ଆଳୁ ମିଶନରେ ୩୦୦ କୋଟି ବରବାଦ : କଂଗ୍ରେସ

ଚାଷୀ ଓ ଉଦ୍ୟୋଗପତିମାନଙ୍କୁ କିଭଳି ପ୍ରତାରଣା କରାଯାଉଛି ତାହାର ଉଦାହରଣ ହେଉଛି ରାଜ୍ୟ ଆଳୁ ମିଶନର ବିଫଳତା । ଏ ବାବଦରେ ପ୍ରାୟ ୩୦୦ କୋଟି ଟଙ୍କା ବରବାଦ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ୨୦୧୪ରେ ଦଳୀୟ ନିର୍ବାଚନ ଘୋଷଣାପତ୍ରରେ ବିଜେଡି କହିଥିଲା ଯେ ଦଳ ପାଇଁ ଇସ୍ତାହାର କେବଳ ଏକ ପ୍ରତିଶ୍ରୁତି ନୁହେଁ ବରଂ ଏକ ସଂକଳ୍ପ । ଏଥିରେ କୁହାଗଲା ଚାଷୀଙ୍କୁ ଉଚିତ୍ ମୂଲ୍ୟ ମିଳିବା ପାଇଁ ରାଜ୍ୟର ୩୧୪ଟି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବ ।

ରାଜ୍ୟରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଓ ଏହାର ସୁପରିଚାଳନା କରିବା ଦିଗରେ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାର ସମସ୍ତ ପ୍ରକାର ସହାୟତା ଦେବେ । ଆଳୁ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ୨୬୭ କୋଟି ଟଙ୍କାରେ ୨୦୧୫ ମସିହାରେ ରାଜ୍ୟ ଆଳୁ ମିଶନ ପ୍ରତିଷ୍ଠା କରାଗଲା ।

ରାଜ୍ୟରେ ଆଳୁ ଉତ୍ପାଦନ ୨ ଲକ୍ଷ ମେଟ୍ରିକ୍ ଟନରୁ ବୃଦ୍ଧି କରାଯାଇ ୧୧ ଲକ୍ଷ ମେଟ୍ରିକ୍ ଟନ୍ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଗଲା । ଆଳୁ ସଂରକ୍ଷଣ ପାଇଁ ରାଜ୍ୟରେ ୧୧୨ ଟି ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବ । ଆଳୁ ବିହନ ଉତ୍ପାଦନ ବୃଦ୍ଧି କରାଯିବ ଓ ବଜାରକୁ ନିୟନ୍ତ୍ରିତ ଆଳୁ ଯୋଗାଣ କରିବେ ରାଜ୍ୟ ସରକାର ।

ଆଳୁ ଚାଷକୁ ମାକେର୍ଟିଂ ସହାୟତା ବୃଦ୍ଧି କରାଯିବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ । ଆଳୁ ଚାଷୀ ଓ ଶୀତଳ ଭଣ୍ଡାର ଉଦ୍ୟୋଗୀକୁ ଆବଶ୍ୟକ ସମସ୍ତ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ । ଦୁର୍ଭାଗ୍ୟର କଥା ସରକାରଙ୍କ ଉପରୋକ୍ତ ସମସ୍ତ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି ବୋଲି କଂଗ୍ରେସ ମିଡିଆ ସେଲ୍ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି ।

ଆଳୁ ମିଶନ ହେବା ପରେ ୧୧ ଲକ୍ଷ ମେଟ୍ରିକ୍ ଟ୍ରନ୍ ଦୂରର କଥା ପୂର୍ବରୁ ଉତ୍ପାଦିତ ହେଉଥିବା ୨ ଲକ୍ଷ ମେଟ୍ରିକ୍ ଟନରୁ କମ୍ ଆଳୁ ଏବେ ରାଜ୍ୟରେ ଉତ୍ପାଦନ ହେଉଛି । ଆଳୁ ମିଶନ ଏବେ ପୁରାପୁରି ଫେଲ ଓ ଆଳୁ ମିଶନକୁ ନେଇ ସରକାରଙ୍କ ଆଳୁ ଦୋଷ ପଦାରେ ପଡିଛି ।

ଏହା ଦର୍ଶାଉଛି ଯେ ରାଜ୍ୟ ସରକାର କିଭଳି ଚାଷୀଙ୍କୁ ସହାୟତା ଦେବାରେ ଲଗାତର ଭାବରେ ପ୍ରତାରିତ କରି ଚାଲିଛନ୍ତି । ପିପିପି ମୋଡରେ ଶୀତଳଭଣ୍ଡାର ପ୍ରତିଷ୍ଠା କରିଥିବା ଉଦ୍ୟୋଗୀମାନେ ଆଜି ରାଜରାସ୍ତାରେ ବସିଛନ୍ତି ଏବଂ ଶୀତଳଭଣ୍ଡାର ବନ୍ଦ ହେବାକୁ ବସିଛି । ସରକାରଙ୍କର ଚାଷୀ ଓ ଉଦ୍ୟୋଗୀମାନଙ୍କ ପ୍ରତି ସମ୍ବେଦନହୀନତାକୁ ନେଇ ପ୍ରଶ୍ନ କରିଛି କଂଗ୍ରେସ। 

Leave a Reply

Your email address will not be published. Required fields are marked *