ବାଲାକୋଟ କ୍ୟାମ୍ପରେ ଥିବା ୩୫୦ ଆତଙ୍କୀ ସଫା!
କ୍ୟାମ୍ପରେ ଥିଲେ ୪୨ ଆତ୍ମଘାତୀ ଆତଙ୍କୀ ଓ ୨୫ କମାଣ୍ଡର
ବାଲାକୋଟରେ ଜୈଶ କ୍ୟାମ୍ପ ଉପରେ ପ୍ରଚଣ୍ଡ ଆକ୍ରମଣ ସମୟରେ ଏଠାରେ ଥିବା କ୍ୟାମ୍ପ ଗୁଡ଼ିକରେ ପ୍ରାୟ ୩୫୦ ଜଣ ଆତଙ୍କବାଦୀ ସଫା ହୋଇଥିବାର ସୂଚନା ବର୍ତ୍ତମାନ ସାମ୍ନାକୁ ଆସିଛି। ତେବେ ଏହି ଆତଙ୍କବାଦୀମାନେ ପୂର୍ବରୁ ଏହି ବାଲାକୋଟ କ୍ୟାମ୍ପରେ ରହୁ ନଥିଲେ। ଏମାନେ ମାତ୍ର କିଛି ଦିନ ପୂର୍ବରୁ ଭାରତ ପଟୁ ଆକ୍ରମଣ ଭୟରେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରୁ ଖସି ଆସି ସୁରକ୍ଷିତ ରହଣି ପାଇଁ ଏଠାରେ ଥିବା ‘ଫାଇଭ ଷ୍ଟାର’ ଜୈଶ କ୍ୟାମ୍ପକୁ ଆସିଥିଲେ। ସୂଚନା ଅନୁସାରେ, ଭାରତୀୟ ଯୁଦ୍ଧ ବିମାନ ଆକ୍ରମଣ କରିବା ବେଳେ କ୍ୟାମ୍ପ ମଧ୍ୟରେ ୩୨୫ ଜଣ ଆତଙ୍କବାଦୀ ଓ ସେମାନଙ୍କର ୨୫ରୁ ୨୭ ଜଣ ଟ୍ରେନର ରହିଥିଲେ। ଏହି ଟ୍ରେନ୍ରମାନେ ହିଁ ଆତଙ୍କୀମାନଙ୍କୁ ଆତ୍ମଘାତୀ ହମ୍ଲା କରିବାକୁ ଟ୍ରେନିଂ ଦେଇଥାଆନ୍ତେ।
ତେବେ ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟ ଠାରେ ଜୈଶ କ୍ୟାମ୍ପରେ ଆକ୍ରମଣ କରିବା ବେଳେ ଏଠାରେ ସାଧାରଣ ଆତଙ୍କବାଦୀଙ୍କ ସହ ୪୨ ଜଣ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ଆତ୍ମଘାତୀ ଆତଙ୍କୀ ଓ ସଂଗଠନର ୨୫ ଜଣ ଟପ୍କମାଣ୍ଡର ରହିଥିଲେ ବୋଲି ଆଜିର ସିସିଏସ୍ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏକଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟମାନଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି।
ମାସୁଦ ଆଝାରର ଶାଳକ ଓ ଭାଇଙ୍କ ମୃତ୍ୟୁ

ଭାରତୀୟ ବାୟୁସେନାର ମିରାଜ-୨୦୦୦ରୁ ହୋଇଥିବା ବୋମା ବର୍ଷଣରେ ମାର୍କଜ ସୟଦ ଅହମ୍ମଦ ସଇଦ୍ଟ୍ରେନିଂ କ୍ୟାମ୍ପ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। ଏହି ଟ୍ରେନିଂ କ୍ୟାମ୍ପରେ ଥିବା ମାସୁଦ ଆଝାରର ଶାଳକ ଓ ଭାଇଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଆତଙ୍କୀ ଠିକଣା ଉପରେ ଭୋର ୩.୪୫ରୁ ୩.୫୩ ମଧ୍ୟରେ ବୋମା ବର୍ଷଣ କରାଯାଇଥିଲା। ପୂରା ଅପରେଶନ ୨୧ ମିନିଟ୍ର ଥିଲା। ଏୟାର ଷ୍ଟ୍ରାଇକ୍ରେ ଜୈଶର ୩ଟି ଆଲେକ୍ସା କଣ୍ଟ୍ରୋଲ ରୁମ୍ମଧ୍ୟ ଧ୍ୱଂସ ପାଇଯାଇଛି। ବାଲାକୋଟ ସ୍ଥିତ କ୍ୟାମ୍ପରେ ହିଁ ଜୈଶର ସବୁଠାରୁ ବଡ଼ ସଂଗଠନ ରହିଥିଲା।
ଆକ୍ରମଣରେ ନିହତ ହୋଇଥିବା ଆତଙ୍କୀଙ୍କ ମଧ୍ୟରେ ଅବୁ ବକର, ସବିର ହୁସେନ, ନାସିର ଅଖତର, ବିଲାଲ ଆମୀର, ଅବଦୁଲ ହାଫିଜ, ଶାହିଦ ଇକବାଲ ଭଳି କୁଖ୍ୟାତ ଆତଙ୍କୀ ରହିଛନ୍ତି। ସେହିପରି ମୌଲାନା ଅମର, ମୁଫତି ଆଝାର ଖାନ କଶ୍ମିରୀ, ଇବ୍ରାହିମ୍ଆଝାର ଓ ମୌଲାନା ତଲହା ସୈଫ ଭଳି ଜୈଶର ମୁଖ୍ୟ କମାଣ୍ଡରମାନେ ମଧ୍ୟ ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି। ବାଲାକୋଟଠାରେ ଥିବା ଏକ ଜଙ୍ଗଲର ୬ ଏକର ଜାଗାରେ ଜୈଶ କ୍ୟାମ୍ପ ରହିଥିଲା। ଏହି କ୍ୟାମ୍ପ ମଧ୍ୟରେ ବଡ଼ ବଡ଼ ହଲ ଓ ଡର୍ମିଟରୀ ରହିଥିଲା। ଯେଉଁଥିରେ ଏକକାଳୀନ ୬୦୦ରୁ ୭୦୦ ଲୋକ ବସି ପାରିବେ।
ଏହି କ୍ୟାମ୍ପ ମଧ୍ୟରେ ଜିମ୍, ସୁଇମିଂ ପୁଲ ଓ ଶୁଟିଂ ଅଭ୍ୟାସ ପାଇଁ ବ୍ୟବସ୍ଥା ରହିଛି। ସେହିପରି କ୍ୟାମ୍ପର ପାହାଚରେ ଆମେରିକା, ବ୍ରିଟେନ୍ ଓ ଇସ୍ରାଏଲ ଭଳି ଦେଶ ଗୁଡ଼ିକର ପତାକା ପେଣ୍ଟିଂ କରାଯାଇଥିଲା। ଏହି ଦେଶ ଗୁଡ଼ିକ ଇସ୍ଲାମିକ ଷ୍ଟେଟ ବିରୋଧ ହୋଇଥିବାରୁ ଏମାନଙ୍କ ପତାକାକୁ ପାଦରେ ଦଳି ଆତଙ୍କୀଙ୍କ ମନରେ ଘୃଣାଭାବ ସୃଷ୍ଟି କରାଯାଉଥିଲା।