ଅଙ୍କ ଛିଡ଼ୁନି; ପୁଣି ଦାମଙ୍କ ଦିଲ୍ଲୀ ଯାତ୍ରା

ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ଏବେ ନେଇ ଚର୍ଚ୍ଚା ଜୋର ଧରିଛି। ଏବେ ସେ ପଦ୍ମ ଧରିବେ ବୋଲି ଜୋର ଚର୍ଚ୍ଚା। ଗତ ସପ୍ତାହରେ ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବା ପରେ ସେ ବିଜେପିରେ ଯୋଗ ଦେବା ନିଶ୍ଚିତ ଜଣାପଡୁଥିଲା। ମାତ୍ର ଏହା ଚୂଡ଼ାନ୍ତ ହୋଇ ପାରି ନଥିଲା। ଆଜି ପୁଣି ଦାମ ଦିଲ୍ଲୀ ଯାତ୍ରା କରିଛନ୍ତି। ଆଲୋଚନା ହେଉଛି କି ଦାମ ବିଜେପିରେ ଯୋଗ ଦେବେ।

ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପ ବିଧାନସଭା ଆସନ ଦେଇ ପିତା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ତୁଣ୍ଡରେ ତୁଣ୍ଡି ବାନ୍ଧିବା ପାଇଁ ଓ ବିଜେପିକୁ ଯିବା ବାଟ ବନ୍ଦ କରିବା ଲାଗି ବିଜେଡି ଚଳାଇଥିବା ଯୋଜନା ଫେଲ ମାରିଛି। ସମ୍ବିତଙ୍କୁ ନବୀନ ନିବାସ ଡାକି ବିଜେଡି ଗୋଟିଏ ପଟେ ଆଲୋଚନା ଚଳାଇଥିଲା ବେଳେ ଅନ୍ୟ ପଟରେ ଡାକ୍ତର ରାଉତ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟର କଥାରେ ପଡ଼ି ତାଙ୍କୁ ଦଳରୁ ଯେଉଁଭଳି ବହିଷ୍କାର କରିଛନ୍ତି ସେ ଅପମାନର ପ୍ରତିଶୋଧ ତାଙ୍କଠାରୁ ନେବେ ବୋଲି ଡାକ୍ତର ରାଉତ ବଜ୍ର ଘୋଷଣା କରିଛନ୍ତି।

ନବୀନ ନିବାସରେ ଆଜି ସମ୍ବିତ ରାଉତରାୟଙ୍କୁ ଦେଖିବାକୁ ମିଳିଥିଲା। ପରେ ସେ ଗଣମାଧ୍ୟମକୁ ପାରାଦୀପ ଆସନ ପାଇଁ ଆହଗ୍ରୀ ଥିବା କଥା କହିଥିଲେ। ବାପାଙ୍କୁ ବୁଝାଇବା ଦୟିତ୍ୱ ତାଙ୍କର ନୁହେଁ ବୋଲି ମତ ରଖିଥିଲେ। ଏହି ଘଟଣା ନେଇ ଅନେକ କଳ୍ପନା ଜଳ୍ପନା ଚାଲିଥିଲା। ଏ ପରିପ୍ରେକ୍ଷୀରେ ସାମ୍ବାଦିକମାନେ ନୂଆଦିଲ୍ଲୀ ଯିବା ପୂର୍ବରୁ ଦାମଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ ଦାମଙ୍କ ଉତ୍ତର ବେଶ କଡ଼ା ଥିଲା। ସେ କହିଥିଲେ , ମୁଁ କାହା କଥା ଶୁଣିବି ନାହିଁ। ପୁଅ-ଝିଅଙ୍କ କଥା ବି ନୁହେଁ। ମୋର ୪୦ ବର୍ଷର ରାଜନୀତିକୁ ଗୋଟିଏ ମିନିଟ୍‌ରେ ଶେଷ କରାଯାଇଛି। ମୋତେ ନିନ୍ଦିତ କରାଯାଇଛି ମାନେ ମୁଁ ନିନ୍ଦିତ କରିବି। ପକେଇବା ଛେପ ମୁଁ ଢୋକିବି ନାହିଁ।

ଦାମଙ୍କ ଉତ୍ତର ସୂଚିତ କରୁଛି କି ସେ ହୁଏତ ସମ୍ବିତଙ୍କ ଲାଗି ବିଜେପିରେ ଯୋଗ ନ ଦେଇ ଚୁପ୍‌ରହିବା ମୁଡରେ ନାହାନ୍ତି। ଦାମ ନିର୍ବାଚନ ଲଢିବା ଜୋଶ୍‌ରେ ଅଛନ୍ତି। ଚର୍ଚ୍ଚା ହେଉଛି, ଦାମଙ୍କୁ ବ୍ରେକ୍ ଦେବା ଲାଗି ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପ ଟିକେଟ୍ ଦେଇପାରେ ବିଜେଡି । ପୁଅର ଭବିଷ୍ୟତ ଗଢିବେ ନା’ ନିଜର ରାଜନୈତିକ ଅଭିଳାଷା ପୂର୍ଣ୍ଣ କରିବେ, ଏ ନେଇ ଦୋ’ଛକିରେ ପଡିଛନ୍ତି ବରିଷ୍ଠ ନେତା ଦାମ ରାଉତ । ଆଉ ଯଦି ଦାମ ନିଜେ ନିର୍ବାଚନ ଲଢିବା ପାଇଁ ସ୍ଥିର କରନ୍ତି, ତେବେ ନିର୍ବାଚନରେ ବାପ-ପୁଅଙ୍କ ଲଢେଇ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :

Leave a Reply

Your email address will not be published.