୁ ଜିଣିଥିଲେ। ୨୦୦୯ ଏବଂ ୧୪ରେ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ତାଙ୍କ ବଦଳରେ ଅନ୍ୟ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଯାଉଛି ବିଜୁ ଜନତା ଦଳ।

୨୦୧୪ରେ ଅଚାନକ ଖଣ୍ଡପଡ଼ାର ବିଧାୟକ ସିଦ୍ଧାର୍ଥ ମର୍ଦ୍ଦରାଜଙ୍କୁ ଟିକଟ ନଦେଇ ଅନୁଭବ ପଟନାୟକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। କିନ୍ତୁ ଏଥର ସିଦ୍ଧାର୍ଥ ବିଜେଡିରୁ ଲଢ଼ିବାକୁ ଯାଉଥିବା ବେଳେ ଅନୁଭବଙ୍କୁ ବଳି ଦେବାକୁ ଯାଉଛି ଦଳ। ରାଜ୍ୟସଭା ସଦସ୍ୟ ସୌମ୍ୟରଞ୍ଜନ ପଟନାୟକଙ୍କୁ ଖୁସି କରିବା ପାଇଁ ଅନୁଭବଙ୍କ ଟିକଟ କାଟିବାକୁ ନିଷ୍ପତ୍ତି ହୋଇଛି। ଗତଥର ଅନୁଭବଙ୍କ ଠାରୁ ଆମ ଓଡ଼ିଶା ପାର୍ଟି ପ୍ରାର୍ଥୀ ସୌମ୍ୟରଞ୍ଜ ପରାଜିତ ହୋଇଥିଲେ। ଏବେ ସେ ବିଜେଡିର ରାଜ୍ୟସଭା ସଦସ୍ୟ। ଏହି ଆସନରୁ ସୌମ୍ୟଙ୍କ ସୁପାରିଶ କ୍ରମେ ଅନ୍ୟ କେହି ଦଳୀୟ ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ।

ଏବେ ସମସ୍ତଙ୍କ ନଜର ଅଛି ଲୋକସଭା ଆସନ ପାଇଁ ବିଜୁ ଜନତା ଦଳ କି ନିଷ୍ପତ୍ତି ନେଉଛି? ଅସମଥିର୍ତ ସୂତ୍ର ଅନୁସାରେ, ୫ଥର ନିର୍ବାଚନ ଜିଣିଥିବା ଭର୍ତ୍ତୃହରି ମହତାବଙ୍କୁ ଟିକଟ ଦେଇନପାରେ ଦଳ। ତାଙ୍କ ସ୍ଥାନରେ ଅନୁଭବ ମହାନ୍ତି ଦଳୀୟ ପ୍ରାର୍ଥୀ ହୋଇପାରନ୍ତି। ଟିକଟ ନପାଇଲେ ବିଦ୍ରୋହୀ ଭୂମିକାକୁ ଓହ୍ଲାଇ ପାରିବେ ନାହିଁ ଭର୍ତ୍ତୃହରି। ତେବେ ଅନ୍ୟ କ୍ଷେତ୍ରରେ ଯଦି ଟିକଟ କଟେ ରଣେନ୍ଦ୍ର ଏବଂ ଦେବୀପ୍ରସାଦଙ୍କର କି ଭୂମିକା ରହିବ, ସେନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

ବୋଧହୁଏ କଟକରୁ ଦେବାଶିଷ ସାମନ୍ତରାୟ ରିପିଟ ହୋଇପାରନ୍ତି। ମାତ୍ର ତାଙ୍କ ବିରୋଧରେ ଯେଉଁ ହାୱା ବଢ଼ିଲାଣି, ତାହା ବିଜେଡି ପାଇଁ ଚିନ୍ତାର କାରଣ ହେବ।

ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ:

Leave a Reply

Your email address will not be published. Required fields are marked *