ବିଜେଡିର ୩୩% ସଂରକ୍ଷଣ ନୀତି: କେଉଁ ଆସନରୁ ମହିଳାଙ୍କ ପାଇଁ ରହିଛି ସମ୍ଭାବନା, ନଜର ପକାନ୍ତୁ
ଲୋକସଭା ପାଇଁ ଓଡ଼ିଶାର ୩୩ ପ୍ରତିଶତ ଆସନରେ ଶାସକ ବିଜେଡି ମହିଳାଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଛି। କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଦ୍ଵାରା ରାଜ୍ୟରେ ଏକ ନୂତନ ରାଜନୀତିକ ସମୀକରଣ ସୃଷ୍ଟି ହେଉଛି। ଅନେକ ଆଶା ଆଉ ଆଶଙ୍କା ବି ଉଙ୍କି ମାରିଲାଣି। କେଉଁଠି ମହିଳା ପ୍ରତିନିଧି ସେମାନଙ୍କ ଭାଗ୍ୟ ଖୋଲିଲା ବୋଲି ଅନୁମାନ କଲେଣି ତ ଆଉ କେଉଁଠି କିଛି ସାଂସଦ ତାଙ୍କ ଭାଗ୍ୟରେ ବିଧାତା ଲାତ ମାରିବାକୁ ଯାଉଛି ବୋଲି ବି ଆଶଙ୍କା କଲେଣି। ଏ ଭିତରେ କିଛି ନିଜ ଭିତରେ ଭାଳେଣି ପକାଇ ତାଙ୍କ ଆସନ କେମିତି ମହିଳାଙ୍କ ଲାଗି ନଯାଉ ସେଥିଲାଗି ଲବି କଲେଣି ରଣନୀତି ନିର୍ଦ୍ଧାରକମାନଙ୍କ ପାଖରେ।
ଏମିତି ଆଶା ଓ ଆଶଙ୍କା ଭିତରେ ଯେଉଁ ସମୀକରଣସବୁ ସୃଷ୍ଟି ହେଉଛି ସେ ଭିତରେ କେଉଁଠି ମହିଳା ପ୍ରାର୍ଥୀ ହେବ ଓ କାହିଁକି ସେଥିନେଇ ତର୍ଜମା ହେଉଛି। ଏହି ତର୍ଜମା ଭିତରେ କେଉଁ ଆସନସବୁ ମହିଳାଙ୍କ ପାଇଁ ସଂରକ୍ଷିତ ହେବ ସେ ନେଇ ମଧ୍ୟ ଯୁକ୍ତି ଉପସ୍ଥାପନ ହେଉଛି। ଯଦିଓ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ ଆଶୀର୍ବାଦ ଉପରେ ଟିକେଟ୍ ପାଇବା ନପାଇବା ନିର୍ଭର କରୁଛି କିନ୍ତୁ ବିଜେଡିର ଏହି ନୂତନ ରଣନୀତିରେ କେଉଁ ଆସନସବୁ ସଂରକ୍ଷିତ ରହିବ ସେ ନେଇ ପୂର୍ବାନୁମାନ ଉପରେ ଚାଲନ୍ତୁ ନଜର ପକାଇବା।
ଆଞ୍ଚଳିକ ଭାରସାମ୍ୟ ଓ ଜାତି ପ୍ରାଧାନ୍ୟ
ତେତିିଶି ପ୍ରତିଶତ ଅର୍ଥାତ୍ ଓଡ଼ିଶାର ୨୧ଟି ଆସନରୁ ସର୍ବନିମ୍ନ ୭ଟି ଆସନ ମହିଳାଙ୍କ ଲାଗି ସଂରକ୍ଷିତ ରହିବ। ଏହି ସାତଟି ଭିତରେ ସାଧାରଣ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ମହିଳାଙ୍କୁ ମଧ୍ୟ ଉଚିତ ସଂରକ୍ଷଣ ମିଳିବ ବୋଲି ଆଶା କରାଯାଇଛି। ଏହିକ୍ରମରେ ସଂରକ୍ଷିତ ହେବାକୁ ଯାଉଥିବା ଆସନଗୁଡ଼ିକ ଭିତରେ ରହିଛି କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର, କେନ୍ଦ୍ରାପଡ଼ା, ଭୁବନେଶ୍ଵର, ଆସିକା ଏବଂ ସମ୍ବଲପୁର। ଏହି ଆସନଗୁଡ଼ିକ ଭିତରୁ ଉପକୂଳ, କେନ୍ଦ୍ର ଓ ପଶ୍ଚିମାଞ୍ଚଳ ଭିତରେ ଭାରସାମ୍ୟ ସୃଷ୍ଟି ସହ ବିଭିନ୍ନ ବର୍ଗ ତଥା ଜାତିଙ୍କ ଭିତରୁ ମହିଳା ପ୍ରତିନିଧିଙ୍କୁ ଖୋଜି ବାହାର କରାଯାଇପାରେ।
ଏହି ସାତଟି ଭିତରେ ଦୁଇଟି ଦଳିତ, ଦୁଇଟି ଆଦିବାସୀ ଏବଂ ତିନୋଟି ସାଧାରଣ ବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ।
କେନ୍ଦୁଝର
ପ୍ରଥମେ କେନ୍ଦୁଝର କଥା। ଏବେ କେନ୍ଦୁଝର ଆସନରେ ଶକୁନ୍ତଳା ଲାଗୁଡ଼ି ସାଂସଦ ଅଛନ୍ତି। ଲୋକସଭାରେ ତାଙ୍କ ପ୍ରଦର୍ଶନ ସେତେ ଉନ୍ନତ ନୁହେଁ। ଏଣୁ ତାଙ୍କ ଟିକେଟ୍କୁ ନେଇ ଆଶଙ୍କା ଜନ୍ମିଛି। ହେଲେ ଏବେ ମହିଳାଙ୍କୁ ପ୍ରାଧାନ୍ୟଦେବା ଲାଗି ଯେଉଁ ନୂଆ ପରମ୍ପରା ଆରମ୍ଭ ହେବାକୁ ଯାଉଛି ଏହିକ୍ରମରେ ପୂର୍ବସ୍ଥିତିରେ ମହିଳାଙ୍କ ପ୍ରତିନିଧିତ୍ଵକୁ ଦଳ ଏପଟସେପଟ କରିବାକୁ ଚିନ୍ତା କରିବ ନାହିଁ ବୋଲି ଗୋଟିଏ ଯୁକ୍ତି ପ୍ରକାଶ ପାଇଛି। ଏଣୁ ଶକୁନ୍ତଳାଙ୍କୁ ପୁଣିଥରେ ସୁଯୋଗ ମିଳିପାରେ। ଯଦି ତାହା ନହୁଏ ତେବେ ତାଙ୍କ ବିକଳ୍ପ ଭାବେ ଦଳ ଆଉ ଜଣେ ମହିଳାଙ୍କୁ ବାଛିପାରେ।
ସୁନ୍ଦରଗଡ଼
ନୂଆକରି ଯୋଗ ଦେଇଥିବା ସୁନୀତା ବିଶ୍ଵାଳଙ୍କୁ ସାଂସଦ ଟିକେଟ୍ ମିଳିବା ସମ୍ଭାବନା ଯଥେଷ୍ଟ ରହିଛି। ପୂର୍ବତନ ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନନ୍ଦ ବିଶ୍ଵାଳଙ୍କ ଝିଅ ହେଉଛନ୍ତି ସୁନୀତା। ଯେହେତୁ ଏହି ଆସନରେ ହେମାନନ୍ଦଙ୍କ ଭୋଟ୍ ରହିଛି ଏବଂ ବିଜେଡି ଏକ ଶୂନ୍ୟ କାରକ ସେଠାରେ ବର୍ତ୍ତମାନର ସାଂସଦ ତଥା ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ଙ୍କୁ ହରାଇବା ପାଇଁ ବିଜେଡି ଯଥାସାଧ୍ୟ ଉଦ୍ୟମ କରିବ। ସେଥିଲାଗି ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରି ଭୋଟ୍ ହାସଲ କରିବାକୁ ଚାହିଁବ ବିଜେଡି। ଏଣୁ ଆଦିବାସୀ କୋଟା ପୂରଣ କରିବା ଲାଗି ଏହାଠୁ ବଡ଼ ମୌକା ଆଉ କ’ଣ ବା ହୋଇପାରେ? ଏହି ପ୍ରକାର ନିଷ୍ପତ୍ତି ଗୋଟିଏ ତୀରରେ ବିଜେଡିକୁ ଦୁଇଟି ଶିକାର ଦେବ। ଗୋଟିଏ ହେଲା ସେଠାରେ କଂଗ୍ରେସ ପତିଆରା କମାଇ ସେହି ଭୋଟ୍କୁ ନିଜ ପକେଟକୁ ଆଣିବା ଆଉ ମହିଳାଙ୍କ ଭୋଟ୍ ପାଇ ଜୁଏଏଲ୍ଙ୍କୁ ଧୂଳି ଚଟାଇବା।
ଯାଜପୁର
ଯାଜପୁର ଦଳିତ ବର୍ଗଙ୍କ ପାଇଁ ସଂରକ୍ଷିତ ଆସନ। ଏହି ଆସନରେ ଏବେ ଜଣେ ମହିଳା ପ୍ରତିନିଧିତ୍ଵ କରୁଛନ୍ତି। ଏଣୁ ସେହି ରୀତା ତରାଇଙ୍କୁ ପୁଣିଥରେ ବିଜେଡି ପ୍ରାର୍ଥୀ କରିପାରେ। କିନ୍ତୁ ତାଙ୍କୁ ପ୍ରାର୍ଥୀ କରିବାଠାରୁ ବିଜେଡି ରଣନୀତି ନିର୍ଦ୍ଧାରକମାନେ ପ୍ରାର୍ଥୀ ପରିବର୍ତ୍ତନକୁ ଅଧିକ ଗୁରୁତ୍ଵ ଦେଇପାରନ୍ତି। ଏଣୁ ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବି ସାମ୍ନାକୁ ଆସିପାରନ୍ତି।
କେନ୍ଦ୍ରାପଡ଼ା
ଯେଉଁ କେନ୍ଦ୍ରାପଡ଼ା ମାଟିରେ ମୁଖ୍ୟମନ୍ତ୍ରୀ ୩୩ ପ୍ରତିଶତ ଆରକ୍ଷଣ ଘୋଷଣା କଲେ ସେଠାରେ ମହିଳାଙ୍କୁ ପ୍ରାର୍ଥୀ କରିବାକୁ କେମିତି ବା ଭୁଲିବେ। ଏହି ଆସନ ବିଜେଡିର ଗଡ଼। ବିଜେଡିରୁ ବୈଜୟନ୍ତଙ୍କ ଦ୍ଵାରା ଏହା ପ୍ରତିନିଧିତ୍ଵ ହୋଇ ଆସୁଥିଲା।ଏଥର ବୈଜୟନ୍ତ ବିଜେପିରୁ ଲଢ଼ିବା ନିଶ୍ଚିତ। ଏଣୁ କେନ୍ଦ୍ରାପଡ଼ାକୁ ବଞ୍ଚାଇବା ଲାଗି ବିଜେଡି ମହିଳା କାର୍ଡ ଖେଳିବା ନୂଆ ହେବ ନାହିଁ। ଯଦି ତାହା ହୁଏ ତେବେ ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ ସାମ୍ନାକୁ ଆସିପାରନ୍ତି ।
ଭୁବନେଶ୍ଵର
କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର ଓ କେନ୍ଦ୍ରାପଡ଼ାଠୁ ଯାହା ଅଧିକ ଗୁରୁତ୍ଵପୂଣ୍ଣ ତାହା ହେଉଛି ଭୁବନେଶ୍ଵର। କ୍ରମାଗତ ଭାବେ ୫ଥର ହେଲାଣି ଏହି ଆସନରୁ ପ୍ରାର୍ଥୀ ହୋଇ ଚାଲିଛନ୍ତି ବିଜେଡିର ବାବା ପ୍ରସନ୍ନ ପାଟ୍ଟଶାଣୀ। ଏଥର ସେ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ ମଧ୍ୟ ତାଙ୍କୁ ଲଢ଼ିବାରୁ ବାରଣ କରାଯାଇପାରେ। ଏ ବିଷୟରେ ପୂର୍ବରୁ ଆଲୋଚନା ହୋଇଛି। ଯଦି ତାହା ହୁଏ ତେବେ ବିଜେଡି ଜଣେ ମହିଳାଙ୍କୁ ନିଜର ପ୍ରତିଚ୍ଛବି ଭାବେ ଉପସ୍ଥାପନ କରିପାରେ। ତାହା ହେଲେଯାଇ ବିଜେପି ପ୍ରାର୍ଥୀ ଅପରାଜିତାଙ୍କ ସହ ଲଢ଼େଇ ହୋଇପାରିବ। ଏହା ହେଲେ ଅନେକ ଆଶାୟୀଙ୍କୁ ଦଳ ନିରବ କରିପାରିବ।
ଆସିକା ନହେଲେ ବ୍ରହ୍ମପୁର
ଦକ୍ଷିଣ ଓଡ଼ିଶାର ଦୁଇ ପ୍ରମୁଖ ଆସନ ଭିତରେ ଆସିକା ଓ ବ୍ରହ୍ମପୁର ଗଣା। ନିକଟରେ ଟିକେଟ୍ ପାଇବେ ବୋଲି ପୂର୍ବତନ କଂଗ୍ରେସ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ବିଜେଡିରେ ଯୋଗ ଦେଇଛନ୍ତି। କିନ୍ତୁ ପୂର୍ବ ସଂସଦୀୟ ନିର୍ବାଚନରେ ବିରୋଧୀଦଳ ନେତା ଭୂପିନ୍ଦର ସିଂହଙ୍କ ଭଳି ତାଙ୍କ ଅବସ୍ଥା ଛ’ଅଣା ଦି’କଡ଼ା ନହେବ ବୋଲି କିଏ କହିବ?
ପୁଣି ଚନ୍ଦ୍ରଶେଖରଙ୍କୁ ପ୍ରାର୍ଥୀ କରାଗଲେ ସାଂସଦ ସିଦ୍ଧାନ୍ତ ମହାପାତ୍ର ଅସନ୍ତୁଷ୍ଟ ହୋଇପାରନ୍ତି। ଏଣୁ ଏ ଅସନ୍ତୋଷକୁ ରୋକିବା ଲାଗି ବିକଳ୍ପ ହେଲେ ମହିଳା ପ୍ରାର୍ଥୀ। ଆଉ ଏତିକି ବେଳେ ଆବିର୍ଭାବ ହୋଇଛନ୍ତି ପାରଳା ରାଜାଙ୍କ ଝିଅ କଲ୍ୟାଣୀ ଦେବୀ। କଲ୍ୟାଣୀ ନିକଟରେ ବିଜେଡିରେ ଯୋଗ ଦେଇ ନିଜର ରାଜନୀତିକ ଜୀବନକୁ ଆଗକୁ ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଗୋଟିଏ ପଟେ ବିଜୁ ପରିବାର ସହ ପାରଳାଖେମୁଣ୍ଡିର ଘନିଷ୍ଠ ସମ୍ପର୍କ ରହିଛି। ଏଣୁ ସେହି ଆନୁଗତ୍ୟ ତଥା ଋଣକୁ ସମ୍ମାନ ଦେଇ ନବୀନ କଲ୍ୟାଣୀଙ୍କ ଇଚ୍ଛାକୁ ପୂରଣ କରିବେ ବୋଲି ଜଣାପଡ଼ୁଛି। ଏହା ହେଲେ ବାପାଙ୍କ ପ୍ରତିଚ୍ଛବିକୁ ପୁଣିଥରେ ପାରଳାରେ ଉଜ୍ଜୀବୀତ କରିପାରିବେ।
ଯଦି ବ୍ରହ୍ମପୁର ନହୁଏ ଅର୍ଥାତ୍ କଲ୍ୟାଣୀ ଦେବୀ ସଂସଦ ନଯାଇ ବିଧାନସଭାରେ ନିଜକୁ ସୀମିତ ରଖିବାକୁ ଚାହାନ୍ତି ତେବେ ଆସିକା ଆସନ ମହିଳାଙ୍କ ପାଖକୁ ଯାଇପାରେ। ଏହିକ୍ରମରେ ପୂର୍ବତନ ସାଂସଦ ତଥା ବିଜେଡି ନେତା ନିତ୍ୟାନନ୍ଦ ପ୍ରଧାନଙ୍କ ଝିଅ ଲତିକା ପ୍ରଧାନ ସାମ୍ନାକୁ ଆସିପାରନ୍ତି। ଲତିକା ଏବେ ସକ୍ରିୟ ରାଜନୀତିକୁ ଫେରିଛନ୍ତି। କିଛିଦିନ ତଳେ ବିଜେଡି ସାଂସଦ ଲଡ଼ୁକେଶ୍ଵର ସ୍ଵାଇଁଙ୍କ ମୃତ୍ୟୁ ପରେ ଲତିକା ଭବିଷ୍ୟତ ବୋଲି ଚର୍ଚା ହେଉଛି।
ସମ୍ବଲପୁର
ଏଥର ପଶ୍ଚିମାଞ୍ଚଳରେ ମହିଳା ପ୍ରାର୍ଥୀଙ୍କ କଥା। ଆଞ୍ଚଳିକ ବୈଷମ୍ୟ ଦୂର କରିବା ଲାଗି ବିଜେଡି ସୁପ୍ରିମୋ ସମ୍ବଲପୁରକୁ ମହିଳାଙ୍କ ଲାଗି ଉନ୍ମୁକ୍ତ କରିପାରନ୍ତି। ଏବେକାର ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତାକୁ ନେଇ ରଣନୀତି ନିର୍ଦ୍ଧାରକମାନେ ସନ୍ଦେହ ପ୍ରକାଶ କରୁଥିବାରୁ ଏହି ଆସନରୁ ଦ୍ଵନ୍ଦ୍ଵ ଦୂର ନିତାନ୍ତ ଆବଶ୍ୟକ। ଏଣୁ ଜଣେ ମହିଳାଙ୍କୁ ପ୍ରାର୍ଥୀ କରାଗଲେ ସବୁ ସମସ୍ୟାର ସମାଧାନ ହେବ। ଏହା ହେଲେ ବିଧାୟକ ତଥା ଡାକ୍ତର ରାସେଶ୍ଵରୀ ପାଣିଗ୍ରାହୀଙ୍କ ଆବିର୍ଭାବ ହୋଇପାରେ।
ଏସବୁ ସମ୍ଭାବନା କିନ୍ତୁ ବାସ୍ତବ ହେବ ଯେତେବେଳେ ସଭାପତି ଘୋଷଣା କରିବେ। ଏଣୁ ଆଶା କରିପାରିବା ଘୋଷଣା ଶୀଘ୍ର ହେବ।
ଅଧିକ ପାଠ ପାଇଁ କ୍ଳିକ୍ କରନ୍ତୁ