ଫିଲ୍ମ ରିଭ୍ୟୁ: ‘ମେରେ ପ୍ୟାରେ ପ୍ରାଇମ୍ ମିନିଷ୍ଟର୍’

କମରସିଆଲ୍ ଫିଲ୍ମ ଅପେକ୍ଷା ଆଜିକାଲି ବାୟୋପିକ୍ ଓ ସାମାଜିକ ବିଷୟବସ୍ତୁକୁ ନେଇ ଅଧିକରୁ ଅଧିକ ଫିଲ୍ମ ନିର୍ମାଣ କରାଯାଉଛି । ସେହିସବୁ ଫିଲ୍ମ ଦର୍ଶକଙ୍କୁ ଖୁବ୍ ଆକୃଷ୍ଟ କରିବା ସହିତ ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରୁଛି । ତେବେ ଏହି ଧାରାରେ ଏଥର ଫ୍ରାଇଡେ ରିଲିଜରେ ସିନେମାଘରକୁ ଆସିଛି ଆଉ ଏକ ସାମାଜିକ କାହାଣୀ ‘ମେରେ ପ୍ରାଇମ୍ ମିନିଷ୍ଟର୍’ ।

ରାକେଶ ଓମ୍ ପ୍ରକାଶ ମେହରୋଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର କଥାବସ୍ତୁ ଶୌଚାଳୟ ନିର୍ମାଣ ଉପରେ ଅଧିକ ଗୁରୁତ୍ୱ ଦେଇଛି । କାହାଣୀ ଆରମ୍ଭ ହୋଇଛି ଘାଟକୋପର୍ ବସ୍ତିର ଏକ ଝୁମ୍ପୁଡ଼ି ଘରେ ରହୁଥିବା ଜଣେ ମା’ ଓ କୁନି ପୁଅକୁ ନେଇ। ମା’ ସିଲାଇ ଓ ବୁଣାଇ କରି ଗୁଜରାଣ ମେଣ୍ଟାଉଥିବାବେଳେ କୁନି ପୁଅର ଦୁଷ୍ଟାମୀ ଅସହ୍ୟ ହୋଇପଡ଼ୁଛି । ଏହି ବସ୍ତିର ଏକ ସମସ୍ୟା ହେଉଛି ସେଠାରେ ଶୌଚାଳୟ ନାହିଁ । ତେଣୁ ବିଶେଷ ଭାବରେ ବସ୍ତିର ମହିଳାମାନଙ୍କ ଉପରେ ଏହାର ସବୁଠାରୁ ଅଧିକ ପ୍ରଭାବ ପଡ଼ୁଛି । କାହାଣୀରେ ଦର୍ଶାଯାଇଛି ଯେ ଅଧାରାତି କିମ୍ବା ଭୋରରୁ ଉଠି ମହିଳାମାନଙ୍କୁ ରେଳ ଧାରଣାରେ ଶୌଚ କାମ ସାରିବାକୁ ହୁଏ ।

ସବୁଦିନ ଏଭଳି ସମସ୍ୟା ଭୋଗ କରିବାକୁ ପଡ଼ୁଥିଲେ ମଧ୍ୟ ଦିନେ ସେହି କୁନି ପୁଅଟିର ମା’ଙ୍କ ସହିତ ଗଣଦୁଷ୍କର୍ମ ହୋଇଛି। ଏଥିରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିବା କୁନି ପୁଅଟି ପ୍ରଧାନମନ୍ତ୍ରୀଙ୍କ ପାଖକୁ ଏକ ଚିଠି ଲେଖିଛି । ତେବେ ସେ ଚିଠିରେ କ’ଣ ସବୁ ଲେଖଛି ଏବଂ ତା’ପରେ କ’ଣ ପଦକ୍ଷେପ ନିଆଯାଉଛି, ତାହାକୁ ନେଇ କାହାଣୀ ଗତିଶୀଳ । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ନିର୍ମିତ ଫିଲ୍ମରେ ଅଭିନୟ କରିଛନ୍ତି ଅଞ୍ଜଳୀ ପାଟିଲ୍, ଅତୁଲ୍ କୁଲକର୍ଣ୍ଣି ଓ ମକରନ୍ଦ ଦେଶପାଣ୍ଡେ । ଏହି ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ଏବଂ ଫିଲ୍ମ ସମୀକ୍ଷକଙ୍କ ପକ୍ଷରୁ ଏହାକୁ ୫ ଅଙ୍କରୁ ୩,୫ଅଙ୍କ ମିଳିଛି ।

Leave a Reply

Your email address will not be published.