ସଂଘ ରିପୋର୍ଟରେ ଟିକଟ

ସରକାର ଗଠନ ପାଇଁ ବହୁମତ ପାଇବାକୁ ବିଜେପି ଏବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶରଣରେ ପଶିଛି। ସଂଘର ସର୍ଭେ ରିପୋର୍ଟ ଅନୁସାରେ ଚଳିତ ନିର୍ବାଚନରେ କାହାକୁ କେଉଁଠୁ ପ୍ରାର୍ଥୀ କରାଯିବ ତାହା ସ୍ଥିର ହୋଇଛି। ଏଥିପାଇଁ ସଂଘ ପକ୍ଷରୁ ଦେଶବ୍ୟାପୀ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ସମ୍ପର୍କରେ ସର୍ଭେ କାମ ଶେଷ କରି ସାରିଲାଣି। ଏହି ସର୍ଭେ ରିପୋର୍ଟକୁ ଭିତ୍ତି କରି ଦିନେ କିମ୍ୱା ଦୁଇ ଦିନ ଭିତରେ ବିଜେପିର ପ୍ରାର୍ଥୀ ଘୋଷଣା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସଂଘ ଓ ବିଜେପିର ଉଚ୍ଚସ୍ତରୀୟ ନେତାଙ୍କ କହିବା ଅନୁସାରେ ବିଜେପି ଚଳିତ ନିର୍ବାଚନରେ କାହାକୁ ପ୍ରାର୍ଥୀ କରିବ ସେଥିପାଇଁ ତିନିଟି ସର୍ଭେ କରାଯାଇଛି। ବିଜେପିର ଏହି ତିନିଟି ସର୍ଭେକୁ ସଂଘ ବିଶ୍ୱାସ ନ କରିପାରିନାହିଁ। ତେଣୁ ସଂଘ ପକ୍ଷରୁ ପୁଣି ଥରେ ସମଗ୍ର ଦେଶରେ ସର୍ଭେ କରାଯାଇ ଏହାର ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଚଳିତ ନିର୍ବାଚନରେ ସଂଘର ରିପୋର୍ଟ ଅନୁସାରେ ପ୍ରାର୍ଥୀମାନଙ୍କୁ ଟିକଟ ପ୍ରଦାନ କରାଯିବ।

ବିଜେପିର ସର୍ଭେ ରିପୋର୍ଟ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ନିର୍ଦ୍ଦେଶରେ କରାଯାଇଥିଲା। ଏହି ସର୍ଭେ କାମକୁ ବିଦେଶୀ ଏଜେନ୍ସିମାନଙ୍କ ଦ୍ୱାରା କରାଯାଇଥିଲା।

ବିଜେପି ଓ ସଂଘର ରିପୋର୍ଟ ଅନୁସାରେ ଗତ ନିର୍ବାଚନରେ ବିଜୟୀ ହୋଇଥିବା ବହୁ ସାଂସଦମାନଙ୍କର ଟିକଟ କଟିଯାଇପାରେ। ଏହି ସଂଖ୍ୟା ବିଜେପି ସାଂସଦଙ୍କ ସଂଖ୍ୟାର ୪୦ ପ୍ରତିଶତ ହୋଇପାରେ ବୋଲି ଅନୁମାନ କରାଯାଉଛି। ଅର୍ଥାତ ବିଜେପି ଅନେକ ନିର୍ବାଚନ ମଣ୍ଡଳୀରେ ନୂଆ ପ୍ରାର୍ଥୀ ଛିଡ଼ା କରାଇବ।

ଗତ ପାଞ୍ଚ ବର୍ଷ ମଧ୍ୟରେ ନିର୍ବାଚିତ ସାଂସଦମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ କିପରି ଉନ୍ନୟନ ମୂଳକ କାମ କରିଛନ୍ତି ଓ ଦଳର ଚିନ୍ତାଧାରାକୁ କେତେ ପ୍ରଚାରପ୍ରସାର କରାଇଛନ୍ତି ଏହି ସର୍ଭେରେ ଗୁରୁତ୍ୱ ଦିଆଯାଇ ଲୋକମାନଙ୍କର ମତାମତ ସଂଗ୍ରହ କରାଯାଇଥିଲା।

ଏପରିକି ସାଂସଦମାନଙ୍କର ସାକ୍ଷାତକାର ନିଆଯାଇ ସେମାନଙ୍କୁ କାହିଁକି ପୁଣି ଟିକଟ ଦିଆଯିବ ବୋଲି ପ୍ରଶ୍ନ କରାଯାଇଥିଲା। ପାର୍ଟିକୁ କିପରି ଆଗକୁ ବଢ଼ାଇବ ଓ କେଉଁ କାରଣ ପାଇଁ ବର୍ତ୍ତମାନର ସାଂସଦଙ୍କୁ ଟିକଟ ଦିଆଯିବ ନାହିଁ ବୋଲି ନୂଆ ପ୍ରାର୍ଥୀମାନଙ୍କୁ ସାକ୍ଷାତକାର ସମୟରେ ପ୍ରଶ୍ନ କରାଯାଇଥିଲା।

ବିଜେପିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ ଏଥର ବିଜେପି ବହୁତ ଭଲ ସ୍ଥିତିରେ ରହିଛି। ତେଣୁ ନିଜର ପୁରୁଣା କାର୍ଯ୍ୟକର୍ତ୍ତା ଯେଉଁମାନେ କେବେ ନିର୍ବାଚନ ଲଢ଼ି ନାହାନ୍ତି ସେମାନଙ୍କୁ ଅଧିକ ସଂଖ୍ୟାରେ ଟିକଟ ପ୍ରଦାନ କରିବ। ଗତ ନିର୍ବାଚନରେ ବହୁତ ବାହାର ନେତା ବିଜେପି ପ୍ରାର୍ଥୀ ହୋଇଥିଲେ। ଏଭଳି ସାଂସଦମାନଙ୍କର ଟିକଟ ଏଥର କଟିଯାଇପାରେ ବୋଲି ଏହି ନେତା ଜଣକ ସୂଚନା ଦେଇଛନ୍ତି।

ଗତ ନିର୍ବାଚନରେ କୁଶବାହଙ୍କ ଆରଏଲଏସପି ଓ ଜିତନ ରାମ ମାଂଝୀଙ୍କ ହାମ ଭଳି ଅ୍ଭନେକ ଛୋଟ ଛୋଟ ଦଳ ସହିତ ନିର୍ବାଚନୀ ମେଣ୍ଟ କରାଯାଇଥିଲା। ଚଳିତ ନିର୍ବାଚନରେ ବିଜେପି କେବଳ ବଡ଼ ବଡ଼ ଦଳମାନଙ୍କ ସହିତ ନିର୍ବାଚନୀ ମେଣ୍ଯ କରିଛି।

ଗତ ପାଞ୍ଚ ବର୍ଷ ଭିତରେ ଯେଉଁ ସାଂସଦ ଓ ନେତାମାନେ ପାର୍ଟି ଚିନ୍ତାଧାରାରୁ ଅଲଗା ହୋଇଛନ୍ତି, ସେ ଯେତେବଡ଼ ନେତା ହେଲେ ବି ସେମାନଙ୍କ ଟିକଟ କଟିବା ନିଶ୍ଚିତ ହୋଇଯାଇଛି। ଉଦାହରଣ ସ୍ୱରୁପ ଝାଡ଼ଖଣ୍ଡର ଅନେକ ସାଂସଦ ସୋସାଲ ମିଡ଼ିଆରେ ପାର୍ଟି ଆସନ ବୁଝାମଣା ବିରୋଧରେ ସ୍ୱର ଉଠାଇଛନ୍ତି। ଏଭଳି ସାଂସଦମାନଙ୍କୁ ଆଗାମୀ ନିର୍ବାଚନରେ ଟିକଟ ନମିଳିବାର ବହୁ ଆଶଙ୍କା ରହିଛି।

ଏହା ମଧ୍ୟରେ ସଂଘ ପକ୍ଷରୁ ସମଗ୍ର ଦେଶରେ ପ୍ରତି ସଂସଦୀୟ ଆସନରେ ଅଲଗା ସର୍ଭେ କରାଯାଇଛି। ସର୍ଭେରେ ସାଂସଦମାନଙ୍କ କାର୍ଯ୍ୟକଳାପର ରିପୋର୍ଟ କାର୍ଡ଼ ପ୍ରସ୍ତୁତ କରାଯିବା ସହିତ ସମ୍ଭାବିତ ପ୍ରାର୍ଥୀମାନଙ୍କର ରିପୋର୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହି ରିପୋର୍ଟ କାର୍ଡ଼କୁ ସଂଘର ବହୁ ଅନୁଭବୀ ତଥା ଦାୟିତ୍ୱସମ୍ପନ୍ନ ବିଭାଗ ପ୍ରଚାରକମାନେ ପ୍ରସ୍ତୁତ କରିଛନ୍ତି।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯେଉଁ ରାଜ୍ୟରେ ପାର୍ଟିକୁ କଡ଼ା ମୁକାବିଲ୍ଲା ମିଳୁଛି ସେହି ସବୁ ରାଜ୍ୟରେ ବିଜେପି କାର୍ଯ୍ୟକର୍ତ୍ତା ପ୍ରତି ବୁଥ ସ୍ତରରୁ ରିପୋର୍ଟ ପ୍ରସ୍ତୁତ କରିବାକୁ ପଠାଯାଇଛି। ଏହି ରିପୋର୍ଟ ଦିନେ ଦୁଇ ଦିନ ଭିତରେ ପାର୍ଟି ନେତୃତ୍ୱଙ୍କୁ ମିଳିଯିବ। ଏହି ସବୁ ସର୍ଭେ ରିପୋର୍ଟ, ରିପୋର୍ଟ କାର୍ଡ଼କୁ ଅନୁଧ୍ୟାନ କରିବା ପରେ ସଂଘର ଅନୁମୋଦନ କ୍ରମେ ଟ‍୍‌କଟ ବଣ୍ଟନ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :

Leave a Reply

Your email address will not be published. Required fields are marked *