କେନ୍ଦୁଝର ଲୋକସଭା: ସବୁ ଦଳରେ ପ୍ରାର୍ଥୀ ସଂକଟ

ଆଗାମୀ ଲୋକସଭା ନିର୍ବାଚନ ପାଇଁ କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳର ବଳ କଷାକଷି ଚାଲିଛି। ଯାହାକୁ ନେଇ କେନ୍ଦୁଝର ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଲାଣି। ଫଳରେ କେନ୍ଦୁଝର ଲୋକସଭା ଆସନରେ ରାଜନୀତି ରୋଚକ ମୋଡ଼ ନେଲାଣି। କାରଣ ଏବେ ସବୁ ଦଳରେ ପ୍ରାର୍ଥୀ ସଂକଟ ଦେଖାଦେଇଛି। ବିଜେଡି ଲଗାତାର ଦୁଇଥର ଏହି ଆସନ ଅକ୍ତିଆର କରିଥିଲେ ବି ଏଥର ପ୍ରାର୍ଥୀ ବଦଳାଇବାର ସମ୍ଭାବନା ଢ଼େର ଅଧିକ।

୨୦୦୯ ଓ ୨୦୧୪ ନିର୍ବାଚନରେ କେନ୍ଦୁଝର ଲୋକସଭା ଆସନରୁ ବିଜେଡି ବିଜୟୀ ହୋଇଥିଲା। ୨୦୦୪ରେ ଯଶୋବନ୍ତ ନାରାୟଣ ସି˚ ଲାଗୁରୀ ବିଜୟୀ ହୋଇଥିଲେ । ସେହିଭଳି ୨୦୧୪ ରେ ଯଶୋବନ୍ତଙ୍କ ସ୍ତ୍ରୀ ଶକୁନ୍ତଳା ନାରାୟଣ ସି˚ ଲାଗୁରୀ ବିଜୟୀ ହୋଇଥିଲେ । ଶ୍ରୀମତୀ ଲାଗୁରୀ ଗତ ନିର୍ବାଚନରେ ୪ଲକ୍ଷ ୩୪ ହଜାର ୪୭୧ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଅନନ୍ତ ନାଏକ ୨ଲକ୍ଷ ୭୭ହଜାର ୧୫୪ଖଣ୍ଡ ଭୋଟ ପାଇଥିଲେ। କଂଗ୍ରେସ ପ୍ରାର୍ଥୀ ମାଧବ ସର୍ଦ୍ଦାର ୧ଲକ୍ଷ ୯୦ ହଜାର ୫୩୧ଖଣ୍ଡ ଭୋଟ ପାଇଥିଲେ।

ଜିଲ୍ଲାର ମନ୍ତ୍ରୀ ବଦ୍ରି ନାରାୟଣଙ୍କ ଖାସ୍ ସମର୍ଥକ ଭାବେ ଜଣାଶୁଣା ଏହି ଦମ୍ପତି ବିଜୟୀ ହେବା ପରେ ସାଧାରଣ ଲୋକଙ୍କ ସହ ସମନ୍ୱୟ ରଖିବାରେ ବିଫଳ ହୋଇଛନ୍ତି। ଏପରିକି ଯଶୋବନ୍ତଙ୍କ ସମୟରେ ଯଦିଓ ଏଭଳି ଅଭିଯୋଗ ଥିଲା। ଏପରିକି ତାଙ୍କ ପତ୍ନୀ ଶକୁନ୍ତଳା ବିଜୟୀ ହେବା ପରେ ଏଭଳି ଅଭିଯୋଗ କମିବା ପରିବର୍ତେ ବଢ଼ିବାରେ ଲାଗିଥିଲା। ଜିଲ୍ଲାରେ ବର୍ଷକୁ ହାତଗଣତି କିଛି ସଭାସମିତିକୁ ଛାଡ଼ିଦେଲେ ଜିଲ୍ଲାବାସୀ ସା˚ସଦଙ୍କ ମୁହଁ କଦବା କ୍ୱଚିତ୍ ଦେଖିବାକୁ ପାଇଥିଲେ। ଯାହାର ପରିଣାମ ଏବେ କେନ୍ଦୁଝର ଲୋକସଭା ଆସନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ତେଣୁ ବିଜେଡିରୁ ଏବେ ଏକାଧିକ ଆଶାୟୀ ସା˚ସଦ ହେବାକୁ ମନ ବଳାଇଲେଣି।

ସେପଟେ ଏହି ଲୋକସଭା ଆସନରେ ପ୍ରିଦ୍ୱନ୍ଦ୍ୱୀତା କରିବା ପାଇଁ ରେସରେ ଅଛନ୍ତି-ପାଟଣା ବିଧାୟକ ହୃଷୀକେଶ ନାଏକ, ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ରାମରାଇ ମୁନ୍ଦିଆ, ଉପାଧ୍ୟକ୍ଷା ମୀନା ମାଝିଙ୍କ ସମେତ ପୂର୍ବତନ ସା˚ସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ମଧ୍ୟ ଆଶାୟୀ ଥିବା ସ୍ଥାନୀୟ ମହଲରେ ଚର୍ଚ୍ଚା ହେଉଛି। ଏଥିପାଇଁ ଦଳ ଏବେ କାହାକୁ ଭରସା କରିବ ତାହା ଉପରେ ରହିଛି ସମସ୍ତଙ୍କ ନଜର। କାରଣ ବିଜେଡି ଦଳରେ ଏହି ଦ୍ୱନ୍ଦର ଫାଇଦା ଉଭୟ ବିଜେପି ଓ କଂଗ୍ରେସ ନେବା ପାଇଁ ଗୋଟିଚାଳନା କରୁଥିବା ମଧ୍ୟ ଶୁଣିବାକୁ ମିଳୁଛି।

ବିଜେଡି-ବିଜେପି ମେଣ୍ଟ ସମୟରେ ୧୯୯୯ ଓ ୨୦୦୪ରେ ଅନନ୍ତ ଚରଣ ନାୟକ ଏଠାରୁ ସା˚ସଦ ହୋଇଥିଲେ। ମେଣ୍ଟ ଭାଙ୍ଗିଯିବା ପରେ ଦୁଇଥର ଅନନ୍ତ ନାଏକ ପ୍ରାର୍ଥୀ ହୋଇଥିଲେ ବି ସେ ବିଜୟୀ ହୋଇ ପାରି ନାହାନ୍ତି। ଏଣୁ ଚଳିତ ନିର୍ବାଚନରେ ସେ ସା˚ସଦ ପ୍ରାର୍ଥୀ ନ ହୋଇ କୌଣସି ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ମନ ବଳାଉଥିବା ଆଲୋଚନା ହେଉଛି। ସେପଟେ ବିଜେପି କୌଣସି ନୂଆ ପ୍ରାର୍ଥୀ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ଆଶାୟୀଙ୍କ ମଧ୍ୟରେ ସୁକେଶୀ ଓରାମ , ଡକ୍ଟର ଫକୀର ମୋହନ ନାଏକ, ଶ୍ରୀପତି ନାଏକଙ୍କ ନାମ ରହିଛି।

ସେହିଭଳି ୨୦୧୪ ନିର୍ବାଚନରେ କ˚ଗ୍ରେସରୁ ମାଧବ ସର୍ଦ୍ଦାର ପ୍ରାର୍ଥୀ ହୋଇଥିଲେ ମଧ୍ୟ ହାତକୁ ସେତେ ପରିମାଣରେ ମଜଭୁତ କରିପାରିନଥିଲେ। ଯାହାଫଳରେ ମୋଟ ୧ ଲକ୍ଷ ୯୦ ହଜାର ଭୋଟ ପାଇ ପରାଜିତ ହୋଇଥିଲେ କଂଗ୍ରେସର ମାଧବ ସର୍ଦ୍ଦାର। ଇତିମଧ୍ୟରେ ମାଧବ ସର୍ଦ୍ଦାର ବିଜେଡିରେ ସାମିଲ ହୋଇଥିବାରୁ ଏବେ କ˚ଗ୍ରେସର କିଏ ଲୋକସଭା ପ୍ରାର୍ଥୀ ହେବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ସେପଟେ କେନ୍ଦୁଝର ଲୋକସଭା ଆସନରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସମର୍ଥକ ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published.