ପଶ୍ଚିମାଞ୍ଚଳରେ ଗେମ୍ ଚେଞ୍ଜର ହେବେ ନବୀନ ପଟ୍ଟନାୟକ
ଭୁବନେଶ୍ଵର, (ଓଟି): ରାଜ୍ୟର ପଶ୍ଚିମାଞ୍ଚଳରୁ ବ୍ୟାପ୍ତ ହେଉଥିବା ଗେରୁଆ ବାହିନୀର ଗତିପଥରେ ରୋକ୍ ଦେବା ଲାଗି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସାମ୍ନାକୁ ଆସିବେ। ବିଜେଡି ଏକତା ତଥା ନିର୍ଭରଶୀଳତାକୁ ବଜାୟ ରଖିବା ଲାଗି ସେ ପ୍ରାର୍ଥୀ ହେବେ। ଏମିତି ଏକ ପ୍ରସ୍ତାବ ଚୁଡ଼ାନ୍ତ ରୂପ ନେବାକୁ ଯାଉଛି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗଣମାଧ୍ୟମକୁ ଏ ବାବଦରେ ଇଙ୍ଗିତ ମଧ୍ୟ ଦେଇଛନ୍ତି। ଦଳର ତୁଙ୍ଗ ନେତା ଓ ଛାତ୍ର, ମହିଳା ସମସ୍ତେ ତାଙ୍କୁ ନିବେଦନ କରୁଥିବା ସେ କହିଛନ୍ତି।
ନବୀନ ନିବାସରେ ଚାଲିଥିବା ପ୍ରାର୍ଥୀ ଚୟନ ପ୍ରକ୍ରିୟାରୁ ବିରତ ନେଇ ମୁଖ୍ୟମନ୍ତ୍ରୀ ଆଜି ଖୋଦ୍ ଗଣମାଧ୍ୟମ ସାମ୍ନାକୁ ଚାଲି ଆସିଥିଲେ। ଏହା ପରେ କହିଲେ, ‘ପଶ୍ଚିମାଞ୍ଚଳର ନେତା, ଛାତ୍ର, ମହିଳା ଓ ବୁଦ୍ଧିଜୀବୀ ମୋତେ ସେଠୁ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରିଛନ୍ତି। ମୁଁ ମଧ୍ୟ ଏହି ପ୍ରସ୍ତାବକୁ ଗୁରୁତ୍ଵ ଦେଇ ଆଲୋଚନା କରୁଛି।’
ମୁଖ୍ୟମନ୍ତ୍ରୀଙ୍କ ଏହି ଦୁଇଧାଡ଼ି ମନ୍ତବ୍ୟ ଏବେ ରାଜ୍ୟ ରାଜନୀତିରେ ଏକ ଭିନ୍ନ ମୋଡ଼ ଆଣିବାକୁ ଯାଉଛି । ଯେଉଁ ଅଞ୍ଚଳରୁ ବିଜେପି ବିଜୟ ଅଭିଯାନ ଆରମ୍ଭ କରିବ ବୋଲି ଚିନ୍ତା କରିଥିଲା ତାହା ଏବେ ଆଉ ଗୋଲାପ ଶଯ୍ୟା ହେବ ନାହିଁ। ଅର୍ଥାତ୍ ବିଜେପି ଏଠାରେ ଦୃଢ଼ ବିରୋଧର ସମ୍ମୁଖୀନ ହେବ।
ବିଜେଡିର ଆଶଙ୍କା
ଏ ଭିତରେ ବିଜେଡିର ଯେଉଁ ୫ଟି ଟିମ୍ ନିରପେକ୍ଷ ସର୍ବେକ୍ଷଣ କରିଛନ୍ତି ସେମାନେ ପଶ୍ଚିମାଞ୍ଚଳରେ ବିଜେପିର ପ୍ରଭାବକୁ ଉଲ୍ଲେଖ କରିଛନ୍ତି। ଏପରିକି ଦଳ ଯଦି ସେମିତି କିଛି ମ୍ୟାଜିକ୍ ନଦେଖାଏ ତେବେ ଟକ୍କର ଜୋରଦାର ହେବ। ଏପରିକି ନବୀନଙ୍କ ବ୍ୟତୀତ ଦଳର କୌଣସି ନେତା ଏହାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ନଥିବା ବି କହିଥିଲେ। ଯଦି ଏମିତିରେ ନିର୍ବାଚନ ଲଢ଼ାଯାଏ ତେବେ ବିଜୟ ନକରାତ୍ମକ ହୋଇପାରେ। ସେଥିଲାଗି ବିଜେଡିର ଥିଙ୍କ୍ଟ୍ୟାଙ୍କ୍ ନବୀନଙ୍କୁ ଏ ବାବଦରେ ନିଷ୍ପତ୍ତି ନେବାକୁ କହିଥିଲେ। ଆଉ ନବୀନ ଆଗକୁ ଆସିଥିବା ଜଣାପଡ଼ିଛି।
ପ୍ରଭାବ ପକାଇବ
ପଶ୍ଚିମାଞ୍ଚଳର କୌଣସି ଏକ ସ୍ଥାନରୁ ନବୀନ ପ୍ରାର୍ଥୀ ହେଲେ କର୍ମୀଙ୍କ ଉତ୍ସାହ ବଢ଼ିବ। ଆଉ ତାହା ବିଜେଡିକୁ ସହାୟକ ହେବ। ଯେଉଁ ଗୋଷ୍ଠୀକନ୍ଦଳ ସୃଷ୍ଟି ହୋଇଛି ତାହାର ବି ଅବସାନ ହେବ। ଏପରି ମୁହୁର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସେଲିବ୍ରିଟି ଭାବେ ଲୋକେ ଗ୍ରହଣ କରିପାରନ୍ତି। ଏହା ବିଜେପିର ପ୍ରଭାବକୁ ନକରାତ୍ମକ କରିବ ବୋଲି ଆଶା କରାଯାଉଛି।