ମହିଳା ପ୍ରାର୍ଥୀ ପାଇଁ ବିଳମ୍ୱ ହେଉଛି କଂଗ୍ରେସ ତାଲିକା
କେଉଁଠି ନା କେଉଁଠି ଅଡ଼ୁଆ ଅଛି କଂଗ୍ରେସରେ। ଗତ ଅଗଷ୍ଟରୁ ସମସ୍ତେ ଶୁଣି ଆସୁଛନ୍ତି ଯେ, କଂଗ୍ରେସର ପ୍ରାର୍ଥୀ ତାଲିକା ଆଗୁଆ ଘୋଷଣା ହେବ। ନିର୍ବାଚନର ୬ମା ପୂର୍ବରୁ ୫୦ ଭାଗ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି କହିଥିଲା କଂଗ୍ରେସ। ସୋମବାର ଦିନ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସକାଶେ ପ୍ରକାଶ ପାଇବ ବିଜ୍ଞପ୍ତି। କିନ୍ତୁ ଏପର୍ଯ୍ୟନ୍ତ କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିପାରିଲା ନାହିଁ।
ଅବଶ୍ୟ ପିସିସି ସଭାପତି ନିରଞ୍ଜନ ପଟନାୟକ କହିଛନ୍ତି ଯେ, ୧୫ଟି ଲୋକସଭା ଏବଂ ୧୦୫ଟି ବିଧାନସଭା ଆସନ ସକାଶେ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇସାରିଛି। କେବଳ ଘୋଷଣା ବାକି। ଅବଶିଷ୍ଟ ଆସନଗୁଡ଼ିକ ଲାଗି ୧୬ ତାରିଖ ଦିନ ଏଆଇସିସି ସ୍କ୍ରିନିଂ କମିଟି ବୈଠକ ପରେ ନିଷ୍ପତ୍ତି ନିଆଯିବ। ତେବେ ପୁଣି ଆଉ ଏକ କେଁ’ର ସୂଚନା ଦେଇଛନ୍ତି ନିଜେ ନିରଞ୍ଜନ।
ନବୀନଙ୍କ ମହିଳା କାର୍ଡ଼ ଦେଖିବା ପରେ କଂଗ୍ରେସ ସେହି ରାସ୍ତାରେ ଯିବା ପାଇଁ ମନ ସ୍ଥିର କରୁଛି। ନିରଞ୍ଜନ କହିଛନ୍ତି, ଅଧିକରୁ ଅଧିକ ସଂଖ୍ୟକ ମହିଳା ପ୍ରାର୍ଥୀଙ୍କୁ ପ୍ରତିନିଧିତ୍ୱ ଦେବା ସକାଶେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଏଆଇସିସି ନିର୍ଦ୍ଦେଶ ଦେଇଛି। ସେଥିପାଇଁ ଏଥର କଂଗ୍ରେସ ଅଧିକରୁ ଅଧିକ ମହିଳାଙ୍କୁ ଟିକଟ ଦେବ। ଏହା ବାଦ ଆଉ କେତେକ ଆସନରେ ମହିଳାଙ୍କୁ ପ୍ରତିନିଧିତ୍ୱ ଦେବାକୁ ଏଆଇସିସିର ନିର୍ଦ୍ଦେଶ ଆସିଛି। ତେଣୁ ଦିନେ-ଦୁଇ ଦିନ ଭିତରେ ସବୁ ଚୂଡ଼ାନ୍ତ ହୋଇଯିବ ବୋଲି କହିଛନ୍ତି ନିରଞ୍ଜନ। ଅର୍ଥାତ ବିଜେଡ଼ିକୁ ଅନୁସରଣ କରି ଏବେ ସେହି ଫାନ୍ଦରେ ପଡ଼ିବାକୁ ଯାଉଛି କଂଗ୍ରେସ।
ଦ୍ୱିତୀୟରେ ପୁଣି ନୂଆ ସମୀକରଣ ବିଭିନ୍ନ ନିର୍ବାଚନମଣ୍ଡଳୀରେ। ନିରଞ୍ଜନ ନୂଆଦିଲ୍ଲୀରେ ଦୁଇଦିନ ରହିବା ପରେ ବୁଧବାର ଦିନ ଫେରିଛନ୍ତି ଭୁବନେଶ୍ୱର। ତାଲିକା ଘୋଷଣା ପାଇଁ ଆଉ ଦୁଇଦିନ ଲାଗିବ ବୋଲି ନିରଞ୍ଜନ କହିଥଲେ। କିନ୍ତୁ ତାଲିକା ଚୂଡ଼ାନ୍ତ ହେବାରେ ଯେଉଁ ବିଳମ୍ୱ ଘଟୁଛି, ସେଥିପାଇଁ ଦଳୀୟ ଅନ୍ତଦ୍ର୍ୱନ୍ଦ୍ୱ ଅଭିଯୋଗକୁ ଦୃଢ଼ ଖଣ୍ଡନ କରିଛନ୍ତି ପିସିସି ସଭାପତି।
ତେବେ ମହିଳା ପ୍ରାର୍ଥୀଙ୍କୁ ନେଇ ହାଇକମାଣ୍ଡଙ୍କର କିଛି ବିଶେଷ ନିର୍ଦ୍ଦେଶ ଥିବାରୁ ତାଲିକା ପ୍ରସ୍ତୁତିରେ ବିଳମ୍ୱ ଘଟୁଥିବା ସଫେଇ ଦେଇଛନ୍ତି ନିରଞ୍ଜନ। କଂଗ୍ରେସ ପକ୍ଷରୁ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରସ୍ତୁତି ନେଇ ଜିଲା, ପ୍ରଦେଶ ଓ ନିର୍ବାଚନ କମିଟି ଏଆଇସିସିର ସ୍କ୍ରିନିଂ କମିଟି ତାଲିକାକୁ ତର୍ଜମା କରିସାରିଛନ୍ତି। ସବୁ ଚୁଡ଼ାନ୍ତ ହୋଇଥିଲେ ଘୋଷଣାରେ ବିଳମ୍ୱ କାହିଁକି ବୋଲି ପିସିସି ସଭାପତି ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇନାହାନ୍ତି।
ବର୍ତ୍ତମାନ ସୁଦ୍ଧା ୧୫ର ଲାକସଭା, ୧୦୫ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାମ ଚୁଡ଼ାନ୍ତ ହୋଇଛି। ମୟୂରଭଞ୍ଜ ଲୋକସଭା ଆସନକୁ ମିତ୍ର ଦଳ ଜେଏମଏମକୁ ଛଡ଼ାଯାଇଛି। ଭୁବନେଶ୍ୱର ଲୋକସଭା ଆସନକୁ ପିସିଏମ ଓ ଆସ୍କା ଆସନକୁ ପିସିଆଇକୁ ଛାଡ଼ି ଦିଆଯାଇଛି।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସେହି ସବୁ ଆସନଗୁଡ଼ିକରେ ପ୍ରାର୍ଥୀ ତାଲିକା ସେ ପର୍ଯ୍ୟନ୍ତ ଚୁଡ଼ାନ୍ତ ହୋଇ ନାହିଁ। ଦଳ ଭିତରେ ରହିଥିବା ଅନ୍ତର୍ବିବାଦ କାରଣରୁ ଅଧିକାଂଶ ଆସନରେ ଏକାଧିକ ଆଶାୟୀ ଥିବାରୁ ଏହା ଟିକଟ ଚୁଡ଼ାନ୍ତରେ ବାଧା ସୃଷ୍ଟି କରିଛି।
ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :