୧୯୫୨ରେ ପ୍ରଥମ ଲୋକସଭା ନିର୍ବାଚନ

୫୩ଟି ଦଳ ନିର୍ବାଚନରେ ଅଂଶଗ୍ରହଣ କରିଥିଲେ
୪୫.୭% ମତଦାନ
୫୫% ମତଦାତା କଂଗ୍ରେସକୁ ଭୋଟ ଦେଇନଥିଲେ
୩୬୪ ଆସନରେ କଂଗ୍ରେସ ବିଜୟୀ

୨୦୧୯ର ଲୋକସଭା ନିର୍ବାଚନ ସ୍ୱାଧିନ ଭାରତର ଇତିହାସରେ ସବୁଠାରୁ ବଡ଼ ନିର୍ବାଚନ ହେବାକୁ ଯାଉଛି। କାରଣ ୯୦ କୋଟି ମତଦାତା ପ୍ରଥମ ଥର ପାଇଁ ମତଦାନ ଅଧିକାର ସାବ୍ୟସ୍ତ କରିବେ। ଭାରତ ୧୯୪୭ରେ ସ୍ୱାଧିନ ହେବାର ୫ବର୍ଷ ପରେ ୧୯୫୨ରେ ଦେଶର ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେ ସମୟରେ ଦେଶର ସାକ୍ଷରତା ହାର ମାତ୍ର ୨୦% ଥିଲା। ଏହା ସତ୍ତ୍ୱେ ବି ଦେଶର ୮୦% ନିରକ୍ଷର ଲୋକଙ୍କ ସହିତ ୨୦% ସାକ୍ଷର ଲୋକ ନିର୍ବାଚନ ମାଧ୍ୟମରେ ନିଜର ଲୋକ ପ୍ରତିନିଧିଙ୍କୁ ଭୋଟ ଦେଇ ନିର୍ବାଚିତ କରିଥିଲେ। ଦେଶର ପ୍ରଥମ ନିର୍ବାଚନରେ ୫୩ଟି ରାଜନୈତିକ ଦଳ ଅଂଶ ଗ୍ରହଣ କରିଥିଲେ।

୧୯୫୨ରେ ହୋଇଥିବା ଲୋକସଭା ନିର୍ବାଚନ ପ୍ରଥମ ନିର୍ବାଚନ ନୁହେଁ। କାରଣ ୧୯୧୯ରେ ମଣ୍ଟେଗ୍ୟୁ ଚେମ୍ସଫୋର୍ଡ଼ ରିଫର୍ମ ରିପୋର୍ଟ ପରେ ସେଣ୍ଟ୍ରାଲ ଓ ପ୍ରୋଭିନସିଆଲ ଲେଜିସଲେଟିଭ ବଡ଼ି ପାଇଁ ଅନେକ ସ୍ଥାନରେ ନିର୍ବାଚନ ହୋଇସାରିଥିଲା। ୧୯୨୦ରେ ସେଣ୍ଟ୍ରାଲ ଲେଜିସଲେଟିଭ ବଡ଼ି ପାଇଁ ପ୍ରଥମ ସାଧାରଣ ନିର୍ବାଚନ ହୋଇଥିଲା। ଏହାପରେ ୧୯୨୩,୧୯୨୬, ୧୯୩୦, ୧୯୩୪ ଓ ୧୯୪୫ରେ କେତେକ ବଡ଼ ବଡ଼ ରାଜ୍ୟରେ ନିର୍ବାଚନ ହୋଇଥିଲା। ୧୯୩-୩୭ ଓ ୧୯୪୬ରେ ହୋଇଥିବା ନିର୍ବାଚନ ବହୁତ କମ‍୍‌ ଲୋକଙ୍କୁ ନେଇ ହୋଇଥିଲା। ୧୯୫୨ରେ ହୋଇଥିବା ସାଧାରଣ ନିର୍ବାଚନରେ ମତାଧିକାର ସାବ୍ୟସ୍ତ କରିବା ପାଇଁ ସମଗ୍ର ଦେଶର ଲୋକମାନଙ୍କୁ ସାମିଲ କରାଯାଇଥିଲା।

୧୯୫୨ ନିର୍ବାଚନରେ ମୋଟ ୪୫.୭% ଭୋଟ ପୋଲିଂ ହୋଇଥିଲା। କଂଗ୍ରେସକୁ ୫୫% ପ୍ରତିଶତ ମତଦାତା ଭୋଟ ଦେଇନଥିଲେ। ମାତ୍ର ୪୫% ମତଦାତାଙ୍କ ଭୋଟ ପାଇ କଂଗ୍ରେସ ଦଳ ଏହି ନିର୍ବାଚନରେ ୩୬୪ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା। ଏହି ନିର୍ବାଚନରେ ୫୩ଟି ରାଜନୈତିକ ଦଳ ଅଂଶଗ୍ରହଣ କରିଥିଲେ ହେଁ ମାତ୍ର ୨୨ଟି ଦଳ ଅତି କମରେ ଗୋଟିଏ ହେଲେ ଜିତିବାରେ ସକ୍ଷମ ହୋଇଥିଲେ। ଏହି ନିର୍ବାଚନରେ ସୋସାଲିଷ୍ଟ ଦଳ ୧୦.୬% ଭୋଟ ପାଇ ୧୨ଟି ଆସନରେ ବିଜୟୀ ହୋଇଥିଲା।

କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ସିପିଆଇ) ୩.୩ଞ୍ଝ% ଭୋଟ ପାଇ ୧୬ଟି ଆସନରେ ବିଜୟୀ ହୋଇଥିଲା। କିଷାନ ମଜଦୂର ପ୍ରଜା ପାର୍ଟି ୫.୭୯% ଭୋଟ ସହିତ ୯ଟି ଆସନରେ ବିଜୟୀ ହୋଇଥିଲା। ପିପୁଲ୍ସ ଡେ଼ମୋକ୍ରାଟିକ ଫ୍ରଣ୍ଟ ୧.୩% ଭୋଟ ସହିତ ୭ଟି ଆସନରେ ବିଜୟୀ ହୋଇଥିଲା।

ଏହି ନିର୍ବାଚନରେ ଗଣତନ୍ତ୍ର ପରିଷଦ ୦.୯୧%ଭୋଟ ପାଇ ୬ଟି ଆସନରେ ବିଜୟୀ ହୋଇଥିଲା। ହିନ୍ଦୁ ମହାସଭା ୦.୯୪% ଭୋଟ ସହିତ ୪ଟି ଆସନରେ ବିଜେୟୀ ହୋଇଥିବାବେଳେ ଅକାଳୀ ଦଳ ୦.୯୯% ଭୋଟ ପାଇ ୪ଟି ଆସନରେ, ତାମିଲନାଡୁର ଟୟଳର୍ସ ପାର୍ଟି ୦.୮୪% ଭୋଟ ସହିତ ୪ଟି ଆସନରେ , ଅଖିଳ ଭାରତୀୟ ରାମ ରାଜ୍ୟ ପରିଷଦ ୧.୯୭% ଭୋଟ ସହିତ ୩ଟି ଆସନରେ, ଭାରତୀୟ ଜନସଂଘ ୩.୦୬% ଭୋଟ ସହିତ ୩ଟି ଆସନରେ, କମନେୱଲ ପାର୍ଟି ୦.୩୧% ଭୋଟ ସହିତ ୩ଟି ଆସନରେ ଓ ଝାଡ଼ଖଣ୍ଡ ପାର୍ଟିକୁ ୦.୭୧% ଭୋଟ ସହିତ ୩ଟି ଆସନରେ ବିଜୟ ମିଳିଥିଲା।

ଏହି ନିର୍ବାଚନରେ ରିଭ୍ୟୁଲୁସନାରୀ ସୋସାଲିଷ୍ଟ ପାର୍ଟିକୁ ୩ଟି ଆସନ, ଲୋକସେବକ ସଂଘକୁ ୨ଟି ଆସନ, ପିଜେଣ୍ଟ ଆଣ୍ଡ ୱାର୍କର୍ସ ପାର୍ଟି ଅଫ ଇଣ୍ଡିଆକୁ ୨ଟି, ରିଭ୍ୟୁଲୁସନାରୀ କାଷ୍ଟ ଫେଡେ଼ରେସନକୁ ୨ଟି, ଟିଟିଏନସିପିକୁ ୧ଟି, ମଦ୍ରାସ ଷ୍ଟେଟ ମୁସଲିମ ଲିଗ ପାର୍ଟିକୁ ୧ଟି, ଛୋଟାନାଗପୁର ସାନ୍ଥାଳ ପ୍ରଗଣା ଜନତା ପାର୍ଟିକୁ ୧ଟି, କୃଷିକର ଲୋକ ପାର୍ଟିକୁ ୧ଟି, ଫରୱାର୍ଡ଼ ବ୍ଲକକୁ ୧ଟି ଆସନରେ ବିଜୟ ମିଳିଥିଲା। ଅପରପକ୍ଷରେ ୩୭ଟି ଆସନରେ ସ୍ୱାଧିନ ପ୍ରାର୍ଥୀମାନେ ଜିତିଥିଲେ।

Leave a Reply

Your email address will not be published.